Odiapua.com

ସୀମା ନିର୍ଦ୍ଧାରଣ ସମସ୍ୟାକୁ ନେଇ ୩ ବର୍ଷ ହେବ ପିଏମ୍‌ଜିଏସ୍‌ୱାଇ ରାସ୍ତା କାର୍ଯ୍ୟ ଅଧାପନ୍ତରିଆ, ତିହିଡି ଓ ଭଦ୍ରକ ବ୍ଲକ୍‌ର ୨ ପଂଚାୟତବାସୀଙ୍କ ଆମରଣ ଅନଶନ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୁଇଟି ପଂଚାୟତକୁ ସଂଲଗ୍ନ କରୁଥିବା ରାସ୍ତା ଦୀର୍ଘ ୩ ବର୍ଷ ହେବ ଅଧାପନ୍ତରିଆ ଅବସ୍ଥାରେ ରହିବା ନେଇ ଆଜି ସ୍ଥାନୀୟ ସରପଞ୍ଚଙ୍କ ସମେତ ବହୁ ଗ୍ରାମବାସୀ ପୂର୍ବ ଘୋଷଣା ମତେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏ ସଂପର୍କରେ ଦୋଳସାହି ଗ୍ରାମପଞ୍ଚାୟତର ସରପଞ୍ଚ ମିନତୀଲତା ଦାସ, ଅକ୍ଷୟ କୁମାର ପଣ୍ଡା, ରବିନାରାୟଣ ପାଣିଗ୍ରାହୀ, ଯଶୋବନ୍ତ ଗିରିଙ୍କ ନେତୃତ୍ୱରେ ଉଭୟ ପଂଚାୟତବାସୀ ଜିଲାପାଳ ତ୍ରିଲୋଚନ ମାଝୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଦାବିପତ୍ର ମୂଳେ ସେମାନେ ତିହିଡି ଓ ଭଦ୍ରକ ବ୍ଲକ୍ ଅଧୀନସ୍ଥ ଦୋଳସାହି ଓ କେଦାରପୁର ପଂଚାୟତର ଅଧିବାସୀ ଅଟନ୍ତି । ଇତିମଧ୍ୟରେ ରାଢଙ୍ଗ, ଗାଜିପୁର ଓ ସେରପୁର ଗ୍ରାମ ମଧ୍ୟ ଦେଇ ଗୋରାମାଟି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପ୍ୟାକେଜ୍ ନଂ ଓଆର-୦୪-୩୦୬-ବି-୧ ରେ ୨୦୧୮-୧୯ ଆର୍ଥିକ ବର୍ଷର ରାସ୍ତାକାର୍ଯ୍ୟ ୩ ବର୍ଷ ହେବ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ମାତ୍ର ୧୦ ଫୁଟ୍ ଓସାର କଂକ୍ରିଟ୍ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ । ରାସ୍ତା କାର୍ଯ୍ୟ ପାଇଁ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ ୨୦୧୯ ମସିହାରୁ ଅଦ୍ୟାବଧି ବିଭିନ୍ନ ସମୟରେ ଭଦ୍ରକ ଓ ତିହିଡି ତହସିଲକୁ ଚିଠି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ଦୁଇ ତହସିଲ ରାସ୍ତାର ସୀମା ନିର୍ଦ୍ଧାରଣ କରି ଜବରଦଖଲକାରୀଙ୍କୁ ହଟାଯାଇପାରିନାହିଁ । ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଭଦ୍ରକଙ୍କୁ ଜମି ହସ୍ତାନ୍ତର କରାଯାଇନାହିଁ । ଏ ସଂପର୍କରେ ଦୁଇପଂଚାୟତବାସୀ ଜିଲାପାଳ ଏବଂ ଉଭୟ ତହସିଲଦାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

ପଂଚାୟତବାସୀଙ୍କ ଅଭିଯୋଗ ମୂଳେ ଭଦ୍ରକ ତହସିଲ ସେରପୁର ମୌଜାର କେତେକ ପ୍ଲଟ୍ ନିକଟରେ ଜମି ମାଲିକ ବୈଲୋଚନ ଗିରି ଓ କମଳାକାନ୍ତ ଗିରି ରାସ୍ତାକାର୍ଯ୍ୟ ଚାଲୁଥିଲାବେଳେ ତାହା ବନ୍ଦକରି ବିନା କାରଣରେ ଦୁଇ ପଂଚାୟତ ଅଧିବାସୀଙ୍କୁ ଥାନା ଓ କୋର୍ଟର ସମନ ଜାରି କରି ହଇରାଣ ହରକତ କରିଆସୁଛନ୍ତି । ଏ ବିଷୟରେ ଗତ ନଭେମ୍ବର ୧୫ ତାରିଖରେ ଜିଲାପାଳ ଓ ଭଦ୍ରକ ତହସିଲଦାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଭଦ୍ରକ ତହସିଲଦାର ରାସ୍ତାର ସୀମା ନିର୍ଦ୍ଧାରଣ କରି ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ଗତ ଡିସେମ୍ବର ୬ ଓ ୩୦ ତାରିଖରେ ପତ୍ର ଲେଖିଥିବାବେଳେ ବିଭାଗୀୟ କର୍ମଚାରୀମାନେ ଦୁଇ ପଂଚାୟତ ଅଧିବାସୀଙ୍କୁ ଉପସ୍ଥିତ ରହିବା ପାଇଁ କହି ସୀମା ଚିହ୍ନଟ ନକରି ଭୁଆଁ ବୁଲାଇ ଚାଲିଛନ୍ତି । ଫଳରେ ଏହି ଦୁଇଟି ପଂଚାୟତକୁ ବିପଦ ସମୟରେ କୌଣସି ଆମ୍ବୁଲାନ୍ସ, ଦମକଳ ଯିବାଆସିବା କରିନପାରିବାରୁ ଲୋକମାନେ ଜରୁରୀ କାଳୀନ ସେବାରୁ ବଂଚିତ ହୋଇଆସୁଛନ୍ତି । ଏବଂ ଛାତ୍ରଛାତ୍ରୀ ଓ ଏହି ଦୁଇଟି ପଂଚାୟତର ପରିବା ଚାଷୀମାନେ ସେମାନଙ୍କର ଉତ୍ପନ୍ନ ଦ୍ରବ୍ୟ ପରିବହନ କରିନପାରି ନାନା ଦୁଃଖ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି । ଏଣୁ ଏ ସଂପର୍କରେ ଉଭୟ ପଂଚାୟତର ଅଧିବାସୀ ଜିଲାପାଳଙ୍କୁ ଜଣାଇ କୌଣସି ନ୍ୟାୟ ନପାଇବାରୁ ବାଧ୍ୟହୋଇ ପୂର୍ବ ଘୋଷଣା ମତେ ଆଜି ଅନଶନ କରିବାକୁ ବାଧ୍ୟ ହେଉଥିବା ବିଷୟ ଉକ୍ତ ପତ୍ରରେ ଦର୍ଶାଯାଇଛି । ତେବେ ଜିଲାପାଳ ଶ୍ରୀ ମାଝୀ ଏହି ଘଟଣାରେ ଉଭୟ ତହସିଲଦାରଙ୍କୁ ଡକାଇ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଛି । ମାତ୍ର ଏହା ସପ୍ତାହକ ମଧ୍ୟରେ ସମାଧାନ ନହେଲେ ପୁନର୍ବାର ଅନଶନକାରୀମାନେ ବାଧ୍ୟହୋଇ ସେମାନଙ୍କର ଆମରଣ ଅନଶନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।