ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଶତବାର୍ଷିକ ସମାରୋହ ଅବସରରେ ୨୩ତମ ଚାନ୍ଦବାଲି ଜୋନ୍ ସମ୍ମିଳନୀ ମତୋରେ ବୈପ୍ଳବିକ ଉତ୍ସାହ ଓ ଉଦ୍ଦୀପନାରେ ଅନୁଷ୍ଠିତ ହୋଇଯାଇଛି । ଶୋଷିତ, ବଂଚିତ, ଓ ଶ୍ରମିକ କୃଷକଙ୍କ ସଂଗ୍ରାମକୁ ନୂତନ ଗତି ଦେବା ଲକ୍ଷ୍ୟରେ ଏହି ସମ୍ମିଳନୀ ଅନେକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତମୂଳକ ଆଲୋଚନା ଓ ସଂକଳ୍ପରେ ପରିପୂର୍ଣ୍ଣ ଥିଲା ।ସମ୍ମିଳନୀରେ କ. କୃଷ୍ଣଚନ୍ଦ୍ର ମହାନ୍ତି ଓ କ. ବେଣୁଧର ନାୟକଙ୍କୁ ନେଇ ଦୁଇଜଣିଆ ସଭାପତିମଣ୍ଡଳୀର ସଂଚାଳନରେ ସମ୍ମିଳନୀ ଆରମ୍ଭ ହୋଇଥିଲା । ବର୍ଷିୟାନ କୃଷକନେତା କ. ବେଣୁଧର ନାୟକଙ୍କ ଦ୍ୱାରା ବିପ୍ଳବର ପ୍ରତୀକ ଲାଲପତାକା ଉତୋଳନ କରି ସଂଗ୍ରାମର ଐତିହାସିକ ଧାରାକୁ ସ୍ମରଣ କରାଇଥିଲେ. ଜିଲ୍ଲା ସହ-ସଂପାଦକ କ. ବିମ୍ବାଧର ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ରାଜ୍ୟ ଓ ଜାତୀୟ ରାଜନୈତିକ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ । ଶ୍ରମିକଙ୍କ ଉପରେ ପୁଞ୍ଜିବାଦୀ ଶୋଷଣ,କୃଷି ସଙ୍କଟ, ଦରବୃଦ୍ଧି, ବେକାରୀ ସମେତ ବିପୁଳ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ ଏବଂ ଏସବୁର ମୁକାବିଲା ପାଇଁ ଜନସାଧାରଣ ଙ୍କୁ ଏକଜୁଟ ହୋଇ ସଂଗ୍ରାମ କରିବାକୁ ଆହ୍ୱାନ କରିଥିଲେ । ଅଖିଳ ଭାରତ ଛାତ୍ରସଂଘର ରାଜ୍ୟ ସଂପାଦକ କ. କାହ୍ନୁଚରଣ ପରିଡ଼ା ପାର୍ଟିର ଶତବର୍ଷୀୟ ଇତିହାସ ଓ ତ୍ୟାଗ-ତପସ୍ୟାର ଐତିହ୍ୟ ଉପରେ ପ୍ରଭାବଶାଳୀ ବକ୍ତବ୍ୟ ରଖିଥିଲେ । ଜୋନ୍ ସଂପାଦକ କ. ଅନନ୍ତ ମହାନ୍ତି ସାଂଘଠନିକ ଓ ରାଜନୈତିକ ରିପୋର୍ଟ ଉପସ୍ଥାପନ କରିଥିଲେ । ସମ୍ମିଳନୀରେ ଆଗାମୀ ତିନିବର୍ଷ ପାଇଁ ୧୭ଜଣିଆ ନୂଆ ଜୋନ୍ କମିଟି ଗଠନ କରାଯାଇଥିଲା । କ. ଭାଗୀରଥି ରାଉଳଙ୍କୁ ଜୋନ୍ ସଂପାଦକ ଓ କ. ଅମରେନ୍ଦ୍ର ମହାନ୍ତିଙ୍କୁ ସହ-ସଂପାଦକ ଭାବେ ନିର୍ବାଚିତ କରାଗଲା । ଏହି ନୂତନ ନେତୃତ୍ୱ ଜନସାଧାରଣ ଙ୍କ ସଂଗ୍ରାମକୁ ନୂତନ ଶକ୍ତି ଓ ଗତି ପ୍ରଦାନ କରିବ ବୋଲି ବିଶ୍ୱାସ ରହିଛି । ସମ୍ମିଳନୀରେ କ. ସଞ୍ଜୟ ଓଝା, କ. ଗୌରହରି ରାଉଳ, କ. ବୀର ପାତ୍ର, କ. ଗଦାଧର ପଣ୍ଡା, କ. ଜୟକୃଷ୍ଣ ମହାନ୍ତି, କ. ବେଣୁଧର ନାୟକ, କ. କୃଷ୍ଣଚନ୍ଦ୍ର ମହାନ୍ତି, କ. ସୁଲୋଚନା ମହାଳିକ ପ୍ରମୁଖ ନେତାମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ଶେଷରେ ସମ୍ମିଳନୀ ସଫଳ ପାଇଁ କମ୍ରେଡ଼ ସଞ୍ଜୟ ଓଝା ଧନ୍ୟବାଦ ଜ୍ଞାପନ କରିଥିଲେ । ଶୋଷଣମୁକ୍ତ, ସମତାମୂଳକ ସମାଜ ଗଠନର ଲକ୍ଷ୍ୟକୁ ନେଇ ଆଗୁଆ ହେବାର ସଂକଳ୍ପ ସହିତ ସମ୍ମିଳନୀ ସମାପ୍ତ ହୋଇଥିଲା ।