ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶାରେ ବିଜେପି ସରକାର କ୍ଷମତାକୁ ଆସିବା ପରେ “ବିନାଶ ର ଧାରା ଓଡିଶା ସାରା ” ସଂପୂର୍ଣ୍ଣ ପରିଲିକ୍ଷିତ ହୋଇଛି ବୋଲି ସିପିଆଇ(ଏମ) ଜିଲ୍ଲା କମିଟି ମତବ୍ୟକ୍ତ କରିଛି । ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ସ୍ୱାସ୍ଥ୍ୟସେବା ରେ ଚରମ ଅବନ୍ନତି, ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ପ୍ରାୟ ୨୨୦୦ ତ୍ରୁଟି, ପେଟ୍ରୋଲ, ଡିଜେଲ, ସିଏନଜି ଓ ଜାଳେଣି ଗ୍ୟାସର ସଂକଟ, ଭତା ନପାଇ ବୃଦ୍ଧ ବୃଦ୍ଧା ଆତ୍ମହତ୍ୟା କରିବା, ଧାନର ଅଭାବୀ ବିକ୍ରି ଓ ଚାଷୀ ଆତ୍ମହତ୍ୟା, ଏମ୍ ଜି ଏନ୍ ଆର ଇଜିଏ ଆଇନ ରଦ୍ଦ, ଶ୍ରମିକ ସପକ୍ଷବାଦୀ ଶ୍ରମ ଆଇନ ବାତିଲ କରିବା ଆଦି ଜନବିରୋଧି କାର୍ଯ୍ୟକ୍ରମ ବିଜେପିର “ବିନାଶ ର ଧାରା ଓଡିଶା ସାରା ” ଓ “ବିନାଶର ଧାରା- ଭାରତ ସାରା” କୁ ପ୍ରତିଫଳିତ କରୁଛି । ଗତ ୨ ବର୍ଷରେ ଆମ ରାଜ୍ୟରେ ୬୦୦୦୦ କୋଟି ଟଙ୍କା ଅଧିକ ଋଣ କରିବା, ରାଜ୍ୟର ୧୪ ଟି ଖଣିକୁ ବହୁଜାତୀୟ କଂପାନୀ ଗୁଡିକୁ ବିକ୍ରି କରିବା, ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବା, ଭୁବନେଶ୍ୱରରେ ଅବସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ବିକ୍ରି, ଦୈତାରୀ- ପାରାଦ୍ୱୀପ ଏକ୍ସପ୍ରେସ୍ ରାଜପଥ ଘରୋଇକରଣ, କଳିଙ୍ଗ ଅଶୋକା ହୋଟେଲ ଓ ପୁରୀରେ ଅବସ୍ଥିତ ବିଏନଆର ହୋଟେଲ ବିକ୍ରି ଘଟଣା ବିଜେପି ସରକାର ଙ୍କ ଅପାରଗତା ଓ ବିନାଶର ଧାରାକୁ ପଦାରେ ପକାଇଛି ବୋଲି ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ ଭଦ୍ରକରେ ଅନୁଷ୍ଠିତ ସିପିଆଇ(ଏମ) କର୍ମୀ ସଭାରେ ପ୍ରକାଶ କରିଥିଲେ । ରାଜ୍ୟରେ ବିକାଶ ମୂଳକ କାର୍ଯ୍ୟ ପରିବର୍ତେ କେବଳ କଂଗ୍ରେସ ଓ ବିଜେଡି ସରକାର ନିର୍ମାଣ କରିଥିବା ଭିତିଭୂମି ଉପରେ ବିଜେପି ସରକାର କେବଳ ରଙ୍ଗ ମାରିଛି ଓ ପ୍ରକଳ୍ପ ଗୁଡିକର ନାମ ବଦଳାଇଛି ବୋଲି ସିପିଆଇ(ଏମ) ରାଜ୍ୟ ନେତା ଶ୍ରୀ ଦାସ ପ୍ରକାଶ କରିଥିଲେ । ରାଜ୍ୟର ଶିକ୍ଷିତ ଯୁବକ ଯୁବତୀ କାମ ନପାଇ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ପ୍ରତ୍ୟେକ ଦିନ ଯାଉଥିବା ବେଳେ ରାଜ୍ୟର କୋଟି କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ କରି ବିଜେପି କେବଳ ଉତ୍ସବ ପାଳନ କରିବା ଦୁର୍ଭାଗ୍ୟ ବୋଲି ସିପିଆଇ(ଏମ) ଉଦବେଗ ପ୍ରକାଶ କରିଛି । ବିଜେପିର ଏହି କୁକର୍ମ ଓ ଅପାରଗତା ବିରୁଦ୍ଧରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ପରାସ୍ତ କରି ସିପିଆଇ(ଏମ)ର ଶକ୍ତି ବୃଦ୍ଧି କରିବାକୁ ସିପିଆଇ(ଏମ) କର୍ମୀ ସଭାରେ ରାଜ୍ୟ ନେତା ସନ୍ତୋଷ ଦାସ ଆହ୍ୱାନ ଜଣାଇଥିଲେ । ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମୀ ସଭାରେ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ରାଧାନାଥ ଦାସ, ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ମଳୟ ଭୋଇ, କାଳନ୍ଦୀ ପାତ୍ର, ଜୟନୂଲ ଆବେଦିନ, ଗୟାଧର ସାହୁ, ଗିରିଧାରୀ ନାଥ, ବରିଷ୍ଠ ନେତା ନିରଞ୍ଜନ ପାଣି, ଗୌରାଙ୍ଗ ଯେନା, ସେକ୍ ସନାଉଲ୍ଲା, ମହିଳା ନେତ୍ରୀ ସୁରଜିତା ନାୟକ ପ୍ରମୁଖ ପାର୍ଟିର ସାଂଗଠନିକ ଶକ୍ତି ବୃଦ୍ଧି ସଂପର୍କରେ ଆଲୋଚନା କରିଥିଲେ । ଆସନ୍ତା ଜୁଲାଇ ୧ ରେ ଏମ୍ ଏନ୍ ଆର ଇଜିଏ ଆଇନ ର ପୁନଃ କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ଓ ଆସନ୍ତା ଅଗଷ୍ଟ ୧୦ ତାରିଖରେ ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱ ର ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜେଲ୍ ଭରୋ ଆନ୍ଦୋଳନ କରାଯିବା ପାଇଁ କର୍ମୀ ସଭାରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି କର୍ମୀସଭାରେ ଜିଲ୍ଲାର ବିଭିନ୍ନ ପଂଚାୟତରୁ ଶତାଧିକ କର୍ମୀ ଅଂଶଗ୍ରହଣ କରିଥିଲେ ।