Odiapua.com

ସୁଗମ ହେଲା ଜଳ ନିଷ୍କାସନ ପଥ , ଶେଷ ପର୍ଯ୍ୟାୟରେ ବାଲିପୋଖରୀ ଏସ୍‌କେପର କାର୍ଯ୍ୟ

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଆଖୁଆପଦା ଜଳସଂପଦ ଅଧୀନରେ ଥିବା ବହୁ ଚର୍ଚ୍ଚିତ ବାଲିପୋଖରୀ ଏସ୍‌କେପ ନବୀକରଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ଏସ୍‌କେପଟି ବୈତରଣୀ ଆନିକଟ ଠାରୁ ପ୍ରାୟ ୧ କିମି ଦୂରରେ ଥିବାବେଳେ ବର୍ଷାଦିନେ ନଦୀରେ ବନ୍ୟା ଆସିଲେ ଏହି ରାସ୍ତା ଦେଇ ଉଦ୍‌ବୃତ ଜଳ ନିଷ୍କାସନ ହୋଇଥାଏ । ଏହାପୂର୍ବରୁ ମାଟି ଓ ପଥରରେ ନିର୍ମିତ ହୋଇଥିବା ଏହି ଏସ୍‌କେପର ସ୍ଥାୟୀ ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ଦାବି ଜଣାଇଆସୁଥିଲେ । ତେଣୁ ଏହାର ଗୁରୁତ୍ୱ ଦୃଷ୍ଟିରୁ ଲୋକଙ୍କ ଦାବିକୁ ବିଚାରକୁ ନେଇ ଜଳସଂପଦ ବିଭାଗ ଏସ୍‌କେପଟିର ନବୀକରଣ ପାଇଁ ୫ କୋଟି ୯୯ ଲକ୍ଷ ଟଙ୍କା ବ୍ୟୟବରାଦ କରିଥିଲେ । ପ୍ରାୟ ୪ଶହ ମିଟର ଏସ୍‌କେପର ଦୁଇ ପାଶ୍ୱର୍ରେ କଂକ୍ରିଟ୍ ନିର୍ମାଣ ହୋଇଥିବାବେଳେ ଯାତାୟତ ବ୍ୟବସ୍ଥା ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୧୨ ଇଞ୍ଚର ପକ୍କାରାସ୍ତା ନିର୍ମାଣ ହୋଇଛି । ଏତଦ୍‌ବ୍ୟତୀତ ଏସ୍‌କେପକୁ ଅଧିକ ସୁରକ୍ଷା ଦେବାପାଇଁ ନଦୀ ଓ ଗାଁ ପାଶ୍ୱର୍ରେ ପଥର ପ୍ୟାକିଂର ବ୍ୟବସ୍ଥା ହୋଇଥିବାର ଜଣାପଡିଛି । ପୂର୍ବରୁ ବନ୍ୟା ଆସିଲେ ନିଷ୍କାସିତ ଜଳ ଦ୍ୱାରା ବାଲିପୋଖରୀ, ମାଳଦା, ରହଣିଆ, ରଣଜିତ୍ ପ୍ରମୁଖ ପଂଚାୟତ ଗୁଡିକ ବେଶି ପ୍ରଭାବିତ ହେଉଥିଲା । କାରଣ ମାଟି ଓ ପଥର ନିର୍ମାଣାଧୀନ ଏସ୍‌କେପରେ ଘାଇ ସୃଷ୍ଟି ହୋଇ ଅଧିକ ବନ୍ୟାଜଳ ପ୍ରବାହିତ ହେଉଥିଲା । ଏବେ ତାହା ସଂପୂର୍ଣ୍ଣ କଂକ୍ରିଟକରଣ ହୋଇଥିବାବେଳେ ଘାଇ ସମ୍ଭାବନା ନଥିବାରୁ ଉଦ୍‌ବୃତ୍ତ ବନ୍ୟାଜଳ ପ୍ରବାହିତ ହେଲେ ଆଉ ପୂର୍ବଭଳି ଜନବସତି ଗୁଡିକ ପ୍ରଭାବିତ ହେବନାହିଁ ବୋଲି ଏସ୍‌କେପ ନବୀକରଣ କାର୍ଯ୍ୟ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସ ପ୍ରକାଶ କରିଛନ୍ତି । ତେବେ ଏହାର ଉଚ୍ଚତା ଅଧିକ ହୋଇଥିଲେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ କରିବା ସୁବିଧା ହୋଇଥାନ୍ତା ଓ ବନ୍ୟା ଆସିଲେ ପ୍ରକୃତ ଅବସ୍ଥା ଅନୁଭବ ହୋଇପାରିବ ବୋଲି ସ୍ଥାନୀୟ ଲୋକମାନେ ମତ ଦେଇଛନ୍ତି ।