Odiapua.com

ସାଳନ୍ଦୀ ବିକାଶ ମଂଚର ବୁଦ୍ଧିଜୀବୀ ସମ୍ମିଳନୀ , ୩ଟି ଜିଲାର ଜୀବନରେଖା ସାଳନ୍ଦୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବଜ୍ର ଶପଥ

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଦୂଷଣପୂର୍ଣ୍ଣ ସାଳନ୍ଦୀ ନଦୀପାଶ୍ୱର୍ ଏବେ ଅବରୋଧ, ମୂର୍ତ୍ତିକା ଖନନ ଫଳରେ ବିଲୁପ୍ତ ହେବାକୁ ଯାଉଛି । ଫଳରେ ଏହି ନଦୀ ଉପରେ ଜୀବିକା ନିର୍ବାହ କରୁଥିବା ବହୁ ଚାଷୀ ଓ ଜନସାଧାରଣ ଏବେ ‘ହା ଅନ୍ନ ହା ଅନ୍ନ’ ଚିତ୍କାର କରିବାରେ ଲାଗିଛନ୍ତି । କିନ୍ତୁ ଏକଦା ଚିରସ୍ରୋତା ଥିବା ଏହି ନଦୀର ପୂର୍ବାବସ୍ଥା ଫେରାଇ ଆଣିବା ନେଇ ନା କୌଣସି ଜନନେତା ନା ଜିଲା ପ୍ରଶାସନ କାହାରି ନିଦ ଭାଙ୍ଗୁନାହିଁ । କେବଳ ଯାହା ସାଳନ୍ଦୀ ସଂସ୍କାର ନାମରେ କୋଟି କୋଟି ଟଙ୍କା ହରିଲୁଟ୍ ହେବା ପରେ ଏବେ ଏହାର ପୁନରୁଦ୍ଧାର ଦିଗରେ କୁମ୍ଭକର୍ଣ୍ଣ ଭଳି ଶୋଇ ରହିଛନ୍ତି । ଏଣୁ ଏକଦା କେବଳ ଭଦ୍ରକ ଜିଲା ନୁହେଁ ପଡୋଶୀ କେନ୍ଦୁଝର, ବାଲେଶ୍ୱର ଜିଲାର ଜୀବନରେଖା କୁହାଯାଉଥିବା ଏହି ନଦୀକୁ ‘ନର୍ମଦା’ ଭଳି ଏକ ବିକଶିତ ନଦୀଶଯ୍ୟାରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡା ବୋଲି ‘ଭଦ୍ରକ ବିକାଶ ମଂଚ’ ପକ୍ଷରୁ ଆହୂତ ଜିଲାସ୍ତରୀୟ ସମ୍ମିଳନୀରେ ମତପ୍ରକାଶ ପାଇଛି ।

