ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶବ୍ଦର ସମ୍ଭାର ଦ୍ୱାରା ଭାଷା ଓ ସାହିତ୍ୟ ସୃଷ୍ଟି ହୁଏ ଓ ସମ୍ବନ୍ଧ ମଧ୍ୟ ହୋଇଥାଏ । ଏଣୁ ସାହିତ୍ୟର ସମୃଦ୍ଧି ପାଇଁ ଶବ୍ଦ ଭଣ୍ଡାର ସହ ନିବିଡ଼ ସମ୍ପର୍କ ଜରୁରୀ ବୋଲି ସାହିତ୍ୟିକ, ସଂଗଠକ ତଥା ଆଦର୍ଶ ଶିକ୍ଷକ ସୂର୍ଯ୍ୟମଣି ବିଶ୍ୱାଳଙ୍କ ନବମ ବାର୍ଷିକ ଉତ୍ସବରେ ଆକାଶବାଣୀ କଟକର ପୂର୍ବତନ ନିର୍ଦ୍ଦେଶକ ଡ. ଶାନ୍ତନୁ କୁମାର ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି । ସାହିତ୍ୟିକ ତଥା ସ୍ତମ୍ଭକାର ଇଂ ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସମାରୋହକୁ ଭଦ୍ରକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଉକ୍ତ ଉତ୍ସବରେ ବିଶିଷ୍ଟ ସମାଜସେବୀ ପଞ୍ଚାନନ ରାଉତ, ବିଶିଷ୍ଟ ପ୍ରବଚକ ତଥା ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଭଦ୍ରକ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସମ୍ପାଦକ ନୀହାର ରଂଜନ କର ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମାରୋହରେ ଆଦର୍ଶ ଶିକ୍ଷକ ତଥା ଭଣ୍ଡାରିପୋଖରୀ ଅନୁଶିକ୍ଷାଧିକାରୀ ପୁରୁଷୋତ୍ତମ ଧଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନାଟ୍ୟଶ୍ରୀ ନିର୍ମଳ ରାଉତ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ଦେବବ୍ରତ ବ୍ରହ୍ମଚାରୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କବୟିତ୍ରୀ ତଥା ଶିକ୍ଷୟିତ୍ରୀ ମନୋରମା ରାୟ ମାନପତ୍ର ପାଠ କରିଥିଲେ । ଏହି ଅସବରରେ ଦୟାନିଧି ମିଶ୍ର ଓ ଚୈତାଳୀ ଖିଲାରଙ୍କ ସଂଯୋଜନାରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କଳ୍ପନା ଜେନା, ରବି ନାରାୟଣ ଖିଲାର ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଦୟାନିଧି ମିଶ୍ର, ପୁରୁଷୋତ୍ତମ ଧଳ, ଜାନକୀ ପାଢୀ କବିତା ପାଠ କରିଥିଲେ । ଶିକ୍ଷକ ବ୍ରଜ କିଶୋର ପ୍ରଧାନ ଉତ୍ସବ ପରିଚାଳନା କରିଥିଲେ ।