Odiapua.com

ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌, ୫ ଲକ୍ଷରୁ ଉର୍ଦ୍ଧ୍ୱ ସୁନା-ରୂପା ନେଇ ଦୁର୍ବୃତ ଫେରାର

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅଂଚଳରେ ଜଣେ ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଂଚଳରେ ଚାଂଚଲ୍ୟ ଖେଳାଇଛି। ଦୁର୍ବୃର୍ତମାନେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଓ ରୂପା ଲୁଟି ନେଇଥିବା ଧାମନଗର ଥାନାରେ ଅଭିଯୋଗ ହୋଇଛି। ଖବର ଅନୁଯାୟୀ ଗୋଡିପୋଖରୀ ଗ୍ରାମର ଶାହା କସିମଉଦ୍ଦିନ ଧାମନଗର ଶାନବଜାର ରେ ଏକ ଗହଣା ଦୋକାନ କରିବା ସହ ଗ୍ରାମାଂଚଳରେ ବୁଲି ବ୍ୟବସାୟ କରନ୍ତି। ସମବାର ରାତି ପ୍ରାୟ ୧୦ ଟା ସମୟରେ ସେ ଧାମନଗର ଦୋକାନ ବନ୍ଦ କରି ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ଝାଟିଆସାହି ଛକ ନିକଟରେ ପହଂଚିବା ବେଳେ ୨ ଟି ବାଇକରେ ଆସିଥିବା ୫ଜଣ ଦୁର୍ବୃତ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଦୁର୍ବୃତମାନେ ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରିବା ସହ ସ୍କୁଟି ରୁ ତଳେ ପକାଇ ମାଡ଼ ମାରି ମୁଣ୍ଡ ଫଟାଇଥିବା ଅଭିଯୋଗ ହୋଇଛି। ପରେ ସ୍କୁଟିର ଚାବି ଛଡ଼ାଇ ନେଇ ଡିକିରେ ରଖାଯାଇଥିବା ପ୍ରାୟ ୨ ଭରି ସୁନା, ୭୦୦ ଗ୍ରାମ ରୂପା ଓ ନଗଦ ୩୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଲୁଟ୍ ହୋଇଥିବା ଗହଣାର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଘଟଣା ପରେ ଧାମନଗର ଥାନାରେ ଅଭିଯୋଗ ହୋଇଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଥାନା ଅଧିକାରୀ ସୁବ୍ରଜିତ ଦାସ ଓ ଏସଆଇ ମହେଶ୍ୱର ପ୍ରଧାନ ବିଭିନ୍ନ ଛକ ଓ ବଜାରରେ ଲାଗିଥିବା ସିସିଟିଭି ଫୁଟେଜ ଯାଂଚ କରୁଥିବା ଜଣାପଡ଼ିଛି। ଘଟଣା ପରେ ଅଂଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାତି ସମୟରେ ପୋଲିସ ପାଟ୍ରୋଲିଂର ଅଭାବ ଓ ଅପରାଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏଭଳି ଘଟଣା ବଢୁଛି। ବିଶେଷ କରି ବ୍ୟବସାୟୀମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବାବେଳେ ରାତିରେ ଯାତାୟାତ କରିବାକୁ ଭୟ କରୁଛନ୍ତି। ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନେବାକୁ ଦାବି ହେଉଛି।