Odiapua.com

ସାରଳା ସିକ୍ୟୁରିଟି ଏଜେନ୍‌ସିକୁ ମିଥ୍ୟା ବଦ୍‌ନାମ କରାଯାଉଛି – ସଂସ୍ଥା

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଏକ ଖ୍ୟାତି ସମ୍ପନ୍ନ ସିକ୍ୟୁରିଟି ସଂସ୍ଥା ସାରଳା ସିକ୍ୟୁରିଟି ସଂସ୍ଥାକୁ ମିଛରେ ବଦ୍‌ନାମ କରାଯାଉଛି । ଏହି ସଂସ୍ଥା ଦୀର୍ଘବର୍ଷ ଧରି ଭଦ୍ରକ ମେଡିକାଲରେ ସିକ୍ୟୁରିଟି ଗାର୍ଡ ଯୋଗାଇ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ତୁଲାଇ ଆସିଛି । ମାତ୍ର ଏହାର କାର୍ଯ୍ୟକାଳ ପୂରଣ ପରେ ଗତ ୨୦୧୯ ମସିହାରେ ପୁନଃ ନବୀକରଣ କରାଯାଇ କାର୍ଯ୍ୟଭାର ଅର୍ପଣ କରାଯାଇଥିଲା । ମାତ୍ର ୨୦୨୦ରେ କରୋନା ଜନିତ ଏହାର ନବୀକରଣ ହୋଇ ନ ଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ନୂତନ କାର୍ଯ୍ୟବର୍ଷ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ । ଯେଉଁଥିରେ ସାରଳା ସିକ୍ୟୁରିଟି ଏଜେନ୍‌ସି ଭାଗ ନେଇ ନ ଥିଲା । ମାତ୍ର ଏହି ଟେଣ୍ଡରରେ ଭାଗ ନେଇଥିବା ଭବାନୀ ସିକ୍ୟୁରିଟି ଏଜେନ୍‌ସି ଆକ୍ରୋଶମୂଳକ ଭାବେ ସାରଳା ଏଜେନ୍ସିକୁ ବଦ୍‌ନାମ କରିବା ପାଇଁ ଯାବତୀୟ ମିଥ୍ୟା ଆରୋପ କରିଛି । ସେ କରିଥିବା ଅଭିଯୋଗ ଅନୁଯାୟୀ ସାରଳା ଏଜେନ୍‌ସିର ପସରା ଲାଇସେନ୍‌ସ (ପ୍ରାଇଭେଟ ସିକ୍ୟୁରିଟି ଏଜେନ୍‌ସି ରେଗୁଲେସନ ଆକ୍ଟ ଲାଇସେନ୍‌ସ) ନଥିବା ଆରୋପର ଉତ୍ତର ଦେବାକୁ ଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ସାରଳା ଏଜେନ୍‌ସିର କାର୍ଯ୍ୟକର୍ତ୍ତା ଭାଗିରଥୀ ନାୟକ କହିଛନ୍ତି ଯେ ଏହି ଲାଇସେନ୍‌ସ ନିମନ୍ତେ ସଂସ୍ଥା ପକ୍ଷରୁ ଆବେଦନ କରାଯାଇଛି । ଯାହର କ୍ଷେତ୍ରୀୟ ତଦନ୍ତ ଶେଷ ହୋଇଛି । କେବଳ ଲାଇସେନ୍‌ସ୍ ଆସିବାକୁ ବାକି ରହିଛି । ଏପରି ସ୍ଥଳେ ଭବାନୀ ସିକ୍ୟୁରିଟି ସଂସ୍ଥା, ଯାହାର ମଧ୍ୟ ପସରା ଲାଇସେନ୍‌ସ ନାହିଁ, ସେ ଅଭିଯୋଗ କରିବା କେତେଦୂର ସମିଚୀନ ତାହା ପ୍ରଶ୍ନବାଚୀ ବୋଲି ନାୟକ କହିଛନ୍ତି । ଦ୍ୱିତୀୟରେ ସାରଳା ସିକ୍ୟୁରିଟି ସଂସ୍ଥାରେ କାର୍ଯ୍ୟ କରୁଥିବା ସମସ୍ତ ନିୟମିତ ସିକ୍ୟୁରିଟି ଗାର୍ଡଙ୍କର ନିୟମାନୁଯାୟୀ ଇପିଏଫ୍ ଜମା କରାଯାଉଛି । ଅନ୍ୟପକ୍ଷରେ ଯେଉଁସବୁ ଡକ୍ୟୁମେଣ୍ଟ ସମ୍ପର୍କରେ ଆରୋପ କରାଯାଇଛି, ଟେଣ୍ଡର ସମୟରେ ସେ ସମସ୍ତ ଡକ୍ୟୁମେଣ୍ଟଣ୍ଟ କାହିଁକି ଦାଖଲ କରିବାକୁ କୁହା ଯାଇ ନ ଥିଲା ଏବଂ ଏହା କାହାର ଭୁଲ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ବିନା କାଗଜପତ୍ର ଯାଞ୍ଚରେ ଟେଣ୍ଡରକୁ ଗ୍ରହଣ କିପରି କରାଯାଇଥିଲା । ଯାହା ଦୀର୍ଘ ୫ ବର୍ଷ ପରେ କୁହାଯାଉଛି ବୋଲି ଶ୍ରୀ ନାୟକ କହିଛନ୍ତି । ଏହା ଅତ୍ୟନ୍ତ ହାସ୍ୟାସ୍ପଦ କଥା । ଟେଣ୍ଡରରେ ଭାଗ ନେଇ ନ ଥିବା ବେଳେ ଯେଉଁ ସଂସ୍ଥା ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ପାଇଛନ୍ତି ସେ ସଂସ୍ଥା ସିକ୍ୟୁରିଟି ଗାର୍ଡ ଯୋଗାଇବା ଦାୟିତ୍ୱ ତାଙ୍କର । ଅଯଥାରେ ଏକ ଖ୍ୟାତି ସମ୍ପନ୍ନ ସଂସ୍ଥାକୁ ବଦ୍‌ନାମ କରିବାକୁ ଯେଉଁ ହୀନ ପ୍ରୟାସ କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଏଭଳି ହେଲେ ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ ଉପୁଜିଥିବା ବିବାଦ ପାଇଁ ମେଡିକାଲ କର୍ତ୍ତୃପକ୍ଷ ହିଁ ଦାୟୀ ରହିବେ ବୋଲି ଶ୍ରୀ ନାୟକ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ।