Odiapua.com

ସାମ୍ୟବାଦୀ ନେତା ରବୀନ୍ଦ୍ର ମୋହନ ଦାସଙ୍କ ଜୟନ୍ତୀ

ବାଲେଶ୍ୱର, ୧୫-୨(ଓଡ଼ିଆ ପୁଅ/ଅଭୟ ଦାସ): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସାମ୍ୟବାଦୀ ନେତା ଡକ୍ଟର ରବୀନ୍ଦ୍ର ମୋହନ ଦାସଙ୍କ ୧୧୦ତମ ଜୟନ୍ତୀ ଉତ୍ସବ ରେମୁଣା ଗୋଲେଇସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପୁରୁଣା କ୍ୟାମ୍ପସ ପରିସରରେ ଶୁକବାର ଅନୁଷ୍ଠିତ ହୋଇଯାଇଛି। ଡକ୍ଟର ରବୀନ୍ଦ୍ର ମୋହନ ଦାସ ଫାଉଣ୍ଡେସନ ଟ୍ରଷ୍ଟ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ଦୀନବନ୍ଧୁ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସହ ସାମାଜ କଲ୍ୟାଣ କାର୍ଯ୍ୟରେ ସ୍ୱର୍ଗତ ଦାସଙ୍କ ଭଳି ମହାନ ନେତାଙ୍କ ଅବଦାନକୁ ଏ ଜାତି ସର୍ବଦା ମନେ ରଖିବ ବୋଲି ସେ ମତ ପ୍ରକାଶ କରିଥିଲେ। ଭାରତ ସରକାରଙ୍କ ପୂର୍ବତନ ଶିକ୍ଷା ସଚିବ ଡକ୍ଟର ଅରୁଣ କୁମାର ରଥ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନ ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ଭଳି ଜଣେ ଗାନ୍ଧୀବାଦୀ ନେତା ଭାବେ ସ୍ୱାର୍ଥର ଊର୍ଦ୍ଧ୍ୱରେ ରହି ଜୀବନ ତମାମ ରାଷ୍ଟ୍ରହିତରେ ନିଜକୁ ନିୟୋଜିତ ରଖିଆସିଥିବା ବିରଳ ବ୍ୟକ୍ତିତ୍ୱ ସାମ୍ପ୍ରତିକ ସମାଜରେ ଆଉ ମିଳି ନପାରନ୍ତି। ତେବେ ସ୍ୱର୍ଗତ ଦାସଙ୍କ ଆହୁରି ଅଧିକରୁ ଅଧିକ ମୂଲ୍ୟାଙ୍କନ କରିବାର ଆବଶ୍ୟକତା ରହିଛି ବୋଲି ଡକ୍ଟର ରଥ ମତ ପ୍ରକାଶ କରିଥିଲେ। ଲୋକସଭାର ଅବସରପ୍ରାପ୍ତ ସଚିବ ରୂପନାରାୟଣ ଦାସ ଓ ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାଣିଗ୍ରାହୀ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂସ୍କାରଯୁକ୍ତ ସମାଜ ନିର୍ମାଣ ଓ ରାଷ୍ଟ୍ର ବିକାଶର ଚିନ୍ତା କେବଳ ରବୀନ୍ଦ୍ର ମୋହନଙ୍କ ଭଳି ନିଃସ୍ୱାର୍ଥପର ବ୍ୟକ୍ତିତ୍ୱ କରିପାରନ୍ତି ବୋଲି କହିଥିଲେ। ତାଙ୍କର ଆଦର୍ଶ ଉତ୍ତର ପିଢ଼ି ପାଇଁ ପ୍ରେରଣା ହୋଇପାରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ରବୀନ୍ଦ୍ର ମୋହନ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ତଥା ସ୍ୱର୍ଗତ ଦାସଙ୍କ ଜ୍ୟୋଷ୍ଠ କନ୍ୟା ସମାଜସେବୀ ଯଶୋଧାରା ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ। ସୂଚନା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଫାଉଣ୍ଡେସନ ଟ୍ରଷ୍ଟର ଆବାହକ କବି ଶ୍ରୀଦେବ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅରଣା ରାୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏହି ଉତ୍ସବରେ ଯୋଗ ଦେଇଥିଲେ।