Odiapua.com

ସିପିଆଇଏମ୍ ଦଳ ପକ୍ଷରୁ ୟୁପିର ଦଳିତ ମହିଳା ପରିବାରକୁ ନ୍ୟାୟଦେବା ଓ ବର୍ଦ୍ଧିିତ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସିପିଆଇଏମ୍‌, ସିଟୁ, ମହିଳା ସମିତି ଓ ରାସ୍ତାପାଶ୍ୱର୍ ଦୋକାନୀ ସଂଘ ପକ୍ଷରୁ ଶତାଧିକ ମହିଳା ଓ ଶ୍ରମଜୀବୀ ଉତ୍ତରପ୍ରଦେଶର ହାଥରସର ଦଳିତ ଯୁବତୀ ଦୁଷ୍କର୍ମ ଓ ହତ୍ୟା ଘଟଣାର ଦୋଷୀଙ୍କୁ ଦଣ୍ଡଦେବା, ଉକ୍ତ ପରିବାର ତଥା ସାକ୍ଷୀମାନଙ୍କୁ ସୁରକ୍ଷା ଦେବା ସହ ଉଚ୍ଚତମ ନ୍ୟାୟାଳୟର ଜଣେ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଏବଂ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଦାବିପତ୍ର ପ୍ରଦାନ କରିଥିଲେ । ରବି ନାୟକ, ନିରଂଜନ ପାଣି, ବିକାଶ ନାଥ, ସେକ୍ କମର, ଶାନ୍ତି ମୁଣ୍ଡା, ରୋଜାଲିନ୍ ସାମ୍ୟବାଦୀ, ସେକ୍ ବାଲୁ, ସୁବାସୀ ମୁଣ୍ଡା, ପ୍ରତାପ ସେଠୀ, ବସନ୍ତ ପାଣିଗ୍ରାହୀ, ବିକ୍ରମ ନାୟକ, ସୂର୍ଯ୍ୟ ନାୟକ, ଗିରିଧାରୀ ନାଥ, ନାରାୟଣ ଲେଙ୍କା, କୁନା ମାଝୀ, ଜଏନୁଲ ଆବେଦିନ, ଅଭିମନ୍ୟୁ ସେଠୀ, ଲକ୍ଷ୍ମୀ ମୁଣ୍ଡା, ସୁରୁଜି ମୁଣ୍ଡାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ସେଠାରେ ଏକ ପ୍ରତିବାଦ ସଭା ବିକାଶ ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦଳର ଜିଲା ସଂପାଦକ ଦିବ୍ୟସିଂହ ନାୟକ, ନିରଂଜନ ପାଣି, ଗିରିଧାରୀ ନାଥ ଓ ରବି ନାୟକ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା ପୂର୍ବକ ନବୀନ ପଟ୍ଟନାୟକ ସରକାର କରୋନା ମହାମାରୀ ବେଳେ ଓଡ଼ିଶାର ବ୍ୟବସାୟୀ, ଚାଷୀ ମୂଲିଆ ଓ ସର୍ବପରି ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ଉପରେ ୟୁନିଟ୍ ପିଛା ୨୦ ପଇସା ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିଥିବାରୁ ତୀବ୍ର ସମାଲୋଚନା କରିଥିଲେ । ଏହି ସରକାର ଟାଟା କଂପାନୀ ଭଳି ବଡ ବଡ କଂପାନୀଙ୍କ ଉପରେ ବାକିଥିବା ୨୯୯୪ କୋଟି ୬୬ ଲକ୍ଷ ଟଙ୍କା ଓ ରାଜ୍ୟ ସରକାରଙ୍କ ଉପରେ ବାକିଥିବା ୨୦୦୦ ହଜାର କୋଟି ଟଙ୍କା ଆଦାୟ ନକରି ରାଜ୍ୟର ୩ କୋଟି ୩୩ ଲକ୍ଷ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରି ଅକ୍ଟୋବର ପହିଲାରୁ ଲାଗୁ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବିରେ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରିଥିଲେ ।