Odiapua.com

ସୀମା ଟପିଲା ଚାକିରିଆ ସ୍ୱାମୀର ନିର୍ଯାତନା : ନ୍ୟାୟ ପାଇଁ କୋର୍ଟ ସମ୍ମୁଖରେ ମହିଳାଙ୍କ ଧାରଣା

ବାଲେଶ୍ୱର, ୨୫-୭ (ଓଡ଼ିଆ ପୁଅ/ଅଭୟ ଦାସ): ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ପ୍ରତାରକ ସ୍ୱାମୀ ଦ୍ୱାରା ନିର୍ଯାତନାର ଶିକାର ପତ୍ନୀ ନ୍ୟାୟ ପାଇଁ ବାଲେଶ୍ୱର ଏସଡିଜେଏମଙ୍କ କୋର୍ଟ ସମ୍ମୁଖରେ ଧାରଣା ଦେବା ଭଳି ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା। ମହିଳା ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ସୁଏଲପୁର ଅଞ୍ଚଳର ରାମେଶ୍ୱର ବେହେରାଙ୍କ ପତ୍ନୀ ସାଗରିକା ବେହେରା(୩୮)। ଷ୍ଟେଟ ବ୍ୟାଙ୍କ ଜିଲ୍ଲା ମୁଖ୍ୟ ଶାଖାରେ କାର୍ଯ୍ୟରତ ଥିବା କର୍ମଚାରୀ ସ୍ୱାମୀ ଶ୍ରୀ ବେହେରାଙ୍କ ସମେତ ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ନେଇ ସାଗରିକାଙ୍କ ହସଖୁସୀର ସଂସାର ଚାଲିଥିବା ବେଳେ ୨୦୧୮ ମସିହାରେ ଉପୁଜିଥିଲା ସାଂସାରିକ କଳହ। ସ୍ୱାମୀ ଅନ୍ୟଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି ଯୋଗୁଁ ସାଗରିକା ଓ ତାଙ୍କର ପିଲାଙ୍କୁ ଅଣଦେଖା କରିଚାଲିଥିବା ସେ ପ୍ରକାଶ କରିଛନ୍ତି। ନିୟମିତ ତାଙ୍କୁ ଦେଉଥିବା ଶାରୀରିକ ଓ ମାନସିକ ନିର୍ଯାତନା ଅସହ୍ୟ ହେବା ଫଳରେ ସେ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଥାନାର ପୁଲିସ ତାଙ୍କ ପ୍ରତି ସମ୍ବେଦନଶୀଳ ହେବା ପରିବର୍ତ୍ତେ ସ୍ୱାମୀଙ୍କୁ ସମର୍ଥନ କରିବା ଫଳରେ ସେ ନ୍ୟାୟ ପାଇନଥିଲେ। ତେବେ ଥାନାରେ ଅଭିଯୋଗ କରିବା ଦିନଠାରୁ ନିର୍ଯାତନାର ମାତ୍ରା ବୃଦ୍ଧି ସହିତ ସାଗରିକାଙ୍କୁ ସ୍ୱାମୀ ଶ୍ରୀ ବେରା ଘରୁ ବାହାର କରିଦେଇଥିବା ସେ କହିଛନ୍ତି। ପରେ ସେ ପରିବାର ଅଦାଲତ ଯିବା ପରିବର୍ତ୍ତେ ୨୦୧୯ ମସିହା ଡିସେମ୍ବର ୫ ତାରିଖରେ ବାଲେଶ୍ୱର ଏସଡିଜିଏମ କୋର୍ଟରେ୧୬୭/୨୦୧୯ ନଂର ଏକ ମକଦମା ଦାଏର କରିଥିଲେ। ଏହି ବିଳମ୍ବିତ ପ୍ରକ୍ରିୟାରେ ଚାଲିଥିବା ଏହି ମାମଲାର ବିଚାର ଶେଷ ହୋଇ ନଥିବା ବେଳେ ସାଗରିକାଙ୍କ ଆର୍ଥିକ ସ୍ଥିତି କ୍ରମଶଃ ସଙ୍ଗୀନ ହୋଇପଡ଼ିଥିବା ସେ କହିଛନ୍ତି। ପାଠପଢ଼ୁଥିବା ପୁଅଝିଅଙ୍କ ଖର୍ଚ୍ଚ, ଘର ଖର୍ଚ୍ଚ ଏମିତିକି ଘରଭଡ଼ା ଦେବା ପାଇଁ ତାଙ୍କ ନିକଟରେ ଟଙ୍କାଟିଏ ନାହିଁ। ପାଉଥିବା ଦରମା ଅର୍ଥରୁ ସ୍ୱାମୀ ଟଙ୍କାଟିଏ ଦେଉ ନଥିବା ବେଳେ ପରିବାର ଚଳିବା ଅତ୍ୟନ୍ତ କଷ୍ଟକର ହୋଇଥିବା ସେ କହିଛନ୍ତି। ଶେଷରେ ଅନ୍ୟ ଉପାୟ ନ ପାଇ ସେ ଦୁଇ ପୁଅଝିଅଙ୍କ ସହ କୋର୍ଟ ଆଗରେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି ସାଗରିକା କହିଛନ୍ତି। ତେବେ ଦୀର୍ଘ ସମୟ ଧାରଣା ଦେବା ପରେ ଶେଷରେ ସେ ଉଠିଯାଇଥିବା ଦେଖିବାକୁ ମିଳିଥିଲା।