Odiapua.com

ସାଳନ୍ଦୀ ଓ ବୈତରଣୀରେ ଲୁଣାପାଣି ଯୋଗୁଁ ଚାଷକାର୍ଯ୍ୟ ଉଜୁଡିବାର ଆଶଙ୍କା, ନଦୀଗର୍ଭରୁ ବେଆଇନ୍ ବନ୍ଧ ହଟାଇବାକୁ ସାଳନ୍ଦୀ ବିକାଶ ମଂଚର ଦାବି

ଭଦ୍ରକ, ୬ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ଓ ଚାନ୍ଦବାଲି ବ୍ଲକ୍ ଅଂଚଳର ବାରସର, ଗୋବିନ୍ଦପୁର, ଶ୍ୟାମସୁନ୍ଦରପୁର, ଘଟପୁର, ମାଧପୁର, ଭୂଇଁବୃତ୍ତି, ତେନ୍ତୁଳିଡିହ, ନାନ୍ଦପୁର, ଆରଡି ଭଳି ପଂଚାୟତରେ ଥିବା ହଜାର ହଜାର ହେକ୍ଟର ଡାଳୁଅ ଓ ରବି ଚାଷ ଏବେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଳନ୍ଦୀ ଓ ଗେଙ୍ଗୁଟି ନଦୀରେ ଲୁଣା ଜୁଆର ଯୋଗୁଁ ନଷ୍ଟ ହେବାକୁ ବସିଛି । ଏ ଦିଗରେ ନା ଜଳସେଚନ ବିଭାଗ, ନା କୃଷି ବିଭାଗ ଦାୟିତ୍ୱ ଥିବାଭଳି ମନେ ହେଉନାହିଁ ବୋଲି ବହୁ ଚାଷୀଙ୍କ ଅଭିଯୋଗରୁ ଜଣାପଡିଛି । ଏଠାରେ ପ୍ରକାଶ ଥାଉକି ସାଳନ୍ଦୀ ଏବଂ ବୈତରଣୀର ଉପର ମୁଣ୍ଡର ଜଳପ୍ରବାହ ଯୋଗୁଁ ଲୁଣିପାଣି ଏତେଶୀଘ୍ର ଉପରୋକ୍ତ ଅଂଚଳଗୁଡିକୁ ପ୍ରବାହିତ ହୋଇନଥାଏ । ମାତ୍ର ଉପର ମୁଣ୍ଡରେ ସାଳନ୍ଦୀର ଜଳ ପ୍ରବାହକୁ ରୋକାଯିବା ଫଳରେ ତାହା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ପ୍ରାକୃତିକ ଭାବେ ନଦୀଜଳ ଏ ସମସ୍ତ ଅଂଚଳକୁ ଗତାନୁଗତିକ ଭାବେ ପ୍ରବାହିତ ହୋଇଥାଏ । ଏହି ଜଳକୁ ଜଳସେଚନ ବିଭାଗ ଏବେ କଳକାରଖାନା, ଫେକର ପାୱାର ପ୍ଲାଣ୍ଟକୁ ବିକ୍ରି କରିବା ସହ ନଦୀଜଳର ସୁବିନିଯୋଗ ନକରିବା ଫଳରେ ସେ ତାର ପ୍ରାକୃତିକ ପ୍ରଭାବ ହରାଇଛି । ଏତଦ୍‌ବ୍ୟତୀତ ନଦୀଗର୍ଭ ଏବେ କେତେକ ମାଟି, ଇଟା, ବାଲି ମାଫିଆଙ୍କ କବଜାକୁ ଚାଲିଯିବା ଫଳରେ ନଦୀର ଅନ୍ତସ୍ରୋତ ବାଧାପ୍ରାପ୍ତ ହୋଇ ତାର ପ୍ରକୃତ କଳେବର ହରାଇଚାଲିଛି ।

ଏ ଦିଗରେ ଜିଲାପାଳଙ୍କୁ ଅବଗତ କରାଯିବାରେ ସେ କାହାରିକୁ ଖନନ ପାଇଁ ଅନୁମତି ପ୍ରଦାନ କରାନଯିବା କଥା କହୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଓଲଟା ପରିଲକ୍ଷିତ ହୋଇଛି । ବନ୍ତ ଓ ଭଦ୍ରକର ସାଳନ୍ଦୀ, ଧାମନଗର ବ୍ଲକ୍‌ର ବୈତରଣୀ ଓ ଶାଖାନଦୀଗୁଡିକର ପାଶ୍ୱର୍ବନ୍ଧ ଏବେ ମାଫିଆମାନଙ୍କ କବଜାକୁ ଚାଲିଗଲାଣି । ଏହି ୩ଟି ବ୍ଲକ୍‌ର ତହସିଲ ପକ୍ଷରୁ ବହୁ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କୁ ନଦୀପାଶ୍ୱର୍ଗୁଡିକ ଲିଜ୍ ଦିଆଯାଇଛି । ଯାହା ଜିଲାପାଳଙ୍କ ଅଗୋଚରରେ ବୋଲି ତାଙ୍କ ସ୍ପଷ୍ଟିକରଣରୁ ଜଣାଯାଏ । ଯାହାର ପରିଣାମ ଏବେ କେବଳ ଉକ୍ତ ଅଂଚଳର ଚାଷୀକୂଳ ନୁହଁନ୍ତି । ସାଧାରଣ ଲୋକେ ମଧ୍ୟ ଭୋଗୁଛନ୍ତି । ଖରିଫ ଫସଲ ବନ୍ୟାରେ ନଷ୍ଟ ହୋଇଥିବାରୁ ଏହି ଜିଲାର ତିହିଡି ବ୍ଲକ୍‌ର ଗୋବିନ୍ଦପୁର ଓ ବାରସର ପଂଚାୟତବାସୀ ନିଜ ପରିବାର ପ୍ରତିପୋଷଣ ପାଇଁ ରବି ଚାଷ କରିଛନ୍ତି । ଧାର କରଜ କରି ଏହି ଚାଷ କରିଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହର ସମୁଦ୍ର ଜୁଆରର ଲୁଣାଜଳ ସାଳନ୍ଦୀ ଗେଙ୍ଗୁଟି ନଦୀରେ ମାଡିବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଭାଳେଣି ପଡିଛି । ଏଣୁ ଏହି ଲୁଣାପାଣିକୁ ଅଟକ କରାନଗଲେ ଧାନଚାଷ ସହ ରବି ଚାଷ ମଧ୍ୟ ନଷ୍ଟ ହେବାର ସମ୍ଭାବନା ଥିବାରୁ ଚାଷୀମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଚଳିତବର୍ଷ ପ୍ରାୟ ୨ ହଜାର ହେକ୍ଟର ଜମିରେ ଚାଷ ହୋଇଛି । ସମୁଦ୍ର ଜୁଆର ବୈତରଣୀ ନଦୀ ଅତିକ୍ରମ କରି ସାଳନ୍ଦୀ ନଦୀରେ ଆସି ପାଲଟପୁର ଓ ଧାନକଣିଆ ପର୍ଯ୍ୟନ୍ତ ଲୁଣାପାଣି ମାଡିଆସିଲାଣି । ଅଳ୍ପ କେଇଦିନ ମଧ୍ୟରେ ଏହା ଉପରୋକ୍ତ ପଂଚାୟତଗୁଡିକର ଚାଷକୁ କ୍ଷତିଗ୍ରସ୍ତ କରିବାର ସମ୍ଭାବନା ରହିଛି । ଏଣୁ ରବିଋତୁରେ ଯଦି ସାଳନ୍ଦୀ ନଦୀର ଉପର ମୁଣ୍ଡରେ ପାଣି ଛଡାଯାଏ, ଉକ୍ତ ଲୁଣାପାଣିକୁ ଅଟକ ରଖାଯାଇପାରିବ ବୋଲି ଦାବି ହୋଇଛି । ତେବେ ଏହି ଘଟଣାରେ ଭଦ୍ରକ ଜଳସେଚନ ବିଭାଗ ପକ୍ଷରୁ ତଦନ୍ତ କରାଯାଇଛି ।

ଜିଲା ମୁଖ୍ୟ କୃଷି ଅଧିକାରୀ ଜଗନ୍ନାଥ ନନ୍ଦ, ଜିଲା କୃଷି ଅଧିକାରୀ ପ୍ରସାଦ ନାୟକ, ବ୍ଲକ୍ କୃଷି ଅଧିକାରୀ ରଘୁନାଥ ପାଣି, ଗ୍ରାମ କୃଷି ଅଧିକାରୀ ପ୍ରମୁଖ ରବି ଫସଲ କ୍ଷେତ ବୁଲି କ୍ଷେତ୍ରୀୟ ତଦନ୍ତ କରି ଏକ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ବୋଲି ପ୍ରଶାସନ ପକ୍ଷରୁ ଜଣାଯାଇଛି । ଗାଈଗୋରୁଙ୍କ ଗୋଚର ଜମି ଓ ପାଣି ଟୋପାଏ ପାଇବା ପାଇଁ ତୁରନ୍ତ ଉପର ମୁଣ୍ଡ ଡ୍ୟାମ୍‌ରୁ ଜରୁରୀକାଳୀନ ଭିତ୍ତିରେ ଜଳ ଛଡାଯିବା ସହ ନଦୀଗର୍ଭରେ ଥିବା ବେଆଇନ୍ ବନ୍ଧଗୁଡିକୁ ହଟାଇ ଲିଜ୍‌ଧାରୀ ମାଫିଆଙ୍କ କାର୍ଯ୍ୟରେ ଅଂକୁଶ ନଲଗାଇଲେ ଆଗାମୀ ଦିନରେ ସାଳନ୍ଦୀ ବିକାଶ ମଂଚ ଏକ ବଡ ଧରଣର ଜନ ଆନ୍ଦୋଳନ ଗଢି ତୋଳିବ ବୋଲି ଜିଲା ପ୍ରଶାସନକୁ ଚେତାବନୀ ଦିଆଯିବା ସହ ଏ ସଂପର୍କରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।