Odiapua.com

ସାଳନ୍ଦୀ ସୁରକ୍ଷା ଜୀବନ ରକ୍ଷା, ଭଦ୍ରକ ସାଳନ୍ଦୀ ବିକାଶ ମଂଚ ପକ୍ଷରୁ ବିଶ୍ୱ ନଦୀ ଦିବସ ପାଳିତ

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାଳନ୍ଦୀ ବିକାଶ ମଂଚ ପକ୍ଷରୁ ଭଦ୍ରକ ମହାବିଦ୍ୟାଳୟ ସଭାଗୃହରେ ଆଜି ‘ବିଶ୍ୱ ନଦୀ ଦିବସ’ ଅନୁଷ୍ଠିତ ହୋଇଯାଇଛି। ସାଳନ୍ଦୀ ବିକାଶ ମଂଚର ସାଧାରଣ ସଂପାଦକ ପ୍ରତାପ ପାଢୀ ପ୍ରାରମ୍ଭରେ ଆଜିର ଦିନରେ କିଭଳି ‘ସାଳନ୍ଦୀ ସୁରକ୍ଷା ଜୀବନ ରକ୍ଷା’ ହୋଇନପାରିଲେ କେବଳ ଭଦ୍ରକ ଜିଲା ଜିଲା ନୁହେଁ ପଡୋଶୀ କେଉଁଝର ଓ ବାଲେଶ୍ୱରର ଜୀବନରେଖା କୁହାଯାଉଥିବା ଏହି ନଦୀ ଏକ ମରଣଯନ୍ତାରେ ପରିଣତ ହେବ ବୋଲି ଆଶଙ୍କା ପ୍ରକଟକ କରିଥିଲେ । ଏହି ସଭାରେ ସଂଯୋଜକ ଅମ୍ବିକା ଦାସ ମଂଚର ଆଭିମୁଖ୍ୟ ରଖିଥିବାବେଳେ ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକ କମଳାକାନ୍ତ ସ୍ୱାଇଁ ଯୋଗଦେଇ ସାଳନ୍ଦୀ ନଦୀର ପୂର୍ବାବସ୍ଥା ସଂପର୍କରେ ସୂଚନା ଦେଇ ବିଗତ ଦିନରେ ଏହି ନଦୀର ଜଳ ସ୍ୱଚ୍ଛ ଓ ପବିତ୍ରତା ଯୋଗୁଁ ଉଭୟ ପାଶ୍ୱର୍ରେ ଥିବା ଲୋକମାନେ ନିଜ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲଗାଇଆସୁଥିବାବେଳେ ଆଜି ତାହା ଭଦ୍ରକ ସହରର ମୁଖ୍ୟ ନର୍ଦ୍ଦମାର ବାହକ ରୂପେ ପରିଗଣିତ ହୋଇଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଅନ୍ୟତମ ବକ୍ତା ବରିଷ୍ଠ ଇଂଜିନିୟର କମଳାକାନ୍ତ ବେହେରା ଏହି ନଦୀର ପୁନରୁଦ୍ଧାର ଦିଗରେ ତାଙ୍କର ବକ୍ତବ୍ୟ ରଖିବା ସହ ଜନସାଧାରଣ ଏଥିପ୍ରତି ଆଗେଇଆସିବାକୁ ଅନୁରୋଧ କରିଥିଲେ। ଭଦ୍ରକ ସାଳନ୍ଦୀ ବିକାଶ ମଂଚର କାର୍ଯ୍ୟକାରୀ ସଭାପତି ତଥା ଭଦ୍ରକ ଲାୟନ୍ସ କ୍ଲବ୍‌ର ସଭାପତି ଅଶୋକ ମହାନ୍ତି ସାଳନ୍ଦୀ ସୁରକ୍ଷା ପାଇଁ ଏକ ଦୀର୍ଘମିଆଦି ଯୋଜନା (ଯାହା ଗୁଜୁରାଟର ସାବରମତୀ ନଦୀଭଳି) କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଭଦ୍ରକର ବରିଷ୍ଠ ନାଗରିକ ତଥା ବିଜେପି ନେତା ଅଜୟ ନାୟକ ସାଳନ୍ଦୀର ପୁନରୁଦ୍ଧାର ନିମନ୍ତେ ସରକାର ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ନିଜର ମତ ପ୍ରକାଶ କରିଥିଲେ। ବାରୁହ ସରପଂଚ ଉଦ୍ଧବ ନାୟକ, ଶକୁନ୍ତଳା ଦାସ, ହରିପୁର ଗ୍ରାମର ସମାଜସେବୀ ତିଳୋତମା ପାଣିଗ୍ରାହୀ, ଭଦ୍ରକ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଜୟ ସେଠୀ, ସାଳନ୍ଦୀ ବିକାଶ ମଂଚର ମିଡିଆ ସେଲ୍ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ସମେତ ମଂଚର ବହୁ କର୍ମକର୍ତା ଉପସ୍ଥିତ ରହି ନଦୀର ସୁରକ୍ଷା ଦିଗରେ ସେମାନଙ୍କର ମତ ପ୍ରକାଶ କରିଥିଲେ। ଆୟୋଜିତ ଏହି ସଭାରେ ବରିଷ୍ଠ ନାଗରିକ, ସମାଜସେବୀ, ଛାତ୍ରଛାତ୍ରୀ, ଅଧ୍ୟାପକ ଓ ସାଳନ୍ଦୀ ବିକାଶ ମଂଚର କର୍ମକର୍ତାମାନେ ଉପସ୍ଥିତ ଥିଲେ।