Odiapua.com

ସାଳନ୍ଦୀ ହସ୍‌ପିଟାଲ ସହଯୋଗରେ ସ୍ୱାସ୍ଥ୍ୟ ଶିିବିର

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ବଭାରତୀୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ସୁନେତ୍ର) ଅନ୍ତର୍ଗତ ହସ୍ତତନ୍ତ କ୍ଷେତ୍ରରେ କାର୍ଯ୍ୟରତ ବୁଣାକାର, ସହଯୋଗୀ, ଆନୁଷାଙ୍ଗିକ କର୍ମୀ ଓ ସ୍ଥାନୀୟ ଅଧିବାସୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ ଓ ସଚେତନତା ଶିବିର; ରାଜ୍ୟ ହସ୍ତତନ୍ତ୍ର ନିର୍ଦ୍ଦେଶାଳୟ ଓ ବାଲେଶ୍ୱର ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକଙ୍କ ସହଭାଗିତାରେ ସ୍ଥାନୀୟ ସାଳନ୍ଦୀ ହସ୍‌ପିଟାଲ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ସିମୁଳିଆ ବ୍ଲକ ଜାମଝାଡ଼ି ପଂଚାୟତ କାର୍ଯ୍ୟାଳୟ ଠାରେ ୫ ତାରିଖ ଓ ଆଗରପଡ଼ା ଜିରାଗମ୍ଭୀରା ଜଗାକାଳିଆ ତନ୍ତୁବାୟ ସହଯୋଗ ସମିତି କାର୍ଯ୍ୟାଳୟ ଠାରେ ୬ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିବିରରେ ଶତାଧିକ ବ୍ୟକ୍ତିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ସାଳନ୍ଦୀ ହସ୍‌ପିଟାଲ ଭଦ୍ରକର ଡାକ୍ତର ପ୍ରଭାସ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଡାକ୍ତରୀଦଳ ଦୁଇଦିନ ଧରି ହସ୍ତତନ୍ତ କ୍ଷେତ୍ରରେ ଭଦ୍ରକ ଓ ବାଲେଶ୍ୱରର ବିଭିନ୍ନ ତନ୍ତୁବାୟ ସହଯୋଗ ସମିତିର ସଦସ୍ୟ ବୁଣାକାର ଓ ପରିବାରବର୍ଗଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଚିିକିତ୍ସା ପରାମର୍ଶ ପ୍ରଦାନ କରିଥିଲେ । ଏହି ଶିବିରରେ ୨୬୮ ଜଣ ବୁଣାକାରଙ୍କର ଚକ୍ଷୁ ପରୀକ୍ଷା ଦ୍ୱାରା ୧୨୨ ଜଣଙ୍କୁ ଆବଶ୍ୟକ ଚଷମା ଓ ୪୩ ଜଣ ମୋତିଆ ବିନ୍ଦୁ ହୋଇଥିବା ବ୍ୟକ୍ତିଙ୍କର ଚକ୍ଷୁ ଅସ୍ତ୍ରୋପଚାରର ବ୍ୟବସ୍ଥା କରାଯାଇଛି ।

ଏଥିସହ ୧୧୯ ଜଣ ବ୍ୟକ୍ତିଙ୍କ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଆବଶ୍ୟକ ଚିକିତ୍ସା ପରାମର୍ଶ ପ୍ରଦାନ କରାଯାଇଥିଲା । ସାଳନ୍ଦୀ ହସ୍‌ପିଟାଲର ମୁଖ୍ୟ ଡାକ୍ତର ପ୍ରଭାସ କୁମାର ମହାନ୍ତି ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ବାଲେଶ୍ୱରସ୍ଥିତ ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ମଧୁସ୍ମିତା ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଦୁଇ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷଣ ଶିବିରକୁ ସମବାୟ ଉପନିବନ୍ଧକ ନିରଂଜନ ପ୍ରଧାନ, ବୟନଶିଳ୍ପ ନିରୀକ୍ଷକ ଅଶୋକ କୁମାର ସାହୁ, ଅରୁଣ କୁମାର ବେହେରା, କନିଷ୍ଠ ସୁପରଭାଇଜର ଶ୍ରୀମତୀ ମମତା ଦାସ, ବିଦ୍ୟୁତ କୁମାର ଦାସ, ଶହିଦସ୍ମୃତି ତନ୍ତୁବାୟ ସହଯୋଗ ସମିତିର ସଂପାଦକ ପ୍ରହଲ୍ଲାଦ ସୁତାର ଓ ଜଗାକାଳିଆ ‘ତନ୍ତୁବାୟ ସହଯୋଗ’ ସମିତିର ସଂପାଦକ କୌଳାସ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ ।