Odiapua.com

ସାହିତ୍ୟିକ ମାନେ ସାହିତ୍ୟ ରଚନା ଓ ପ୍ରକାଶନ ସହ ସାହିତ୍ୟକୁ ନେଇ ବଂଚିବା ଉଚିତ,ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସାହିତ୍ୟିକ ମାନେ ନିରନ୍ତର ସାହିତ୍ୟ ରଚନା କରିଚାଲିଛନ୍ତି।ସାହିତ୍ୟର ପ୍ରଚାର ପ୍ରସାର ମଧ୍ୟ ହେଉଛି।ମାତ୍ର ସାହିତ୍ୟକୁ ନେଇ ବଂଚୁଥିବା ବ୍ୟକ୍ତି ହିଁ ବାସ୍ତବ ସାହିତ୍ୟିକ ବୋଲି ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ, ଆଲୋଚକ ଓ ସମାଲୋଚକ ମାନେ ମତବ୍ୟକ୍ତ କରିଛନ୍ତି। ଶାରଦା ବିଦ୍ୟମନ୍ଦିର ପରିସରରେ ସଂସଦର ସଭାପତି ଡକ୍ଟର ସୁରେନ୍ଦ୍ର ମିଶ୍ରଙ୍କ ସ୍ୱଭାପତିତ୍ୱ ଓ କାର୍ଯ୍ୟକାରୀ ସଭାପତି ପ୍ରକାଶ ମହାପାତ୍ରଙ୍କ ସଂଚାଳନାରେ ଅନୁଷ୍ଠିତ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ବିଶିଷ୍ଟ ସାହିତ୍ୟିକ ଡ଼ଃ ବ୍ରଜ ମୋହନ ମିଶ୍ର ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ , ମୁଖ୍ୟ ବକ୍ତାଭାବେ ଡକ୍ଟର ଚିନ୍ମୟୀ ମହାପାତ୍ର,ଡ଼ଃ ସୂର୍ଯ୍ୟମଣି ଖୁଂଟିଆ,ଅବସରପ୍ରାପ୍ତ ପ୍ରଶାସକ ରମେଶ ଚନ୍ଦ୍ର ରାଉତ,ବାଣୀଚିତ୍ରର ସମ୍ପାଦକ ଭାସ୍କର ଜେନା,ଡ଼ଃ ସୁଧାଂଶୁ ଶେଖର ନାୟକ, ସମାଜସେବୀ ବଦ୍ରୀ ନାରାୟଣ ଧଳ, ସଞ୍ଜୀବ ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ଉତରୋତର ଉନ୍ନତି କାମନା କରିଥିଲେ।ସଂସଦର ସମ୍ପାଦକ ପବନ କୁମାର ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।ଏହି ଅବସରରେ ସଂସଦର ମୁଖପତ୍ର ସୁବର୍ଣ୍ଣ ଜୟନ୍ତ ବିଶେଷାଙ୍କ “ମାଟି ମହକ” ଉନ୍ମୋଚିତ ହୋଇଥିଲା।ଏଥିସହ ରତ୍ନମଞ୍ଜରୀ ପଣ୍ଡାଙ୍କର “ପହିଲି ଫୁଲ”, ରମାକାନ୍ତ ବେହେରାଙ୍କ “କୋଇଲି କହେ କୁହୁ”, ଅଚ୍ୟୁତାନନ୍ଦ ସାମଲଙ୍କ “କବିତା ସହ ଭେଟ”, ମୁରଲୀଧର ଦାସଙ୍କ “ପାଦେ ପାଦେ ଆଗକୁ”, ପୁରୁଷୋତମ ଧଳଙ୍କ “ଗପରୁ ଶିକ୍ଷା”, ପ୍ରାଣକୃଷ୍ଣ ସାହୁଙ୍କ “ଏ ଯୁଗର ସାବିତ୍ରୀ” ପାଠକାର୍ପଣ ହୋଇଥିଲା।ସଂସଦର ଉପସଭାପତି ଭରତ ଚନ୍ଦ୍ର କରଣ ମଂଚ ଆହ୍ୱାନ, ପୁରୁଷୋତମ ଧଳ ଅତିଥି ପରିଚୟ ପ୍ରଦାନ, ଉପସଭାପତି ଅନାଦି ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଅନେକ ସାରସ୍ୱତ ସାଧକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।