ସ୍ଥାନୀୟ ଜଳସେଚନ ବିଭାଗ ପରିସରରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଫେସର ଡ. ବଳରାମ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ପ୍ରାରମ୍ଭରେ ପଣ୍ଡିତ ନବକିଶୋର ପଣ୍ଡା ମନ୍ତ୍ର ଉଚ୍ଚାରଣ ଦ୍ୱାରା ସମ୍ମିଳନୀର ଶୁଭାରମ୍ଭ କରିଥିଲେ । ମଂଚର ଆବାହକ ପ୍ରତାପ ପାଢୀ ନିଜର ସ୍ୱାଗତ ସମ୍ଭାଷଣରେ ଏକ ପ୍ରଦୂଷଣମୁକ୍ତ ନଦୀଭାବେ ସାଳନ୍ଦୀର ବିକାଶ ସହ ଏ ଦିଗରେ କାର୍ଯ୍ୟ କରିବା ପାଇଁ ଏକ ୫୧ ଜଣିଆ କମିଟି ଗଠନ ସଂପର୍କରେ ସୂଚନା ଦେଇଥିଲେ । ଅମ୍ବିକା ଦାସ ସାଳନ୍ଦୀ ବିକାଶ ମଂଚର ଗଠନର ଉଦ୍ଦେଶ୍ୟ ଓ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ସୂଚନା ଦେଇଥିବାବେଳେ ବାଲେଶ୍ୱରରୁ ଆସିଥିବା ଭଦ୍ରକ ଜନ୍ମିତ ‘ରୂପାୟନ’ ସଂଗଠନର ନିର୍ଦ୍ଦେଶିକା ଶ୍ରଦ୍ଧାଞ୍ଜଳି ରାୟ ଯୋଗଦେଇ ମିଳିମିଶି କାମକଲେ ସଫଳତା ଆପେ ଆପେ ପାଦ ଚୁମ୍ବିବ ବୋଲି କହିବା ସହ ବାଲେଶ୍ୱର ମେଡିକାଲ କଲେଜର ପ୍ରତିଷ୍ଠା ତାହାର ଏକ ଉଦାହରଣ ବୋଲି କହିଥିଲେ । ତିହିଡି ବ୍ଲକ୍‌ରୁ ଆସିଥିବା ଉଦ୍ଧବ ଚରଣ ନାୟକ ସାଳନ୍ଦୀ ସଂସ୍କାର ଦ୍ୱାରା ତାଙ୍କ ବ୍ଲକ୍‌ର ତଳିଆ ଅଂଚଳ ଚାଷୀମାନେ କିଭଳି କ୍ଷତିଗ୍ରସ୍ତ ହୋଇ ବିବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେ ସଂପର୍କରେ ଉପସ୍ଥିତ ବୁଦ୍ଧିଜୀବୀଙ୍କୁ ଅବଗତ କରାଇବା ପରେ ଚାନ୍ଦବାଲିରୁ ଆସିଥିବା ବିଶ୍ୱରଂଜନ ମହାନ୍ତି ସାଳନ୍ଦୀର ତଳ ଅଂଚଳର ଲୁଣିପାଣି ଓ କୁମ୍ଭୀର ସମସ୍ୟା ସଂପର୍କରେ ସୂଚନା ଦେଇଥିଲେ । ଆଗରପଡାରୁ ଆସିଥିବା ମଂଚର ଅନ୍ୟତମ ସଦସ୍ୟ ହେମନ୍ତ ସିଂ ତାଙ୍କ ଅଂଚଳର ବେଆଇନ୍ ଇଟାଭାଟି ନିର୍ମାଣ ଜନିତ ମୃତ୍ତିକା କ୍ଷୟ କିଭଳି ଗୁରୁତର ସମସ୍ୟା ସୃଷ୍ଟି କରିଛି, ତାହା ନିଜ ବକ୍ତବ୍ୟ ମାଧ୍ୟମରେ କହିଥିବାବେଳେ ବରିଷ୍ଠ ନାଗରିକ ଗୋବର୍ଦ୍ଧନ ସାମଲ ସାଳନ୍ଦୀର ପୂର୍ବାବସ୍ଥା ଫେରାଇ ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ମଂଚର ଅନ୍ୟତମ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ସାଳନ୍ଦୀର ସମସ୍ୟାକୁ ଗଣମାଧ୍ୟମ ଜରିଆରେ ଲୋକଙ୍କ ମଧ୍ୟରେ ଏକ ଆନ୍ଦୋଳନର ରୂପରେଖ ଦେବା ଦିଗରେ ସମସ୍ତ ମିଡିଆ ଭାଇମାନେ ଆଗେଇ ଆସିବା ପାଇଁ ଅନୁରୋଧ କରିଥିଲେ । ଅବସରପ୍ରାପ୍ତ ବରିଷ୍ଠ ଇଂ ବସନ୍ତ ପାଣିଗ୍ରାହୀ ସାଳନ୍ଦୀ ତଟକୁ ସାବରମତୀ ନଦୀପରି ଗଢି ତୋଳିବାକୁ ସମସ୍ତଙ୍କର ତ୍ୟାଗର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ, ହରମୋହନ ଜେନା, ପୂର୍ବତନ କାଉନ୍‌ସିଲର ଦୁର୍ଗା ଦାସ, ସ୍ୱଦେଶ ପଣ୍ଡା, ବରିଷ୍ଠ ଅଧିବକ୍ତା ତୁଷାରକାନ୍ତି ମହାନ୍ତି ଓ ପବନ ଶର୍ମା, ଡାକ୍ତର ପ୍ରଭାସ ମହାନ୍ତି, ସମାଜସେବୀ ସୁଧାକର ରାଉତ, ଅଶୋକ ମହାନ୍ତି ଓ ସୁବାଷ ବୈରୀଗଂଜନ, ରଘୁନାଥ ସାହୁ, ବୈଲୋଚନ ବେହୁରିଆ, ସଂଜୀବ ମହାନ୍ତି, ନିରୁପମା ମହାନ୍ତି, ନରହରି ଦାସ ପ୍ରମୁଖ ଯୋଗଦେଇ ୩ଟି ଜିଲାର ଜୀବନରେଖା ସାଳନ୍ଦୀକୁ ପ୍ରଦୂଷଣ ମୁକ୍ତ କରିବା ଦିଗରେ ସମସ୍ତଙ୍କ ସହଯୋଗ ଲୋଡି ଏକ କମିଟି ଗଠନ କରାଯାଇ ଏହାର ସଫଳତା ପାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ପ୍ରଫେସର ଡ. ବଳରାମ ମିଶ୍ର ଏହି ସମସ୍ତ କାର୍ଯ୍ୟକୁ ଆଗେଇନେବା ପାଇଁ ଏକତା ହିଁ ବଳ ବୋଲି ସୂଚାଇ ଆସନ୍ତା ୧୫ ଦିନ ମଧ୍ୟରେ ଆଉ ଏକ ବୈଠକ ଡକାଇ କମିଟିର ରୂପରେଖ ଓ କାର୍ଯ୍ୟଶୈଳୀ ଉପରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ ଅଧ୍ୟାପକ ସଂଗ୍ରାମ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।