Odiapua.com

ସୁନା ଦୋକାନୀଙ୍କ ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୧୩ ଲକ୍ଷରୁ ଉର୍ଦ୍ଧ୍ୱ ସୁନା ଓ ରୂପା ଅଳଙ୍କାର

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରାଞ୍ଚଳ ଥାନାଛକ ପୂଜାରୀସାହିରେ ଥିବା ଗୁଗ୍‌ଲି ଜୁଏଲାରୀର ମାଲିକଙ୍କ ବାଇକ୍ ଡିକି ଭାଙ୍ଗି କେତେକ ଦୃବୁର୍ତ୍ତ ୧୫୦ ଗ୍ରାମ ଓଜନର ସୁନା ଓ ୧୦ କେଜି ଓଜନର ରୂପା ଅଳଙ୍କାର ଲୁଟି ନେଇଥିବା ବିଷୟ ପୁଲିସ୍ ନିକଟରେ ହୋଇଥିବା ଅଭିଯୋଗରୁ ଜଣାପଡିଛି । ଏ ସଂପର୍କରେ ସ୍ଥାନୀୟ ନରିପୁର ତୋଟାଗଳି ନିବାସୀ ଗହଣା ବ୍ୟବସାୟୀ ଅଜୟ କୁମାର ସାହୁ ସହରାଞ୍ଚଳ ଥାନାରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ସେ ଆଜି ଦିନ ପ୍ରାୟ ୧୦ଟା ସମୟରେ ନିଜ ଘରୁ ବାଇକ୍ ଡିକିରେ ଉପରୋକ୍ତ ଅଳଙ୍କାର ଏକ ବ୍ୟାଗ୍‌ରେ ରଖି ଗୁଗ୍‌ଲି ଜୁଏଲାରୀକୁ ଆସିଥିଲେ । ସେଠାରେ ବାଇକ୍ ରଖି ଦୋକାନର ସଟର ଖୋଲିବା ମଧ୍ୟରେ କେହି ଦୃବୁର୍ତ୍ତ ତାଙ୍କର ବାଇକ୍ ଡିକି ଭାଙ୍ଗି ପ୍ରାୟ ୧୩ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଓ ରୂପା ଅଳଙ୍କାର ଲୁଟିନେଇଥିବାର ଜଣାପଡିଛି । ତେବେ ଥାନା ଛକରେ ଏଭଳି ଘଟଣା ଘଟିବା ନେଇ ସାଧାରଣରେ ଚର୍ଚ୍ଚା ହୋଇଥିବାବେଳେ ଲୁଟେରାର କୌଣସି ପତ୍ତା ଏପର୍ଯ୍ୟନ୍ତ ପୁଲିସ୍ ପାଇପାରିନାହିଁ । ତେବେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି ।