Odiapua.com

ସୁନ୍ଦରଗଡ଼ର ତଳସରା ଠାରେ ଭାରତ ଯୋଡ଼ ଯାତ୍ରା-ଓଡ଼ିଶା

ନବୀନ ଓ ମୋଦି ଶାସନର ପତନରେ ଓଡ଼ିଶା ବିକାଶର ସ୍ୱପ୍ନ ରହିଛି – ଶରତ ପଟ୍ଟନାୟକ
ଭୁବନେଶ୍ୱର ୧୫.୧ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲାର ତଳସରା ନିର୍ବାଚନ ମଣ୍ଡଳୀର ଏତମା ଠାରୁ ଆରମ୍ଭ ହୋଇ କରମଡିହି ଠାରେ ପଂହଚିଛି। ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଇତିହାସ ଫର୍ଦ୍ଦରେ ନବୀନ ଶାସନ ଏକ କଳଙ୍କିତ ଅଧ୍ୟାୟ ଭାବେ ରହିବ। ଓଡ଼ିଶାରେ ଯେତେବି ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ପରବର୍ତ୍ତୀ ପର୍ଯ୍ୟାୟରେ ଶାସନ ଗାଦିରେ ବସିଛନ୍ତି ସେମାନଙ୍କ ରାଜତ୍ୱକାଳରେ ଓଡ଼ିଶାରେ ଏଭଳି ଦୁର୍ନୀତି, ଭ୍ରଷ୍ଟାଚାର, ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ହତ୍ୟା, ବେକାରୀ, ଦାରିଦ୍ର‌୍ୟ ଓ କୃଷି ଏବଂ କୃଷକର ଦୁରାବସ୍ଥା ଘଟିନଥିଲା। ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଓ ଦଳିତ ଯୁବକ ଯୁବତୀ ମାନଙ୍କର ସ୍ୱାର୍ଥକୁ ୨୨ ବର୍ଷଧରି ଉପେକ୍ଷା କରାଯାଇଛି। ନବୀନମାର୍କା ବିକାଶର ବିକଳଚିତ୍ର ଏଠାରେ ପରିଦୃଷ୍ଟ। ଯେହେତୁ ଏଠିକାର ବାସିନ୍ଦାଙ୍କର ପ୍ରତିବାଦର ସ୍ୱର କ୍ଷୀଣ, ସେଥିପାଇଁ ନବୀନ ଶାସନ ସୁନ୍ଦରଗଡ଼ ବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରିଛି। ଏ ଜିଲ୍ଳାରେ ସରକାରୀ ଯୋଜନାର ଦୁର୍ନୀତି ଚରମସୀମାରେ ପଂହଚିଛି। ଭତା ଓ ଆୱାସ ଯୋଜନା ବିକ୍ରୀ ହେଉଛି। ବ୍ଲକ, ତହସିଲ, ଥାନା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିଜୁଜନତା ଦଳର ଦଳୀୟ କାର୍ଯ୍ୟାଳୟ ଭାବେ କାର୍ଯ୍ୟକରୁଛି। ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ପ୍ରଭୃତି କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ଅନ୍ଧକାରରେ ରହିଛି। ଅନ୍ୟପକ୍ଷରେ ଏଠିକାର ସାସଂଦ ବିଜେପି ଦଳର। ଏଣୁ ମୋଦିଙ୍କର ଆଛା ଦିନର ସ୍ୱପ୍ନ ଓ ବିକାଶର ପ୍ରତିଶ୍ରୁତି ଏଠାରେ ପ୍ରତାରଣାରେ ପରିଣତ ହୋଇଛି। ଉଭୟ ମୋଦି ଓ ନବୀନ ଶାସନ ଆଦିବାସୀ ଓ କୃଷକ ବିରୋଧି। ପିଡିଏସ ଚାଉଳ ଯୋଜନାକୁ ନେଇ ମୋଦି ଓ ନବୀନ ସରକାର ଯେପରି ଆତ୍ମ ପ୍ରଚାର କରୁଛନ୍ତି ଏବଂ କାଦୁଅ ଫୋପାଡ଼ାରେ ବ୍ୟସ୍ତ ରହିଛନ୍ତି ଏହା ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିନ୍ଦାଜନକ କଥା। ସୋନିଆ ଗାନ୍ଧୀ ଏବଂ ଡ. ମନମୋହନ ସିଂଙ୍କ କ୍ଷୁଧାମୁକ୍ତ ଭାରତ ସ୍ୱପ୍ନର ପ୍ରତିଫଳନ ହେଉଛି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ଯାହାବଳରେ ଅଧିକରୁ ଅଧିକ ସାଧାରଣ ଜନତାଙ୍କ ପାଖରେ ପିଡିଏସ ଚାଉଳ ପଂହଚି ପାରୁଛି। ଏଥିରେ ମୋଦି ଶାସନ ବା ନବୀନ ଶାସନର କୌଣସି ବାହାଦୁରୀ ନାହିଁ। ଓଡ଼ିଶାର ଯୁବ ସମାଜ ଆଜି ବେକାରୀ ତାଡ଼ନାରେ ହନ୍ତସନ୍ତ। ଶ୍ରୀ ପଟ୍ଟନାୟକ ଉଭୟ ମୋଦି ଓ ନବୀନ ସରକାରର ପତନରେ ଯୁବ ସମାଜର ପ୍ରଗତି ରହିଛି ବୋଲି କହିଥିଲେ। ଭାରତ ଯୋଡ଼ ଯାତ୍ରା ଓଡ଼ିଶାର ଲକ୍ଷ୍ୟ ହେଉଛି ଓଡ଼ିଶାରେ ରାଜନୈତିକ ଓ ଅଥନୈତିକ ସ୍ଥିତିର ପରିବର୍ତ୍ତନ। ଏଣୁ ଯୁବ ସମାଜ, କୃଷକ, ମହିଳା ନିଜର ଅଧିକାରୀ ଓ ସୁରକ୍ଷା ପାଇଁ ଏଥିରେ ଯୋଗଦେବାକୁ ଏବଂ ସ୍ୱରକୁ ଶାଣିତ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ। ଓଡ଼ିଶାର ବିକାଶ ଏବଂ ସୁଶାସନ ଆଣିବା ପାଇଁ ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ଅଭିପ୍ରେତ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସନ୍ତୋଷ ସିଂ ସାଲୁଜା, ମାନସ ଚୌଧୁରୀ, ବିଧୁଭୂଷଣ ତ୍ରିପାଠୀ, ସଂଜୟ ତ୍ରିପାଠୀ, ରବି ରାୟ, ବାଙ୍କନିଧି ବେହେରା, ଜ୍ଞାନ ପଟ୍ଟନାୟକ, ମନୋଜ ସାହୁ, ଦୀପକ ମହାପାତ୍ର, ରାଜକିଶୋର ଷଢ଼ଙ୍ଗୀ, ମାନସ ମଲ୍ଲିକ, ଆନ୍ଥୋନୀ କୁଲୁ, ନାଜିଆ ହୁସେନ, ପୁରୋଷତମ ବାରିକ, ଗୋରେତି ଖେସ, ସାବିର ହୁସେନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ବୋଲି ଭାରତ ଯୋଡ଼ ଯାତ୍ରା-ଓଡ଼ିଶାର ମିଡିଆ ଇନଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।