Odiapua.com

ସାହାପୁର ରେଳପଥ ମୃତ୍ୟୁ ଘଟଣାରେ ଗେଟ କିପର ଗିରଫ,୨ଶହରୁ ଉର୍ଦ୍ଧ୍ୱ ରାସ୍ତା ଅବରୋଧକାରୀଙ୍କ ନାଁରେ ମକଦ୍ଦମା

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅଧିନ ସାହାପୁର ରାସ୍ତାର ରେଳପଥ ଲେବ୍ଲକ୍ରସିଂରେ ଯୁବକଙ୍କ ମୃତ୍ୟୁ ଘଟଣାରେ ପୋଲିସ ଗେଟକିପରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ପିରାହଟରେ ରାସ୍ତା ଅବରୋଧ ହୋଇଥିଲା। ଏହି ଘଟଣାରେ ୨ଶହରୁ ଉର୍ଦ୍ଧ୍ୱ ରାସ୍ତା ଅବରୋଧକାରୀଙ୍କ ବିରୋଧରେ ମକଦ୍ଧମା ରୁଜୁ ହୋଇଛି।ଧାମରା ପୋର୍ଟ କମ୍ପାନୀ ଲିମିଟେଡ଼(ଡିପିସିଏଲ)ର ଦାୟିତ୍ୱହୀନତା ପାଇଁ ଧନଜୀବନ ନଷ୍ଟ ହେବାରେ ଲାଗିଥିବା ଅଭିଯୋଗ ହୋଇଛି । ରେଳପଥର ବିଭିନ୍ନ ସ୍ଥାନରେ ଥିବା ଲେଭଲ କ୍ରସିଂରେ ଫାଟକ ନିର୍ମାଣ ନହେବା, ଫାଟକରେ ତାଲିମପ୍ରାପ୍ତ ଗେଟକିପର ନିଯୁକ୍ତ ନହେବା, ଏପରିକି ରେଳପଥରେ ଆବଶ୍ୟକ ସଂଖ୍ୟକ ସୁରକ୍ଷା କର୍ମଚାରୀ ନିଯୁକ୍ତି ନପାଇବା ଧାମରା ପୋର୍ଟ କମ୍ପାନୀର ଚରମ ଅବହେଳାର ନିଦର୍ଶନ ବୋଲି କୁହାଯାଉଛି । ରବିବାର ଅପରାହ୍ନରେ ତିହିଡି଼ ବ୍ଲକ ଅଧୀନ ସାହାପୁର ରାସ୍ତାର ଲେଭଲକ୍ରସିଂରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରୁ ଏହା ପ୍ରମାଣିତ ହୋଇଛି । ତେବେ ଏହି ଘଟଣାରେ ପୀରହାଟ ଥାନା ପୋଲିସ ସାହାପୁର ପଂଚାୟତ ଅଧୀନ କଣ୍ଡରଗଡ଼ିଆ ଗ୍ରାମର ମୃତ ଅଭିମନ୍ୟୁ ପରିଡାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ଏକ ମକଦ୍ଦମା (ନଂ ୧୩୦/୨୬)ରୁଜୁ କରି ମଙ୍ଗଳବାର ଗେଟକିପର ପଶ୍ଚିମବଙ୍ଗ ଜିଲାର ସମୀର ମୋଦିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗେଟକିପରଙ୍କ ଦାୟିତ୍ୱହୀନତା ଯୋଗୁଁ ଟ୍ରେନ ଧକ୍କାରେ ଅଭିମନ୍ୟୁଙ୍କ ଜୀବନ ଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଅପରପକ୍ଷେ ରେଳପଥ ଫାଟକ ଘରେ ନିଆଁ ଲଗାଇବା, ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥକୁ ଅବରୋଧ କରିବା ଘଟଣାରେ ପୋଲିସ ନିଜଆଡୁ ୨ଶହରୁ ଉର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କ ନାଁରେ ୧୩୧/୨୬ ଓ ୧୩୨/୨୬ ଦୁଇଟି ମକଦ୍ଦମା ରୁଜୁ କରିଥିବା ଜଣାଯାଇଛି । ପୋଲିସ ୧୩୨/୨୬ ରାସ୍ତା ଅବରୋଧ ମକଦ୍ଦମାରେ କଣ୍ଡରାଗଢ଼ିଆ ଗ୍ରାମର ଶାନ୍ତନୁ ବଳ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାଯାଇଛି।