ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ-୨୦୨୪ ପାଳନ ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ସୁନାମି ପ୍ରସ୍ତୁତ ଗ୍ରାମ କରିବାରେ ଉଲ୍ଲେଖନୀୟ ପ୍ରୟାସ ଓ ଅବଦାନ ନିମନ୍ତେ ଭଦ୍ରକ ଜିଲ୍ଲାକୁ ପୁରସ୍କୃତ କରାଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବାସୁଦେବପୁର ବ୍ଲକ୍ ର ୪ଟି ଗ୍ରାମକୁ ସୁନାମି ପ୍ରସ୍ତୁତ ଗ୍ରାମ ରୂପେ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ଭଦ୍ରକ ଜିଲ୍ଲାପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଏବଂ କମ୍ୟୁନିଟି ମୁଖ୍ୟମନ୍ତ୍ରୀ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ। ଜିଲ୍ଲାର ସୁନାମି ପ୍ରସ୍ତୁତ ୪ଟି ଗ୍ରାମ ହେଲା ମୋହନପୁର, ଅଢ଼ୁଆଁ, ସାନକୃଷ୍ଣପୁର ଏବଂ ବଡ଼ହାବେଳି ସାହି, ସମ୍ବର୍ଦ୍ଧିତ ହୋଇଥିବା କମ୍ୟୁନିଟିର ସମସ୍ତ ସଦସ୍ୟ ମାନଙ୍କୁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅଭିନନ୍ଦନ ଜଣାଇଥିଲେ। ଅନୁସନ୍ଧାନ, ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାରୀ କରିଥିବା ବାସୁଦେବପୁର ବ୍ଲକ୍ର ଲକ୍ଷ୍ମୀ ପ୍ରସାଦ ବାତ୍ୟା ଆଶ୍ରୟସ୍ଥଳୀ, ଚାନ୍ଦବାଲିର ବିଦ୍ୟୁତପ୍ରଭା ବାତ୍ୟା ଆଶ୍ରୟସ୍ଥଳୀର ସ୍ୱେଚ୍ଛାସେବୀ ମାନଙ୍କୁ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଗଲା।