Odiapua.com

ସାରଗାଁ ପଞ୍ଚାୟତରେ ଗୋଷ୍ଠୀ ବିବାଦ – ଅର୍ଥ ଆତ୍ମସାତ୍ ଅଭିଯୋଗକୁ ସରପଞ୍ଚଙ୍କ ଅସ୍ୱୀକାର

ବାଲେଶ୍ୱର, ୧୨-୮(ଓଡ଼ିଆ ପୁଅ/ଅଭୟ ଦାସ): ସାରଗାଁ ଗ୍ରାମ ପଞ୍ଚାୟତରେ ସରକାରୀ କାର୍ଯ୍ୟକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗତ କିଛିଦିନ ଧରି ଲାଗିଥିବା ବିବାଦ କ୍ରମଶଃ ତୀବ୍ର ହେବାରେ ଲାଗିଛି। ସାରଗାଁ ସରପଞ୍ଚଙ୍କ ଦ୍ୱାରା ବେଆଇନ୍ କାର୍ଯ୍ୟ ସାଙ୍ଗକୁ ବିଭିନ୍ନ ପ୍ରକଳ୍ପ ନାମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଗତ ୭ ତାରିଖରେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ ହୋଇଥିଲା। ମାତ୍ର ଏହି ଅଭିଯୋଗକୁ ଅସ୍ୱୀକାର କରିବା ସହ ଏଥିରେ ଆଦୌ ସତ୍ୟତା ନଥିବା ସରପଞ୍ଚ ରବୀନ୍ଦ୍ର ନାୟକ କହିଛନ୍ତି। ଆଜି କିଛି ୱାର୍ଡ଼ ସଭ୍ୟ ସଭ୍ୟାଙ୍କ ସହ ଶ୍ରୀ ନାୟକ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ କୋଭଡ୍ ପରିଚାଳନା ନେଇ ସମସ୍ତେ ବ୍ୟସ୍ତ ଥିବା ବେଳେ କେତେକ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବଢ଼ିଚାଲିଥିବା ପ୍ରକାଶ କରିଛନ୍ତି। ଏହି ପଞ୍ଚାୟତର କରୁଣାକର ଦାସଙ୍କ ପୁତ୍ର ରଂଜିତ୍ ଦାସ କିଛି ଅସାମାଜିକ ବ୍ୟକ୍ତିଙ୍କ ସହଯୋଗରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଶ୍ରୀ ନାୟକ ସଫେଇରେ କହିଛନ୍ତି। ପଞ୍ଚାୟତରେ ହେଉଥିବା ପ୍ରତିଟି ପ୍ରକଳ୍ପ କାର୍ଯ୍ୟରେ ଗୁଣାତ୍ମକମାନ ବଜାୟ ରହୁଥିବା ବେଳେ ଠିକାଦାରଙ୍କଠାରୁ ମାଗୁଥିବା ବଟିଅର୍ଥ ନ ପାଇ ଶ୍ରୀ ଦାସ ଏଭଳି ବାରମ୍ବାର ଅଭିଯୋଗ କରୁଛନ୍ତି। ଏମିତିକି ପଞ୍ଚାୟତରେ ହୋଇଥିବା ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ କାର୍ଯ୍ୟକୁ ନେଇ ସେ ପୂର୍ବରୁ ଅଭିଯୋଗ କରିଥିଲେ। ଏନେଇ ସଦର ବିଡିଓଙ୍କ ନିର୍ଦ୍ଦେଶରେ ଆସିଷ୍ଟାଣ୍ଟ ଇଂଜିନିୟରଙ୍କ ଦ୍ୱାରା କ୍ଷେତ୍ର ତଦନ୍ତ ହୋଇଥିଲା। ସମସ୍ତ ପ୍ରକଳ୍ପ କାର୍ଯ୍ୟରେ ଗୁଣାତ୍ମକ ମାନରକ୍ଷା ସହ ସରକାରୀ ନିୟମ ଭିତ୍ତିରେ ହୋଇଥିବା ନେଇ ସହକାରୀ ଯନ୍ତ୍ରୀ ରିପୋର୍ଟ ମି ଦେଇଥିଲେ। ଏହା ସତ୍ତ୍ୱେ ଶ୍ରୀ ଦାସ ପୁଣି କିଛି ଲୋକଙ୍କ ସହ ଗତ ୭ ତାରିଖରେ ଜିଲ୍ଲାପାଳଙ୍କଠାରେ ଆପତ୍ତି ଉଠାଇବା ଓ ରାଜ୍ୟ ପଞ୍ଚାୟତିରାଜ ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସରପଞ୍ଚ ଶ୍ରୀ ନାୟକ କହିଛନ୍ତି। ପୁଣିଥରେ ତଦନ୍ତ ପାଇଁ ଶ୍ରୀ ଦାସଙ୍କ ଦାବିକୁ ସ୍ୱାଗତ କରିବା ସହ ତାଙ୍କ ବିରୋଧରେ ଗୋଟିଏ ବି ଅଭିଯୋଗ ପ୍ରମାଣିତ ହେଲେ ସେ ନିଜ ଦାୟିତ୍ୱରୁ ଇସ୍ତଫା ଦେବେ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପଞ୍ଚାୟତିରାଜ ବିଭାଗ ସଚିବଙ୍କ ଉଦ୍ଦେଶ୍ୟରେ ଲକ ସ୍ମାରକପତ୍ର ସେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ସ୍ମାରପତ୍ର ପ୍ରଦାନ ବେଳେ ସାରଗାଁ ପଞ୍ଚାୟତର ବହୁ ୱାର୍ଡ଼ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।