Odiapua.com

ସାଳନ୍ଦୀ ନଦୀର ଦଳସଫା ନାମରେ ଟେଣ୍ଡର ପୂର୍ବରୁ କାର୍ଯ୍ୟ ସମାପ୍ତ, ଦଳ ନଥାଇ ଅନେକ ସ୍ଥାନରୁ ଅର୍ଥ ହରିଲୁଟର ମସୁଧା

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଳନ୍ଦୀ ଜଳସେଚନ ବିଭାଗ ଅଧୀନରେ ଥିବା ସାଳନ୍ଦୀ ନଦୀରେ ଦଳସଫା ପାଇଁ ଡକାଯାଇଥିବା ଟେଣ୍ଡରରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରିହୋଇଛି । ଏଠାରେ ସୂଚନାଯୋଗ୍ୟ ଏହି ଦଳ ସଫା ପାଇଁ ୧୩.୩୫ ଲକ୍ଷ ଟଙ୍କାର ଟେଣ୍ଡର ଡକାଯାଇଥିଲା । ଏହି ଟେଣ୍ଡରଟିରେ କୁଆଁସ, ସନ୍ଥିଆ, ମଉଦା, ଉତ୍ତରବାହିନୀ ପରିଡାସାହି, ଆହାରପଦା ଠାରେ ଥିବା ପୋଲ ଗୁଡିକ ନିକଟରେ ଆଦୌ ଦଳ ନଥିଲାବେଳେ ଯେଭଳି ଭାବେ ଉକ୍ତ ସ୍ଥାନମାନଙ୍କ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି, ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି । ପ୍ରତିବର୍ଷ ଦଳ ସଫା ନାଁରେ ଧର୍ମକୁ ଆଖିଠାର ମାରିଲା ଭଳି ସେଗୁଡିକ ସଫା କରାଯାଇ ଉପରକୁ ନକାଢି ତଳମୁଣ୍ଡକୁ ଘୋଷାରି ଦେଇ ଠିକାଦାର ଓ ବିଭାଗୀୟ ଅଧିକାରୀମାନେ ସାଧାରଣ ଲୋକଙ୍କ ହିତପାଇଁ ଆସିଥିବା ଅର୍ଥକୁ ରାଧେ ରାଧେ ଅଧେ ଅଧେ ନୀତିରେ ଭାଗବାଣ୍ଟ କରି ଚଳୁ କରନ୍ତି । ଭସାଇ ଦେଉଥିବା ଦଳଗୁଡିକ ତଳମୁଣ୍ଡ ଏବଂ ବିଭିନ୍ନ ସ୍ଥାନରେ ଜମିରହି ନଦୀର ଜଳ ପ୍ରବାହକୁ ଅଟକାଇବା କାରଣରୁ ସାଳନ୍ଦୀ ନଦୀ କ୍ରମଶଃ ଏକ ଦଳ ନାଳରେ ପରିଣତ ହେବାକୁ ବସିଲାଣି । ତେଣୁ ଆସିଥିବା ଅର୍ଥକୁ ବିଭିନ୍ନ ସ୍ଥାନରେ ଲାଗିଥିବା ଦଳଗୁଡିକ ଆନ୍ତରିକତାର ସହ ସଫା କରାଗଲେ ସାଳନ୍ଦୀ ଭଳି ଏକ ପୂଣ୍ୟତୋୟା ନଦୀ ଚିରସ୍ରୋତା ହୋଇ ଆବର୍ଜନା ନାଳ ହେବାରୁ ବଂଚିତ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ଏ ସଂପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁଙ୍କୁ ଯୋଗାଯୋଗ କରିବାରେ ସେ ଯେଉଁ ସ୍ଥାନରେ ଦଳ ନଥିବ, ସେ ସ୍ଥାନର ଫଟୋ ଦେଖି ଆମେ ବିଲ୍ ପାସ୍ କରିବେ ବୋଲି ଏ ପ୍ରତିନିଧିଙ୍କୁ କହିଛନ୍ତି । ତେବେ କନିଷ୍ଠ ଯନ୍ତ୍ରୀଙ୍କ କହିବାନୁସାରେ ଜିଲାପାଳଙ୍କ ନିର୍ଦ୍ଦେଶରେ ଉକ୍ତ କାର୍ଯ୍ୟ ଚାଲିଛି ବୋଲି ସଫେଇ ଦେଇଛନ୍ତି । ମାତ୍ର ଠିକାଦାରଙ୍କ ନାମରେ ଏହି ଦଳସଫା କାର୍ଯ୍ୟ ଏପର୍ଯ୍ୟନ୍ତ ଚୁକ୍ତିନାମା ହୋଇନଥିଲେ ମଧ୍ୟ ଲୋକଙ୍କ ଦ୍ୱାରା ଆରମ୍ଭ ହୋଇଛି । ତେବେ ଏଠାରେ ସୂଚନାଯୋଗ୍ୟ ଅର୍ଜୁନ ସେତୁ ଏବେ ଭଙ୍ଗାଯାଇ ସେଠାରେ ନୂତନ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲୁରହିଥିବାବେଳେ ଏବଂ ସନ୍ଥିଆ, ଉତ୍ତରବାହିନୀ, ମଉଦା, ଆହରପଦା ଭଳି ସ୍ଥାନମାନଙ୍କରେ ଦଳ ଆଦୌ ନଥିବାର ଦେଖାଯାଇଛି । ଏଣୁ ଏଭଳି ଏକ ଘୋଟାଲାର ପର୍ଦ୍ଦାଫାଶ୍ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।