Odiapua.com

ସାରର ଅଭାବୀ ବିକ୍ରି ଓ କଳାବଜାରୀ ରୋକିବା ପାଇଁ ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ଆନ୍ଦୋଳନ ଚେତାବନୀ

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଖରିଫ ଋତୁରେ ଭଦ୍ରକ ଜିଲ୍ଲାର ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକରେ ସାର ଓ କୀଟନାଶକ ଔଷଧର ବ୍ୟାପକ କଳାବଜାରୀ ହେବା ସହିତ ଅଭାବ ଦେଖା ଦେଇଛି । ଚାଷୀ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ବିଷ, ସାର ପାଇ ପାରୁ ନାହିଁ । ଖରିଫ ଚାଷ ପାଇଁ ପର୍ଯ୍ୟାପ୍ତ ପାଣିର ଅଭାବ ସମୟରେ ଚାଷକୁ ବଞ୍ଚାଇବା ପାଇଁ ଚାଷୀ ସାର ବିଷ ପ୍ରୟୋଗ କରି ଆପ୍ରାଣ ଉଦ୍ୟମ ଜାରୀ ରଖିଥିବା ବେଳେ କିଛି ମୁନାଫାଖୋର ସାର ବ୍ୟବସାୟୀ ବ୍ୟାପକ ପରିମାଣରେ ସାରର କଳାବଜାର କରିବାରେ ଲାଗି ପଡିଛନ୍ତି । ଫଳରେ ଚାଷୀ ବହୁ ଚଢା ଦରରେ ସାର କିଣିବାକୁ ବାଧ୍ୟ ହେଉଛି । ବାପ ରାଣେ ଢେଙ୍କି ଗିଳିବା ନୀତିରେ ଚାଷ ବଞ୍ଚାଇବା ପାଇଁ ଚାଷୀ ସର୍ବସ୍ୱ ହରାଉଛି । ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକରେ ସରକାରୀ ପଞ୍ଜିକୃତ ୧୨୦ଜଣ ଡିଲର ଓ ୪୦୦ ସବ୍‌-ଡିଲରଙ୍କ ମଧ୍ୟରୁ ଅର୍ଦ୍ଧାଧିକ ନିଜ ନିଜର ଗୋଦାମ (ଷ୍ଟକ ପଏଣ୍ଟ)ରେ ସାର ଗଚ୍ଛିତ ନରଖିବା ସହ ସରକାରଙ୍କ ଦ୍ୱାରା ଅନୁମୋଦିତ ସାର ମୂଲ୍ୟର ତାଲିକା କାନ୍ଥରେ ପ୍ରଦର୍ଶିତ ନକରି ଅହେତୁକ ଭାବରେ ମନଇଚ୍ଛା ସାରର ମୂଲ୍ୟ ନେଇ ଗରିବ ଚାଷୀମାନଙ୍କୁ ଶୋଷଣ କରୁଛନ୍ତି । ଚାଷୀମାନଙ୍କ ଆଧାର କାର୍ଡ ଆଣି ଫିଙ୍ଗରପ୍ରିଣ୍ଟ ନେଇ ସେମାନଙ୍କ ନାମ ରେଜିଷ୍ଟ୍ରେସନ କରି ରେଜିଷ୍ଟରରେ ସରକାରୀ ମୂଲ୍ୟ ଲେଖୁଥିବା ବେଳେ ବାସ୍ତବରେ ଚାଷୀ କିନ୍ତୁ ସରକାରୀ ମୂଲ୍ୟରେ ସାର ପାଉନାହିଁ ।

ଡିଲର ଓ ସବ୍ ଡିଲରମାନେ ସେମାନଙ୍କର ପଞ୍ଜିକୃତ ଷ୍ଟକ ପଏଣ୍ଟରେ ସାର ନରଖି ଅନ୍ୟ ସ୍ଥାନରେ ହୋର୍ଡିଂ କରି ରଖୁଛନ୍ତି । ଯାହାକୁ ସେମାନେ କଳାବଜାରରେ ବିକ୍ରି କରିବାକୁ ସକ୍ଷମ ହେଉଛନ୍ତି । ପ୍ରତ୍ୟେକ ଡିଲର ଏବଂ ସବ୍ ଡିଲରଙ୍କ ଷ୍ଟକ ପଏଣ୍ଟ ଯାଞ୍ଚ କରିବା, ଷ୍ଟକ ପଏଣ୍ଟରେ ସାରର ମୂଲ୍ୟ ତାଲିକା କାନ୍ଥରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଟଙ୍ଗାଯିବା, ଠିକ୍ ସମୟରେ ଚାଷୀଙ୍କୁ ଆବଶ୍ୟକତା ଅନୁଯାୟୀ ସାର ଯୋଗାଇ ଦେବା, ସାରର ମାନ ଯାଞ୍ଚ କରିବା ଭଳି ଦାବି ନେଇ ବିଜେପି ଭଣ୍ଡାରିପୋଖରୀ ନେତା ବଦ୍ରି ନାରାୟଣ ଧଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ଶ୍ରୀଯୁକ୍ତ ଧଳଙ୍କ ସହିତ ଶଙ୍କର୍ଷଣ ଜେନା, ବନମାଳୀ ଜେନା, ଖଗେଶ୍ୱର ବେହେରା, ନବକିଶୋର ବଳ, ମନୋଜ କୁମାର ବିଶ୍ୱାଳ, ବସନ୍ତ ବାରିକ, ମହେଶ୍ୱର ସେଠୀ, ପ୍ରକାଶ ମହାପାତ୍ର, ନରନାରାୟଣ ପରିଡା, ରତ୍ନାକର ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ । ୭ଦିନ ମଧ୍ୟରେ ଜିଲ୍ଳାପାଳ କୌଣସି ପଦକ୍ଷେପ ନ ନେଲେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀଯୁକ୍ତ ଧଳ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।