Odiapua.com

ସାରନା ଧର୍ମକୁ ସାମ୍ବିଧାନିକ ମାନ୍ୟତା ଦାବି: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ‘ଆଦିବାସୀ ସେଙ୍ଗେଲ ଅଭିଯାନ’ର ସ୍ମାରକପତ୍ର

ବାଲେଶ୍ୱର, ୨୩ା୧(ଓଡ଼ିଆ ପୁଅ/ଅଭୟ ଦାସ): ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ସ୍ୱତନ୍ତ୍ର ଧର୍ମର ମାନ୍ୟତା ଦାବିରେ ‘ଆଦିବାସୀ ସେଙ୍ଗେଲ ଅଭିଯାନ’ବାଲେଶ୍ୱର ଶାଖା ପକ୍ଷରୁ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପ୍ରଥମ ଜାତି ଭାବେ ଆଦିବାସୀମାନେ ସମସ୍ତ ପ୍ରକାର ପର୍ବପର୍ବାଣୀ ପାଳନ କରିବା ସହ ପ୍ରକୃତିକୁ ପୂଜା କରିଆସୁଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୨୫ ଅନୁସାରେ ଆଦିବାସୀମାନେ ପାଳନ କରିଆସୁଥିବା ସାରନା ଧର୍ମକୁ ସାମ୍ବିଧାନିକ ମାନ୍ୟତା ଦେବାକୁ ସେମାନେ ଦାବି କରିଛନ୍ତି। ଦେଶ ସ୍ୱାଧୀନତା ପରଠାରୁ ସମ୍ବିଧାନରେ ସେମାନଙ୍କୁ ତଫସିଲଭୁକ୍ତ ଉପଜାତି ଅନ୍ତର୍ଗତ ଗ୍ରହଣ କରାଯାଇଥିବା ବେଳେ ଅଦ୍ୟାବଧି ତାଙ୍କର ଧର୍ମ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇ ନାହିଁ। ଏଭଳି ସ୍ଥିତିରେ ସେମାନେ ହିନ୍ଦୁ, ନା ମୁସଲମାନ କିମ୍ବା ଖ୍ରୀଷ୍ଟିୟାନ ଏ ସମ୍ପର୍କରେ ଏ ଯାବତ ସ୍ପଷ୍ଟ ହୋଇନଥିବା ଆଦିବାସୀ ସେଙ୍ଗେଲ ଅଭିଯାନର କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି। ଆବାହମାନ କାଳରୁ ସମସ୍ତ ଚଳଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାରନା ଧର୍ମ ନିର୍ଦ୍ଦେଶିତ ନୀତି ନିୟମ ଅନୁସାରେ ପାଳିତ ହୋଇଆସୁଥିବା ବେଳେ ଅବିଳମ୍ବେ ଏହାକୁ ସାମ୍ବିଧାନିକ ମାନ୍ୟତା ପାଇଁ ସେମାନେ ଦାବି କରିଥିଲେ। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରାଯାଇଥିଲା। ସ୍ମାରକପତ୍ର ପ୍ରଦାନ ବେଳେ ଆଦିବାସୀ ସେଙ୍ଗେଲ ଅଭିଯାନର ବାଲେଶ୍ୱର ଜିଲ୍ଲା ସଭାପତି ନିରଂଜନ ମାରାଣ୍ଡି, ଗୋପାଲ ଚରଣ ବାସ୍ରା, ଦାସରଥି କିସ୍କୁ, ପିଠା ସୋରେନ୍‌, ବିଜୟ କୁମାର ମୁର୍ମୁୁ, ମୋହନ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି।