Odiapua.com

ସାହିତ୍ୟିକ ଅପୂର୍ବ ରଞ୍ଜନ ରାୟଙ୍କ ଦଶମ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭା,ସ୍ୱର୍ଗତଃ ରାୟଙ୍କ ସାହିତ୍ୟରେ ଥିଲା ପରଂପରା ଆଧୁନିକତାର ଏକ ସୃଜନଶୀଳ ସମନ୍ୱୟ

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ସାହିତ୍ୟର ପରିବର୍ତନଶୀଳ ପରିବେଶରେ ସ୍ୱର୍ଗତ ଅପୂର୍ବ ରଞ୍ଜନ ରାୟଙ୍କ ନାମ ଉଲ୍ଲେଖଯୋଗ୍ୟ । ତାଙ୍କ ସାହିତ୍ୟ ଚିନ୍ତାରେ ପରଂପରା ଓ ଆଧୁନିକତାର ଏକ ସୃଜନଶୀଳ ସମନ୍ୱୟ ଦେଖିବାକୁ ମିଳେ । ନିଜର ସାହିତ୍ୟ କଳାକୃତି ସହିତ ବହୁ ସାହିତ୍ୟିକଙ୍କୁ ନବ ଦିଗନ୍ତ ଦେଖାଇ ତାଙ୍କ ଅମ୍ଳାନ ପ୍ରତିଭାକୁ ନେଇ ଚିର ଅମର ରହିଛନ୍ତି ସାହିତ୍ୟରତ୍ନ ଅପୂର୍ବ ରଞ୍ଜନ ରାୟ । ସମଗ୍ର ଓଡ଼ିଶାର ସାହିତ୍ୟ ଜଗତରେ ସ୍ୱର୍ଗତ ରାୟ ଏକ ସ୍ମରଣୀୟ ସ୍ପର୍ଦ୍ଧିତ ପ୍ରତିଭା । ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ପାଇଁ ସେ ଯେତିକି ଆଗ୍ରହୀ, ସାହିତ୍ୟର ଶ୍ରୀବୃଦ୍ଧି ପାଇଁ ଅନୁଷ୍ଠାନମାନ ଗଠନ କରିବା, ଅନୁଷ୍ଠାନମାନଙ୍କ ସହିତ ଜଡ଼ିତ ହେବାରେ ସେ ଆହୁରି ଉତ୍ସାହି । ବରିଷ୍ଠଙ୍କୁ ସମ୍ମାନ ଓ ନବୀନଙ୍କୁ ଶ୍ରଦ୍ଧା ଥିଲା ତାଙ୍କ ଚରିତ୍ରର ବୈଶିଷ୍ଟ୍ୟ ବୋଲି ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଅପୂର୍ବ ରଞ୍ଜନ ରାୟଙ୍କ ଦଶମ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭାରେ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ପୂର୍ବରାଗ ପକ୍ଷରୁ ଅଧ୍ୟାପକ ଦତାତ୍ରେୟ ଦାସଙ୍କ ସଂଚାଳନରେ ବାଇପାସ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏହି ସମାରୋହରେ ବରେଣ୍ୟ ବକ୍ତା ଭାବେ ବାସୁଦେବ ବାରିକ, ଡ. ପ୍ରମୋଦ ନାୟକ, ଡ. କ୍ଷୀରୋଦ କୁମାର ସାମଲ, ଅଧ୍ୟାପକ ଶିବଚରଣ ଖାମୁରାଇ, ଅପୂର୍ବ ରଞ୍ଜନ ରାୟ ସ୍ମୃତି ସଂସଦର ସଭାପତି ଅଜୟ ନାୟକ, ସଂପାଦକ ପ୍ରବୀର ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାୟଙ୍କ ଚିନ୍ତା, ଦୃଷ୍ଟିକୋଣ ଓ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କ ଦାୟବଦ୍ଧତାକୁ ସମସ୍ତଙ୍କୁ ବୁଝିବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ଦୁର୍ଯ୍ୟୋଧନ ଦାସ, ଦୁଃଶାସନ ମହାନ୍ତି, ବିଜୟ କୁମାର ବହଳୀ, ଇଂ. ଅରୁଣ ପାତ୍ର, ଗୀତାରାଣୀ ଆଇଚ, ପଣ୍ଡିତ ଦୈତ୍ୟାରୀ ଦୀକ୍ଷିତ, କରୁଣାକର ଉପାଧ୍ୟାୟ, ଗୌରାଙ୍ଗ ବାରିକ, ବିପ୍ଳବ ହୋତା, ଶାନ୍ତନୁ ରାଉତ, କୈଳାସ ପଣ୍ଡା, ଦୁର୍ଗା ବିଶ୍ୱାଳ ପ୍ରମୁଖ ସ୍ୱର୍ଗତ ରାୟଙ୍କ ସାହିତ୍ୟ ସାଧନାର ବହୁମୁଖୀ ଦିଗ ଉପରେ ଆଲୋକପାତ କରିଥିଲେ । ବୈକୁଣ୍ଠ ବିଶ୍ୱାଳ ପ୍ରାକ୍ ସୂଚନା ଓ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ, ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ଓ କବି ଶରତ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।