Odiapua.com

ସିପିଆଇଏମ୍‌ର ବିକ୍ଷୋଭ ଓ ପ୍ରତିବାଦ ସଭା

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡାକ ବିଭାଗର ଘରୋଇକରଣ ବନ୍ଦ କରିବା ଓ ଭଦ୍ରକ ମୁଖ୍ୟ ଡାକ ବିଭାଗରେ ଖାଲି ପଡିଥିବା ପଦବୀ ଗୁଡିକୁ ପୂରଣ କରିବା ସହ ଚିଠି ତଥା ପାର୍ସଲ ଗୁଡିକ ନିୟମିତ ଭାବେ ବିତରଣ କରିବା ଦାବି ନେଇ ସିପିଆଇଏମ୍ ତରଫରୁ ପ୍ରତିବାଦ କରାଯାଇଛି। ସିପିଆଇଏମ୍‌ର ଶତାଧିକ କର୍ମୀ ଆଜି ସକାଳ ୧୦ ଟାରେ ମୁଖ୍ୟ ଡାକଘର ସମ୍ମୁଖରେ ଛିଡାହୋଇ ପ୍ରତିବାଦ ଜଣାଇବା ସହ ଏକ ପ୍ରତିବାଦ ସଭାରେ ଦାବିଗୁଡିକ ସଂପର୍କରେ ଓଡ଼ିଶାର ଚିଫ୍ ପୋଷ୍ଟମାଷ୍ଟର ଜେନେରାଲଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରମିକ ନେତା ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ପ୍ରଫୁଲ୍ଲ ପାଢୀ, ରାଧା ଦାସ, ନିରଞ୍ଜନ ପାଣି, ବିକାଶ ନାଥ, ଗିରିଧାରୀ ନାଥ, ବାମଦେବ ମିଶ୍ର, ପ୍ରତାପ ସେଠୀ, ଷ୍ଟାଲିନ ଲେଙ୍କା, ସେକ୍ କମର, ସେକ୍ କାଳୁ, ମିନାଜ, ମନୁ ମୁଣ୍ଡା ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତିର କଟୁ ସମାଲୋଚନା କରିଥିଲେ। ବିଶେଷକରି ବର୍ତ୍ତମାନର ଦରଦାମ ବୃଦ୍ଧି, ବେକାର ସମସ୍ୟା, ଦେଶର କଳ କାରକାରଖାନା, ରେଳ, ରାଜପଥ, ବନ୍ଦର, ବୀମା, ଖଣି, ଖାଦାନ ଗୁଡିକୁ ସରକାର ଘରୋଇ କଂପାନୀଗୁଡିକୁ ବିକ୍ରି କରିବାକୁ ନେଉଥିବା ପଦକ୍ଷେପକୁ ଖୁବ୍ ତୀବ୍ର ବିରୋଧ କରାଯାଇଥିଲା। ଅପରପକ୍ଷରେ ଦେଶବାସୀଙ୍କ ଉପରେ କର ଟିକସ ଲାଗୁ କରି ଆଦାନୀ, ଅମ୍ବାନୀ ଓ ବିଜୟ ମାଲ୍ୟା ପରି ବଡ ପୁଂଜିପତିମାନଙ୍କ ଉପରୁ ଟିକସ ଛାଡ କରିବା ଘଟଣାକୁ ନିନ୍ଦା କରିଥିଲେ। ପରେ ଏକ ପ୍ରତିନିଧି ଦଳ ପକ୍ଷରୁ ଉପରୋକ୍ତ ଦାବି ସଂପର୍କରେ ରାଜ୍ୟ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଡାକଘର ମୁଖ୍ୟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।