Odiapua.com

ସାଳନ୍ଦୀ ଜଳସେଚନ ବିଭାଗର ଉଦାସୀନତା, ପୌରାଞ୍ଚଳର ୭ ନମ୍ବର ୱାର୍ଡ଼କୁ ବିପଦ ବିଲାତି ଦଳ

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଳନ୍ଦୀ ଜଳସେଚନ ବିଭାଗର ଉଦାସୀନତା ପୌରାଞ୍ଚଳର ୭ ନମ୍ବର ୱାର୍ଡ଼ ପ୍ରତି ବିପଦର କାରଣ ପାଳଟିଛି। କେବଳ ଏହି ୱାର୍ଡ଼ ନୁହେଁ, ପୌରାଞ୍ଚଳର ୧୫ରୁ ଉର୍ଦ୍ଧ୍ୱ ୱାର୍ଡ଼ ସମ୍ଭାବ୍ୟ ମଧ୍ୟମ ଧରଣର ବନ୍ୟାରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହାର କାରଣ ହେଉଛି ବିଲାତି ଦଳ। ଏଥି ପାଇଁ ନଦୀବକ୍ଷରେ ସ୍ୱାଭାବିକ୍ ଜଳ ପ୍ରବାହ ସମ୍ଭବ ହୋଇ ପାରୁ ନାହିଁ। ଦୀର୍ଘ ବର୍ଷ ଧରି ବିଲାତି ଦଳ ସଫା କରିବାକୁ ଜଳସେଚନ ବିଭାଗ ପକ୍ଷରୁ କୌଣସି ସ୍ଥାୟୀ ସମାଧାନର ବ୍ୟବସ୍ଥା କରାଯାଉ ନାହିଁ। କେବଳ ହଦଗଡ଼ ଡ୍ୟାମ ପାଣି ଛାଡ଼ିଲେ ‘ବାହାଘର ବେଳେ ବାଇଗଣ ରୁଆ’ ସଦୃଶ ଉକ୍ତ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଦଳ ସଫା କରାଯାଇ ମୋଟା ଅଙ୍କର ବିଲ ପ୍ରସ୍ତୁତ କରାଯାଉଛି। ୫ବର୍ଷ ପୂର୍ବେ ଏହି କାରଣରୁ କୁଆଁସ ସ୍ଥିତ ସେତେବେଳେର ଅର୍ଜୁନ ସେତୁର ଆପ୍ରୋଚ ରୋଡ ଧୋଇ ଯାଇଥିଲା। ତେବେ ଅନୁରୂପ ପରିସ୍ଥିତି ଏବେ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ତଥ୍ୟ ଅନୁଯାୟୀ ୭ ନମ୍ବର ୱାର୍ଡ଼ର ଗବସାହିରୁ ଜଗନ୍ନାଥପୁରକୁ ସଂଯୋଗ କରୁଥିବା ଜଳସେଚନ ବିଭାଗର ଏକ ପୋଲ ଏବେ ବିପଦରେ। ବିଭାଗୀୟ ଉଦାସୀନତାରୁ ବିଲାତି ଦଳ ସଫା ହେଉନଥିବା କାରଣରୁ କେବଳ ଉକ୍ତ ପୋଲ ପ୍ର୍ରତି ବିପଦ ସୃଷ୍ଟି ହୋଇ ନାହିିଁ, ବରଂ ଗବସାହି ପ୍ରତି ବିପଦ ଦେଖା ଦେଇଛି। କାରଣ ଉକ୍ତ ପୋଲ ତଳେ ବିପୁଳ ପରିମାଣର ବିଲାତି ଦଳ ଜମା ହୋଇ ରହିଛି। ହଦଗଡ଼ ଡ୍ୟାମରୁ ବନ୍ୟା ଜଳ ଛଡ଼ାଯିବା ପରେ ଏହି ସ୍ଥାନରେ ସ୍ୱାଭାବିକ୍ ଜଳପ୍ରବାହ ସମ୍ଭବ ହୋଇ ପାରୁନି।