ପ୍ରକାଶ ଯେ ୨୦୧୨ରେ ଭଦ୍ରକ -ଧାମରା ରେଳପଥ ନିର୍ମାଣ ହୋଇଥିଲା । ଏହା ପୂର୍ବରୁ ଚାଷୀମାନଙ୍କ ଠାରୁ ଜମି ଅଧିଗ୍ରହଣ କରାଯାଇଥିଲା । ଧାମରା ବନ୍ଦରରେ ନିଯୁକ୍ତି, ସ୍ଥାନୀୟ ଅଂଚଳର ଉନ୍ନତି ଆଶାରେ ଚାଷୀମାନେ ଶାଗ ମାଛ ଦରରେ କମ୍ପାନୀକୁ ଜମି ବିକି ଦେଇଥିଲେ । ଏପରିକି ଗ୍ରାମ୍ୟ ଜଙ୍ଗଲ, ଶ୍ମଶାନ, ଗୋଚର କିସମର ଜମି ରେଳପଥ ପରିସରଭୁକ୍ତ ହୋଇଥିଲା । ଏହାର ବିକଳ୍ପ ଭାବେ ଜମି ଫେରାଇବା, ନିଯୁକ୍ତ ପ୍ରଦାନ, ପାରିପାର୍ଶ୍ୱିକ ଉନ୍ନତି ଦାବିରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ରେଳରୋକୋ କରାଯାଇ ଡିପିସିଏଲ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା । ଅପରପକ୍ଷେ ରେଳପଥରେ ବର୍ଷାପାଣି ନିଷ୍କାସନ ପାଇଁ ଆବଶ୍ୟକ ସଂଖ୍ୟକ ପୋଲ ଓ କଲଭର୍ଟ ନିର୍ମିତ ହୋଇ ନଥିବାରୁ ଧାନଚାଷ ସମୟରେ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡୁଛି । ମୋଟ ୬୨କିମି ଲମ୍ବର ରେଳପଥରେ ୪୨ଟି ଲେଭଲକ୍ରସିଂ ରହିଛି । ତନ୍ମଧ୍ୟରୁ ୧୪ଟି ସ୍ଥାନରେ ଫାଟକ ନଥିବା ବେଳେ କେତେକ ଲେଭଲକ୍ରସିଂରେ ନାମକୁ ମାତ୍ର ଫାଟକ ନିର୍ମିତ ହୋଇଛି । ତିହିଡି଼ -ମାଟିଆସାହି ପରି ବ୍ୟସ୍ତବହୁଳ ରାସ୍ତାର ଅନେକ ବର୍ଷ ପରେ ଲେଭଲକ୍ରସିଂରେ ବାଉଁଶ ଫାଟକ ନିର୍ମିତ ହେବା କମ୍ପାନୀ କର୍ତୃପକ୍ଷଙ୍କ ଖାମଖିଆଲି ନୀତିକୁ ପ୍ରତିପାଦିତ କରୁଛି । ସାହାପୁର ଲେଭଲକ୍ରସିଂ ଫାଟକରେ ଗେଟ କିପରଙ୍କ ଅବହେଳାରୁ ଗୋଟେ ପରିବାର ଜଣେ ରୋଜଗାରକ୍ଷମ ଚାଷୀଙ୍କୁ ହରାଇବା ଭଳି ଦୁଃଖଦ ଘଟଣା ଘଟିଛି । ଏହି ପରିପ୍ରେକ୍ଷୀରେ କମ୍ପାନୀ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଲୋକଙ୍କ ଧନ ଜୀବନକୁ ସୁରକ୍ଷିତ ରଖିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।