କେନ୍ଦ୍ରାପଡା ୨୩/୮(ଚିତ୍ତରଞ୍ଜନ ଦାସ)- ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି-ପି-ଆଇ-) କେନ୍ଦ୍ରାପଡା-ଡେରାବିଶି ଜୋନାଲ କମିଟି ପକ୍ଷରୁ କେନ୍ଦ୍ରାପଡା ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ୧୦ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। କରୋନା ମହାମାରୀ ମୁକାବିଲା ନାମରେ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ/ସଟଡାଉନ ଘୋଷଣା କରି ସାଧାରଣ ଲୋକଙ୍କୁ ଘରେ ବନ୍ଦି କରି ରଖି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ପେଟ୍ରୋଲ -ଡିଜେଲର ଦରବୃଦ୍ଧି ସହିତ ବିଭିନ୍ନ ପ୍ରକାରର ଶ୍ରମିକ, କୃଷକ ବିରୋଧୀ ଆଇନ ପ୍ରଣୟନ କରି ଚାଲିଛନ୍ତି। ସାଧାରଣ ଲୋକ ଏହାର ପ୍ରତିବାଦ କରିବାକୁ ଗଲାବେଳେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ବେଆଇନ ଘୋଷଣା କରି କେଶ ମଧ୍ୟ ଲଦି ଦିଆଯାଉଛି। ଶ୍ରମ ଆଇନକୁ ବଦଳାଇ ୮ଘଂଟା ବଦଳରେ ୧୨ଘଂଟା କରାଯିବା, ୧୯୫୫ମସିହାର ଅତ୍ୟାବଶ୍ୟକ ଆଇନକୁ ପରିବର୍ତ୍ତନ କରି ଚାଷୀଙ୍କ ମୁଣ୍ଡରେ ଚଡକ ପକାଇବା ଭଳି ଆଇନ ଆଣିଛନ୍ତି। ଦେଶର ଲାଭଦାୟକ ଶିଳ୍ପକୁ ଏହି ସମୟ ମଧ୍ୟରେ ଘରୋଇ କମ୍ପାନୀକୁ ବିକ୍ରୀ କରି ସମସ୍ତ ଯୋଜନା କେନ୍ଦ୍ର/ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏ ସମସ୍ତ ପ୍ରସଙ୍ଗରୁ ଦେଶର ସମ୍ବିଧାନ ସୁରକ୍ଷା ସହିତ ମେହନତି ମଣିଷକୁ ରକ୍ଷା କରିବା ପାଇଁ ସି-ପି-ଆଇ-ପକ୍ଷରୁ ଦଶଟି ଦାବି କରାଯାଇଛି। ଦାବି ଗୁଡିକ ମଧ୍ୟରେ ୧୯୫୫ମସିହାର ନିତ୍ୟ ବ୍ୟବହାର୍ଯ୍ୟ ଆଇନ ପ୍ରତ୍ୟାହାର କରାଯିବା ବନ୍ଦ କରାଯିବା, କେନ୍ଦ୍ରାପଡା ତହସିଲ ଅଂଚଳରେ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କେଉଁ ପ୍ରକାର ନିଯୁକ୍ତି ଦିଆଯାଇଛି ସେ ସମ୍ପର୍କରେ ସାଧାରଣରେ ଅବଗତ କରାଯିବା, ସ୍କିମ କର୍ମଚାରୀ ଯଥା ଆଶାକର୍ମୀ ଓ ଅଙ୍ଗନୱାଡକର୍ମୀମାନଙ୍କୁ କାମ ଅନୁସାରେ ପାରିଶ୍ରମିକ ପ୍ରଦାନ କରାଯିବା, ଗତ ଫନି ବାତ୍ୟାର କ୍ଷତିପୁରଣ ଓ ଅଦିନିଆ ଲଘୁଚାପ ବର୍ଷାର ମୁଗର କ୍ଷତି ଚାଷୀମାନଙ୍କୁ କାହିଁକି ପ୍ରଦାନ କରାଯାଇନାହିଁ ସେ ସମ୍ପର୍କରେ ସ୍ପଟିକରଣ ଦିଆଯିବା, ପ୍ରବାସୀ ଶ୍ରମିକ ଓ କେନ୍ଦ୍ରାପଡାର ଯୁବକଙ୍କ ନିଯୁକ୍ତି ପାଇଁ ସରକାର ଘୋଷଣା କରିଥିବା ନଦୀ ଭିତିକ ବନ୍ଦର ତୁରନ୍ତ ଆରମ୍ଭ କରାଯିବା, ଜଳ ନିଷ୍କାସନ ବ୍ୟବସ୍ଥା ଗ୍ରହଣ କରାଯାଇ ଚାଷୀଙ୍କ ଫସଲର ସୁରକ୍ଷା ଦିଆଯିବା ସହ ବୀମାଭୁକ୍ତ ହୋଇନଥିବା ଚାଷୀଙ୍କୁ ବୀମାକରିବାର ସୁଯୋଗ ପ୍ରଦାନ କରାଯାଉ, ଗ୍ରାମମାନଙ୍କରେ ଶିକ୍ଷକମାନଙ୍କ ଦ୍ୱାରା ପାଠ ପଢାଇବାର ବ୍ୟବସ୍ଥା କରାଯିବା, ମହିଳାଙ୍କ ଉପରେ ମାଇକ୍ରୋଫାଇନାନ୍ସ କମ୍ପାନୀ ଦ୍ୱାରା କରାଯାଉଥିବା ଜୁଲମ ବନ୍ଦ କରାଯିବା, ଏ-ପି-ଏଲ- ଓ ବି-ପି-ଏଲ-ବାଛ ବିଚାର ନକରି ସମସ୍ତ ପରିବାରକୁ ୧୦କିଲୋ ଖାଦ୍ୟଶସ୍ୟ ପ୍ରଦାନ କରାଯିବା ଓ ପ୍ରବାସୀ ଶ୍ରମିକମାନଙ୍କୁ ୬ମାସ ପର୍ଯ୍ୟନ୍ତ ମାସିକ ୭ହଜାର ୫ଶହ ଟଙ୍କା ସହାୟତା ପ୍ରଦାନ କରାଯିବା ପ୍ରଭୃତି ଦାବି ରହିଛି। ସି-ପି-ଆଇର ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସମାବେଶ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସତ୍ୟନାରାୟଣ ଜେନା, ଜୋନ ସମ୍ପାଦିକା ସୁବାସିନୀ ଭଦ୍ର, ବାବାଜୀ ଧଳ, ଆଲୋକ କୁମାର ମଲ୍ଲିକ, ନିରଞ୍ଜନ ଦାଶ, ସଂଯୁକ୍ତା ରାଉତ, ପ୍ରିୟଙ୍କା ବେହେରା, ନନ୍ଦିନୀ ସ୍ୱାଇଁ, କୁବେର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।