Odiapua.com

ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ କରି ମୋଦିଙ୍କୁ ଜନ୍ମଦିନର ଭେଟି ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହରେ କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ଇ-କ୍ଲାସରୁମ୍ ଲୋକାର୍ପିତ
– ଓଡିଶାରେ ୪ କୋଟି ଟଙ୍କା ବ୍ୟୟରେ ୧୮୪ଟି ଶ୍ରେଣୀଗୃହ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓଏନଜିସି ସହାୟତାରେ ହେଲା ସ୍ମାର୍ଟ କ୍ଲାସ ରୁମ
– ଅବଦୁଲ କଲାମ୍, ମୋଦି ଓ କେ. ଶିବନ୍ ଦାରିଦ୍ର୍ୟ ଓ ଅସୁବିଧାକୁ ସାମ୍ନା କରି ନିଜ ଶ୍ରେଷ୍ଠତାକୁ ପ୍ରତିପାଦିତ କରିଛନ୍ତି
– ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ତାଙ୍କର ବାଲ୍ୟ ଜୀବନକୁ ନେଇ ଆଧାରିତ ‘ଚଲୋ ଜିତେ ହୈ’ ଚଳଚ୍ଚିତ୍ର ଦେଖିବାକୁ ପରାମର୍ଶ

ଭୁବନେଶ୍ୱର, ସେପ୍ଟେମ୍ବର ୧୪ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହରେ କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ଇ-କ୍ଲାସରୁମ୍ ଶନିବାର ଭୁବନେଶ୍ୱର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଭେଟି ପାଇଁ ପ୍ଲାଷ୍ଟିକ୍ ବର୍ଜନ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରି କହିଛନ୍ତି ଶ୍ରୀ ପ୍ରଧାନ।

୪ କୋଟି ଟଙ୍କା ବ୍ୟୟରେ କଟକ, ଭୁବନେଶ୍ୱର ୮ଟି କେଭିର ୧୮୪ଟି ଶ୍ରେଣୀଗୃହ ଓ ସାରା ଦେଶରେ ମୋଟ ୮ କୋଟି ଟଙ୍କା ବ୍ୟୟରେ ପ୍ରାୟ ୪୦୦ଟି ଶ୍ରେଣୀଗୃହ ଓଏନଜିସି ସହାୟତାରେ ଇ-କ୍ଲାସରୁମ ଭାବରେ ଲୋକାର୍ପଣ ହୋଇପାରିଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହରେ ଏହାକୁ ଲୋକାର୍ପଣ କରାଯାଇଥିବାରୁ କେନ୍ଦ୍ର ବିଦ୍ୟାଳୟ ସଂଗଠନ ଏବଂ ଓଏନଜିସିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ।

ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଏପିଜେ ଅବଦୁଲ କଲାମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇସ୍ରୋର ନିର୍ଦ୍ଦେଶକ କେ.ଶିବନ୍ ବିଶ୍ୱରେ ନିଜକୁ ପ୍ରତିଷ୍ଠିତ କରିଥିବା ବେଳେ ସେମାନେ ସମସ୍ତଙ୍କ ପାଖରେ ଦାରିଦ୍ର୍ୟ ଓ ଅଭାବ, ଅନାଟନ ଭିତରେ ଜୀବନ ସଂଘର୍ଷ କରି ନିଜର ଶ୍ରେଷ୍ଠତ୍ୱକୁ ପ୍ରତିପାଦିତ କରିଥିଲେ ବୋଲି କହିଥିଲେ। କଟକ, ଭୁବନେଶ୍ୱର ଓ ଜଟଣୀର କେଭିର ଛାତ୍ରଛାତ୍ରୀମାନେ ସ୍ମାର୍ଟ କ୍ଲାସ ରୁମ ଓ ଅନ୍ୟାନ୍ୟ ସୁବିଧା ଆଧାରରେ ନିଜକୁ ଶ୍ରେଷ୍ଠ ପ୍ରମାଣ କରିବାରେ ସଫଳ ହେବେ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି, ପୂର୍ବ ଶ୍ରୀ ପ୍ରଧାନ କହିଛନ୍ତି ଯେ ଚା’ ବିକାଳିର ପୁଅ ସାଧାରଣ ସ୍କୁଲରେ ଗୁଜୁରାଟି ଭାଷାରେ ପାଠ ପଢି କେବଳ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇନାହାନ୍ତି ବିଶ୍ୱର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି। ସେହିପରି ଜଣେ ମାଛ ବିକାଳୀର ପୁଅ ସ୍ୱର୍ଗତ ଏପିଜେ ଅବଦୁଲ କଲାମ ସାଧାରଣ ସ୍କୁଲକୁ ପଢି ଦେଶର ବଡ ବୈଜ୍ଞାନିକ ହୋଇପାରିଥିଲେ। ଅନୁରୂପ ଭାବେ ଦେଶର ଏବେ ଚର୍ଚ୍ଚିତ ଚେହେରା ଚାଷୀର ପୁଅ ଇସ୍ରୋର ଅଧ୍ୟକ୍ଷ କେ .ଶିଭନଙ୍କୁ ବିଶ୍ୱ ସ୍ୱୀକୃତି ଦେଉଛି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଦ୍ୟା ଦାନ ଠାରୁ ପୁଣ୍ୟ କାମ ନାହିଁ। ବିଦ୍ୟା ଏକ ତତ୍ୱ, ବିଜ୍ଞାନ ଓ ସଂସ୍କାର ମଧ୍ୟ। ବିଦ୍ୟାକୁ ଯେ ଅଧ୍ୟୟନ କରି ନୂଆପିଢୀକୁ ପହଁଚାଏ ତାଠୁ ବଳି ପୁଣ୍ୟ କାମ କିଛି ନାହିଁ। ସେହିପରି ସେ କହିଛନ୍ତି ଯେ ଦେଶରେ ପ୍ଲାଷ୍ଟିକ୍ ବର୍ଜନ ଓ ଜଳ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି। ଏହିଭଳି ନୂଆ ନୂଆ ଦିଗରେ ଦେଶକୁ ଏକାଠୀ କରିବା ପାଇଁ ପଡିବ।

ଉଲ୍ଲେଖନୀୟ ଯେ, ଏହି ଅବସରରେ ଜାଲିବାନାବାଗ୍ ହତ୍ୟାକାଣ୍ଡରେ ୧୨ ବର୍ଷର ପିଲା ଉଦ୍ଧାମ ସିଂହଙ୍କ କଥା ବର୍ଣ୍ଣନା କରିଥିଲେ ଶ୍ରୀ ପ୍ରଧାନ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାଲ୍ୟ ଜୀବନୀକୁ ନେଇ ଆଧାରିତ ‘ଚଲୋ ଜିତେ ହୈଁ’ ଚଳଚ୍ଚିତ୍ର ଦେଖିବାକୁ ପରାମର୍ଶ ଦେଇଥିଲେ।