ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗ୍ରାମାଂଚଳର ଲୋକଙ୍କ ଗମନାଗମନ ପାଇଁ ଗାଁ କୁ ଗାଁ ସଂଯୋଗ ବାବଦରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀମାନେ ରାସ୍ତାର ସ୍ଥାୟିତ୍ୱ ପ୍ରତି ଦୃଷ୍ଟି ନଦେଇ କେବଳ ରାସ୍ତା ନିର୍ମାଣ କରୁଥିବାରୁ ରାସ୍ତା ନିର୍ମାଣର କିଛି ମାସ ପରେ ତାହା ଶୋଚନୀୟ ହୋଇ ପଡୁଥିବାରୁ ଜନସାଧାରଣ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା-ଗୋପିନାଥପୁର ମୁଖ୍ୟ ରାସ୍ତା ଠାରୁ ଶ୍ରୀରାମପୁର ଗ୍ରାମକୁ ଲମ୍ବିଥିବା ୧.୨କି.ମି ରାସ୍ତାରେ । ପ୍ରାୟ ୧୦ବର୍ଷ ହେବ ମରାମତି ଅଭାବରୁ ବର୍ତ୍ତମାନ ପିଚ ଗୁଡ଼ିକ ରାସ୍ତାରୁ ଉଠିବା ସହିତ ରାସ୍ତା ଉପରୁ ମେଣ୍ଟାଲ ଗୁଡ଼ିକ ଉଠିଯାଇ ଖାଲଖମାରରେ ପରିଣତ ହେବାସହ ଅସରାୟ ବର୍ଷାରେ ସୃଷ୍ଟି ହୋଇଥିବା ଗର୍ତ୍ତରେ ପାଣି ଜମି ରହିିବା ଦ୍ୱାରା ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତ୍ର ସମୟରେ ସୃଷ୍ଟି ହୋଇଥିବା ଗର୍ତରେ ପଡ଼ି ଖଣ୍ଡିଆ ଖାବରା ମଧ୍ୟ ହେଉଛନ୍ତି । ସବୁ ଦୃଷ୍ଟି କୋଣରୁ ଉକ୍ତ ରାସ୍ତା ଶ୍ରୀରାମପୁର ବାସୀଙ୍କ ପାଇଁ ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହି ସମସ୍ୟାର ସମାଧାନ ହେଉନଥିବାରୁ ପ୍ରାୟ ୭୦୦ଗ୍ରାମବାସୀ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର ସରିଯାଇଛି , ବର୍ଷାଦିନ ପରେ କାର୍ଯ୍ୟ ଆରମ୍ଭ ହେବାର ସୂଚନା ଦେଇଛନ୍ତି ବିଭାଗୀୟ କନିଷ୍ଠଯନ୍ତ୍ରୀ କୃଷ୍ଣପଦ ମହାନ୍ତି ।