ଅପରପକ୍ଷେ ସହରକୁ ସୁରକ୍ଷା ଦେବାକୁ ଉକ୍ତ ନଦୀର ଉଭୟ ପାଶ୍ୱର୍ରେ ରିଂବନ୍ଧ ନିର୍ମାଣ ପ୍ରସ୍ତାବ କେବଳ ପସ୍ତାବରେ ଅଟକି ରହିଛି। ରିଂ ବନ୍ଧ କେତେକ ସ୍ଥାନରେ ସମ୍ପୂର୍ଣ୍ଣ ହୋଇଥିବାବେଳେ, ବାଉଦପୁର ଠାରୁ ଗବସାହି ପର୍ଯ୍ୟନ୍ତ ନଦୀର ବାମ ପାଶ୍ୱର୍ରେ ଏହାର କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରି ନାହିଁ। ଫଳରେ ନଦୀର ବାମ ପାଶ୍ୱର୍ରେ ବସବାସ କରୁଥିବା ସଂପୃକ୍ତ ଅଞ୍ଚଳବାସୀଙ୍କ ପ୍ରତି ପ୍ରତ୍ୟେକ ମୁହୂର୍ତ୍ତରେ ବିପଦ ସୃଷଷ୍ଟି କରୁଛି। କେବଳ ଗବସାହି ନୁହେଁ, ପୌରାଞ୍ଚଳର କୁଆଁସ, ନରିପୁର ଅସ୍ଥଳ, ବଙ୍କସାହି ସମେତ ବହୁ ୱାର୍ଡ଼ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ବାଉଦପୁର ଠାରୁ ଗବସାହି ପର୍ଯ୍ୟନ୍ତ ସାଳନ୍ଦୀର ବାମପାର୍ଶ୍ୱ ରିଂ ବନ୍ଧ ନିର୍ମାଣ କରିବାକୁ ପ୍ରାକ୍ତନ କାଉନସିଲର ସ୍ୱର୍ଣ୍ଣଲତା ସାହୁ ଦାବି କରିଛନ୍ତି। ତେବେ ଦୀର୍ଘ ମାସ ଧରି ଶୋଇ ରହିଥିବା ଭଦ୍ରକ ସାଳନ୍ଦୀ ଜଳସେଚନ ବିଭାଗ ହଦଗଡ଼ ଡ୍ୟାମରୁ ବନ୍ୟାଜଳ ଛଡ଼ାଯିବା ପରେ ହଠାତ୍ ତତ୍ପର ହୋଇ ଉଠିଛି। ଦୁର୍ବଳ ନଦୀବନ୍ଧ ଉପରେ ସତର୍କ ନଜର ରଖାଯିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୩ଦିନ ପୂର୍ବେ ସାଳନ୍ଦୀ ନଦୀର ମଉଦା ଦୁର୍ଗାପୁର ଏସକେପ ଠାରେ ପ୍ରାୟ ଏକଶହ ମିଟରର ଲମ୍ବା ବିଲାତି ଦଳ ପାଇଁ ସ୍ଥାନୀୟ ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଥିଲା। ତେଣୁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଧସ୍ତନ ଯନ୍ତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାର୍ଯ୍ୟରେ ବିଲାତି ଦଳ ସଫା କରିବାକୁ ବ୍ୟବସ୍ଥା କରିଥିଲେ। ଯାହାକି ଆନ୍ତରିକତାହୀନ ଓ ଲୋକ ଦେଖାଣିଆ ବୋଲି ଚର୍ଚ୍ଚା ହେଉଛି। ତେଣୁ ଜିଲ୍ଲାବାସୀଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ସାଳନ୍ଦୀ ନଦୀର ସୁରକ୍ଷା ତଥା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ସାଧାରଣରେ ଦାବି ହୋଇଛି।