Odiapua.com

ସୀମା ବିବାଦରୁ ଭୟାନକ ପରିସ୍ଥିତି, ଆକ୍ରମଣରେ ୧୦ ରୁ ଉର୍ଦ୍ଧ୍ୱ ଆହତ, ଜାଳିଦେଲେ ୧୦ ରୁ ଉର୍ଦ୍ଧ୍ୱ ଦୋକାନ ଘର, ୧୮ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଗତକାଲି ରାତିରେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଓରାଳି ଛକ ଠାରେ ସୀମା ବିବାଦରୁ ବିସ୍ଫୋରକ ପରିସ୍ଥିତି ଦେଖାଦେଇଛି । ସଂଘବଦ୍ଧ ଆକ୍ରମଣରେ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବାବେଳେ ୧୦ ରୁ ଉର୍ଦ୍ଧ୍ୱ ଦୋକାନ ଘରକୁ ଜାଳିଦିଆଯାଇଥିବାର ଜଣାଯାଇଛି । ଏଥିରେ ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଭଦ୍ରକ-କେନ୍ଦୁଝର ଜିଲାର ସୀମାବର୍ତ୍ତୀ ଅଂଚଳ ଓରାଳି ଛକ ଠାରେ । ଆହତ ହୋଇଥିବା ସମସ୍ତ ବ୍ୟକ୍ତିମାନେ ଭଦ୍ରକ ଜିଲା ବନ୍ତ ଥାନା ଅଧୀନସ୍ଥ ଆପଣ୍ଡା ଗ୍ରାମର ହୋଇଥିବାବେଳେ ଓରାଳି ଛକରେ ଜାଳିଦିଆଯାଇଥିବା ଦୋକାନ ଗୁଡିକ ସେମାନଙ୍କର ବୋଲି ଜଣାଯାଇଛି । ଗତକାଲି ରାତି ପ୍ରାୟ ୮.୩୦ ମିନିଟ୍‌ରେ ଗଣ୍ଡଗୋଳ ଆରମ୍ଭ ହୋଇ ଦୀର୍ଘଘଣ୍ଟା ଧରି ଚାଲିଥିଲା । ଓରାଳି ଅଂଚଳର ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ସଂଘବଦ୍ଧ ଭାବେ ଆସି ଆପଣ୍ଡା ଅଂଚଳର ଲୋକଙ୍କୁ ଆକ୍ରମଣ କରିବା ସହିତ ସେମାନଙ୍କର ଦୋକାନ ଓ ଚାରି-ଦୁଇ ଚକିଆରେ ନିଆଁ ଲଗାଇଥିବାର ଅଭିଯୋଗ ହୋଇଛି । ଗଣ୍ଡଗୋଳ ମଧ୍ୟରେ ବିଭିନ୍ନ ଦୋକାନରୁ ବହୁ ସାମଗ୍ରୀ ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଆହତ ବ୍ୟକ୍ତିମାନେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଦୋକାନ ଗୁଡିକରେ ନିଆଁ ଲାଗିବା ପରେ ଆଗରପଡା ଓ ନନ୍ଦିପଦା ଦମକଳ ବାହିନୀ ସମେତ ବନ୍ତ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚଥିଲା ।

ଉତ୍ତ୍ୟକ୍ତ ଲୋକେ ଦମକଳ ବାହିନୀକୁ ନିଆଁ ଲିଭାଇବାକୁ ଛାଡିନଥିବାବେଳେ ପୁଲିସ୍‌କୁ ମଧ୍ୟ ଘଟଣାସ୍ଥଳକୁ ଯିବାକୁ ଦେଇନଥିଲେ । ପରେ ନନ୍ଦିପଦା ଆଗରପଡା ଓ ବନ୍ତ ପୁଲିସ୍ ସମେତ ଏକ ପ୍ଲାଟୁନ ପୁଲିସ୍ ଫୋର୍ସ ପହଞ୍ôଚ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲା । ଗତକାଲି ରାତିରେ ଭଦ୍ରକ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ଉପଜିଲାପାଳ ମନୋଜ ପାତ୍ର, ବନ୍ତ ଅତିରିକ୍ତ ତହସିଲଦାର ବିନିତାରିଣୀ କୁସ୍କୁ ଘଟଣା ସ୍ଥଳରେ ପହଞ୍ôଚ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଆଜି ସକାଳ ଠାରୁ ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୁଲସ୍ ଫୋର୍ସ ମୁତୟନ ହୋଇଛନ୍ତି । ଏଠାରେ ପ୍ରକାଶ ଥାଉକି ଦୀର୍ଘବର୍ଷରୁ ଓରାଳି ଛକ କୁହାଯାଉଥିବା ସ୍ଥାନଟି ଗତ କିଛିଦିନ ପୂର୍ବରୁ ଆପଣ୍ଡା ଆରଆଇଙ୍କ ଉପସ୍ଥିତିରେ ସୀମା ନିର୍ଦ୍ଧାରଣ କରାଯିବା ପରେ ଏହା ଭଦ୍ରକ ଜିଲା ବନ୍ତ ତହସିଲ ଆପଣ୍ଡା ଗ୍ରାମର ବୋଲି ଜଣାପଡିଥିଲା । ଶନିବାର ରାତିରେ ଆପଣ୍ଡା ଗ୍ରାମର କେତେକ ବ୍ୟକ୍ତି ଓରାଳି ଛକରେ ଆପଣ୍ଡା ଗ୍ରାମର ନାମଫଳକ ଲଗାଉଥିବାବେଳେ ଓରାଳି ଅଂଚଳର ଶତାଧିକ ବ୍ୟକ୍ତି ସଂଘବଦ୍ଧ ଭାବେ ଆସି ସେମାନଙ୍କୁ ବିରୋଧ କରିବାରୁ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ବନ୍ତ ପୁଲିସ୍ ୬ ଜଣକୁ ଗିରଫ କରିଥିବାର ଜଣାଯାଇଛି । ଏହି ଘଟଣା ପରେ ଆପଣ୍ଡା ଛକରୁ ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୧୮ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜଣାପଡିଛି ।