Odiapua.com

ସାରା ରାଜ୍ୟରେ ମୋଦିଙ୍କ ସମର୍ଥନରେ ଜୁଆର ସୁନାମୀର ରୂପ ନେବ-ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର ଓ ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

– ଯାଜପୁର ପାଇଁ ମୋଦିଙ୍କ ୬ ହଜାର କୋଟି ଟଙ୍କାର ତୈଳ ପ୍ରକଳ୍ପରେ ନବୀନ ବାଧକ ସାଜିଥିବା ବେଳେ ତୈଳ ପ୍ରକଳ୍ପକୁ ପୂରଣ କରିବ ବିଜେପି ସରକାର
– ବିଜେପି ସରକାର ହେଲେ ନୂଆ ଶିଳ୍ପ କେନ୍ଦ୍ରର ପେଣ୍ଠସ୍ଥଳ ହେବ ଚଣ୍ଡିଖୋଲ
– ପାରାଦୀପରୁ ଡୁବୁରି ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ୮ ଲେନ୍ କରାଯିବ
– ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲେ ଭାରତରେ ଦିପାବଳୀ ହେବ, କିଛି ଲୋକେ ଏବେ ପାକିସ୍ଥାନରେ ଦିପାବଳୀ ହେବାକଥା ଚିନ୍ତା କରୁଛନ୍ତି
– ଚଣ୍ଡିଖୋଲର ବିକାଶରେ ରାଜ୍ୟ ସରକାର ବାଧକ
– ମଦ ପଇସା ବାଂଟି, ମାଲ ପିଇ ମାରପିଟ୍ କରୁଥିବା ଦଳର ନାଁ ବିଜୁ ଜନତା ଦଳ
– ପ୍ରଜାତନ୍ତ୍ରକୁ ଦବେଇବାର ଅପଚେଷ୍ଟା କଲେ ଓଡିଆ ଲୋକମାନେ ତାହାର ଜବାବ ଭୋଟରେ ଦେବେ
– ବ୍ଲାକରୋଜ ଓ ଚିଟଫଣ୍ଡ ଲୁଟେରାଙ୍କୁ ଦିଆଯିବ ଉଚିତ୍ ଜବାବ୍

ଭୁବନେଶ୍ୱର/ବାଲେଶ୍ୱର/ବସ୍ତା/ଯାଜପୁର/ଧର୍ମଶାଳା/ବଡଚଣା, ଅପ୍ରେଲ ୨୩ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଓ ଗରୀବ କଲ୍ୟାଣ କାର୍ଯ୍ୟକ୍ରମରେ ଯେଉଁମାନେ ବାଧକ ସାଜୁଛନ୍ତି ସେମାନେ ଓଡିଆ ଲୋକମାନଙ୍କୁ ରୋକିପାରିବେ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସାରା ରାଜ୍ୟରେ ମୋଦିଙ୍କ ସମର୍ଥନରେ ଯେଉଁ ଜୁଆର ଉଠିଛି, ତାହା ସୁନାମୀର ରୂପ ନେବ। ଲୋକମାନେ ମାତିଲେ ଭ୍ରଷ୍ଟାଚାରୀ, ସ୍ୱେଚ୍ଛାଚାରୀ ଓ ଧର୍ଷଣକାରୀଙ୍କ ଦିନ ଶେଷ ହୋଇଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବାଲେଶ୍ୱର ଜିଲ୍ଲାର ବସ୍ତା, ଯାଜପୁର, ଧର୍ମଶାଳା ଓ ବଡଚଣା ନିର୍ବାଚନ ମଣ୍ଡଳିରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ୬ ହଜାର କୋଟି ଟଙ୍କା ବ୍ୟୟରେ ବିଦେଶରରୁ ତୈଳ ଆଣି ଗଚ୍ଛିତ କରିବା ପାଇଁ ତୈଳ ଭଣ୍ଡାର ତିଆରି କରିବାର ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ଦ୍ୱାରା କରାଯାଇଥିଲା। ମାତ୍ର ଏଠାକାର ପ୍ରତିନିଧିମାନେ ଦଲାଲ୍ ମାନଙ୍କୁ ଡଙ୍କାରୀପାହାଡ ବିକ୍ରି କରିଦେଲେ। ତେବେ ଏମାନେ ୬ ହଜାର କୋଟି ଟଙ୍କା କେଉଁଠି ନିବେଶ କରିବେ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ସରକାର ଏହିି ପ୍ରକଳ୍ପ ପାଇଁ ଜାଗା ନଦେଇ ବାଧକ ସାଜିଥିବା ବେଳେ ବିଜେପି ସରକାର ହେଲେ ଏହି ତୈଳ ପ୍ରକଳ୍ପକୁ ପୂରଣ କରାଯିବ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି।

କେନ୍ଦ୍ର ସରକାର ଏ ଅଂଚଳରେ ଟଙ୍କା ଖର୍ଚ୍ଚ କରି ଅନେକ ପ୍ରକଳ୍ପ କରିବାକୁ ଚାହୁଁଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ସହଯୋଗ କରୁନାହାଁନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୋଟିଏ ସମୟରେ ବଡଚଣାର ଝୋଟ ଓଡିଶା

ଶିଳ୍ପର ପ୍ରତୀକ ଥିଲା। ଓଡିଶାରେ ଡବଲ ଇଞ୍ଜିନର ସରକାର ହେଲେ ଚଣ୍ଡିଖୋଲ ନୂଆ ଶିଳ୍ପ କେନ୍ଦ୍ରର ପେଣ୍ଠସ୍ଥଳ ହେବ, ପାରାଦୀପରୁ ଡୁବୁରି ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ୮ ଲେନ୍ କରାଯିବ। ସେହିପରି ବିଶ୍ୱସ୍ତରର ମ୍ୟାନୁଫାକଚରିଂ କ୍ଲଷ୍ଟର ଏଠାରେ ତିଆରି କରାଯିବ, କଳିଙ୍ଗ ନଗରକୁ ବନ୍ଦର ସହ ଯୋଡାଯିବ, ଗ୍ଲୋବାଏ ସ୍ଲପାଏ ଚେନ୍ ଏହି ଅଂଚଳରେ ତିଆରି କରାଯିବ, ଚଣ୍ଡିଖୋଲକୁ ଏକ ସ୍ୱତନ୍ତ୍ର ବ୍ୟବୟାୟିକ କେନ୍ଦ୍ର ତିଆରି କରାଯିବ, ଯେଉଁଠିକୁ ବିଶ୍ୱ ଆସିବ। ଚଣ୍ଡିଖୋଲକୁ ଏକ ଆଦର୍ଶ ଅଂଚଳ ଭାବେ ତିଆରି କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନର ସରକାର ହେଲେ ଯାଜପୁରରେ ମଦ କାରବାରକୁ ବନ୍ଦ କରାଯିବ। ସେହିପରି ସ୍ଥାନୀୟ ଅଂଚଳର ଦଶହରା ପଡିଆକୁ କିଛି ଅସମାଜିକ ଲୋକ ଜବରଦଖଲ କରିଥିବା ବେଳେ ବିଜେପି ସରକାର ହେଲେ ଏହାକୁ ଆଦର୍ଶ ପଡିଆ ଭାବେ ଗଢାଯିବ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ପାଇଁ ମୋଦି କଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରୁଛନ୍ତି। ନରେନ୍ଦ୍ର ମୋଦି ଯାଜପୁର ଜିଲ୍ଲା ପାଇଁ ମେଡିକାଲ କଲେଜ୍ ଦେଇଛନ୍ତି। ଆଗାମୀ ୫ ବର୍ଷ ଭିତରେ ଯାଜପୁର ସହର ଓ ଚଣ୍ଡିଖୋଲ ଅଂଚଳର ପ୍ରତି ଘରକୁ ପାଇପ ଯୋଗେ ଗ୍ୟାସ୍ ପହଁଚାଯିବା ନରେନ୍ଦ୍ର ମୋଦିଙ୍କ ସରକାରର ଯୋଜନା। ଶ୍ରୀ ପ୍ରଧାନ କହିଛନ୍ତି ଯେ ୫ରୁ ୧୦ ଜଣ ଓଡିଶା ବିରୋଧୀ ଅଧିକାରୀମାନେ ଚେଲାଚେପାତି, ଗୁମାସ୍ତା, କୁଜି ନେତାଙ୍କୁ ଧରି ଓଡିଆ ଲୋକଙ୍କୁ ଦବେଇ ଦେବେ ବୋଲି ଭାବୁଛନ୍ତି। ପ୍ରଜାତନ୍ତ୍ରକୁ ଦବେଇବାର ଅପଚେଷ୍ଟା କଲେ ଓଡିଆ ଲୋକମାନେ ତାହାର ଜବାବ ଭୋଟରେ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଗୁଣ୍ଡାମୀ କରୁଥିବା କଥା କହୁଛନ୍ତି। ପ୍ରଦୀପ ମହାରଥୀ ବିଜେପି ନା ବିଜେଡି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିବା ସହ ଯେ ମଦ ପଇସା ବାଂଟି, ମାଲ ପିଇ ମାରପିଟ୍ କରେ ତା ନାଁ ବିଜୁ ଜନତା ଦଳ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ ନବୀନ ବାବୁ ମୋଦି ଓ ପରିବର୍ତ୍ତନ ନା ଶୁଣିଲେ ଚିହିଁକି ଉଠୁଛନ୍ତି ଏବଂ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ନକରେଇ ଦେବା ପାଇଁ ଚାହୁଁଛନ୍ତି। ଡବଲ ଇଞ୍ଜିନ ସରକାର ହେଲେ ବ୍ଲାକରୋଜ ଦୁର୍ନୀତି, ପିସି ନେଉଥିବା ଅଧିକାରୀ, ଟିଟପଣ୍ଡ ଚୋରଙ୍କୁ ତିନି ମାସରେ ଜେଲ ପଠାଯିବ ବୋଲି ମୋଦି କହିଥିବା ବେଳେ ଏଥିପାଇଁ ନବୀନଙ୍କ ରାଗ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ନରେନ୍ଦ୍ର ମୋଦିଙ୍କ ପ୍ରଭାବକୁ ରୋକିବା ପାଇଁ ଅପଚେଷ୍ଟା କରୁଥିବା ଲୋକମାନେ ସଫଳ ହେବେ ନାହିଁ। ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବା ପାଇଁ ପଦ୍ମ ଫୁଲ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବାର ରହିଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲେ ଭାରତରେ ଦିପାବଳୀ ହେବ। କିଛି ଲୋକେ ଏବେ ପାକିସ୍ଥାନରେ ଦିପାବଳୀ ହେବାକଥା ଚିନ୍ତା କରୁଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସାରା ଦେଶ ମଜଭୂତ ସରକାର ଚାହୁଁଥିବା ବେଳେ, ନବୀନ ବାବୁ ଅସ୍ଥିର ସରକାର ଚାହୁଁଛନ୍ତି। ଦେଶରେ ମଜଭୂତ ସରକାର ନହେଲେ ପାକିସ୍ଥାନକୁ କିପରି ଜବାବ ଦିଆଯିବ ବୋଲି ସେ କହିବା ସହ ଦିଲ୍ଲୀ ଓ ଭୁବନେଶ୍ୱରରେ ମୋଦି ସରକାରଙ୍କ ଡବଲ ଇଞ୍ଜିନ୍ ଲଗାଇବାକୁ ସେ ଆହ୍ୱାନ କରିଥିଲେ।