Odiapua.com

ସାଳନ୍ଦୀ ଜଳସେଚନ ବିଭାଗ ଓ ଠିକାଦାରଙ୍କ ଚାଷୀ ମାରଣ ନୀତି : ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଷାଢ ମାସ ସରିବାକୁ ବସିଲାଣି । ଧାରା ଶ୍ରାବଣ ମୁଣ୍ଡ ଉପରେ । ହେଲେ ଆକାଶରୁ ଝରୁନାହିଁ ଅମୃତର ଧାରା । ଫଳରେ ଚାଷୀକୂଳ ଏବେ ମୁଣ୍ଡରେ ହାତଦେଇ ବସିଛି । ବର୍ଷକ ପାଇଁ ସେ ଯେଉଁ ଭାତହାଣ୍ଡି ସଜାଡିବାର ସ୍ୱପ୍ନ ଦେଖିଥିଲା, ତାହା ଆଜି ପ୍ରକୃତିରାଣୀର ନିର୍ଦୟତାରୁ ଭାଙ୍ଗିରୁଜି ଯାଇଛି । ସେଥିରେ ପୁଣି ବାଦ ସାଜିଛି ଓଡ଼ିଶା ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଭଦ୍ରକ ବ୍ଲକ୍ ଅର୍ଣ୍ଣପାଳ ପଂଚାୟତରେ ଥିବା ମଳିକସାହି ରାସ୍ତା ନିକଟ ନାଳିଆ ନଦୀ ଉପରେ ନିର୍ମାଣ ହେଉଥିବା ବିଜୁ ସେତୁ ଯୋଜନାର ନବ ନିର୍ମିତ ସେତୁ । ୪୪୫.୪୬ ଲକ୍ଷ ବ୍ୟୟ ଅଟକଳରେ ଶୈଳବାଳା କନଷ୍ଟ୍ରକସନ ଦ୍ୱାରା ନିର୍ମାଣ ହେଉଥିବା ଶୁଶୁଆ-ମହାନ୍ତିସାହି ଠାରୁ ଯେନାସାହି ପର୍ଯ୍ୟନ୍ତ ଏହି ପୋଲଟିର ନିର୍ମାଣ ଯୋଗୁଁ ସଂପୃକ୍ତ ଠିକାଦାର ପ୍ରାୟ ୧୦୦ ଫୁଟ୍ ନଦୀବନ୍ଧକୁ କାଟିଦେଇଛନ୍ତି । ଦୁର୍ଭାଗ୍ୟକୁ ଏହି ସମୟରେ ହଦଗଡ ଡ୍ୟାମ୍ ପାଣି ଛାଡିବାରୁ ଉକ୍ତ କଟାବନ୍ଧ ଦେଇ ନଦୀଜଳ ଉକ୍ତ ପଂଚାୟତରେ ପ୍ରବେଶ କରିବା ଫଳରେ ରାସ୍ତାଘାଟ ଜଳାର୍ଣ୍ଣବ ହୋଇ ଶହ ଶହ ହେକ୍ଟର ଚାଷଜମିର ଧାନତଳା ୩/୪ ଦିନ ଧରି ଜଳମଗ୍ନ ହୋଇପଡିଛି । ନଦୀବନ୍ଧ କଟାହେବା ଫଳରେ ଏହି ପଂଚାୟତରେ ସୃଷ୍ଟି ହୋଇଛି କୃତିମ ବନ୍ୟା । ଗାଁ ରାସ୍ତା ଉପରେ ପ୍ରବାହିତ ହେଉଛି ଆଣ୍ଠୁଏ ଉଚ୍ଚର ବନ୍ୟାଜଳ । ଯେଉଁଥିପାଇଁ ଚାଷୀ ମୁଣ୍ଡରେ ପଡିଛି ଚଡକ । ଠିକାଦାରଙ୍କ ଏଭଳି ଖାମଖିଆଲ ନୀତି ବିରୁଦ୍ଧରେ ସ୍ଥାନୀୟ ଚାଷୀମାନେ କରିଛନ୍ତି ପ୍ରତିବାଦ । ଏ ଦିଗରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଚାଷୀ ନିର୍ମଳ ତ୍ରିପାଠୀ, ଖଗେଶ୍ୱର ମହାଳିକ, କିଶୋର ମହାନ୍ତି ଓ ଗୋପାଳ ସାହୁ ପ୍ରମୁଖ ଦାବି କରିଛନ୍ତି । ତେବେ ଏହି ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରିଛନ୍ତି ଭଦ୍ରକ ସାଳନ୍ଦୀ ବିଭାଜନର ନିର୍ବାହୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁ । ତାଙ୍କ କହିବା କଥା ହଦଗଡ ଡ୍ୟାମ୍‌ର ବଳକା ପାଣି ଏବେ ବିଭିନ୍ନ ନଦୀରେ ଛଡାଯାଇଛି । ସେଥିପାଇଁ ପାଣି ସବୁ ତଳିଆ ଅଂଚଳ ଦେଇ ପ୍ରବାହିତ ହେଉଛି । ନଦୀରେ ବନ୍ୟା ଆସିନାହିଁ ବୋଲି ସେ ସଫେଇ ଦେଇଛନ୍ତି । ମାତ୍ର ଏହି ବେଆଇନ୍ ନଦୀବନ୍ଧ କଟାଯିବା ମୂଳରେ ଉଭୟ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସାଳନ୍ଦୀ ବିଭାଜନ ଦାୟିତ୍ୱ ରହିଥିବାବେଳେ ଏ ଦିଗରେ ବିଭାଗୀୟ ଅଧିକାରୀମାନଙ୍କ ଅପରିଣାମଦର୍ଶିତ ଦାୟୀ ବୋଲି ଜିଲାର ବିଶିଷ୍ଟ କୃଷକ ନେତା ହୃଦାନନ୍ଦ ରାଉତ ଗଣମାଧ୍ୟମକୁ କହିଛନ୍ତି ।