Odiapua.com

ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଅନୁଯାୟୀ ପ୍ରକ୍ରିୟା ଆରମ୍ଭ, ସମୀକ୍ଷା କଲେ ବରିଷ୍ଠ ଆଇ.ଏ.ଏସ୍‌. ଅଧିକାରୀ ତ୍ରିଲୋଚନ ମାଝୀ

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇ ସମ୍ଭାବ୍ୟ ବାତ୍ୟା ରପୂରେ ଭଦ୍ରକ ଜିଲ୍ଲା ଆଡ଼କୁ ମୁହାଁଇବାର ସୂଚନା ଅନୁଯାୟୀ ତାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରି ସାରିଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆବଶ୍ୟକ ମତେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଏହି ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ପରିଚାଳନାର ତଦନ୍ତ ଅଧିକାରୀ ଭାବେ ରାଜ୍ୟ ସରକାରଙ୍କ ତରଫରୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଭଦ୍ରକର ପୂର୍ବତନ ଜିଲ୍ଲାପାଳ ଓ ବର୍ତମାନର ଅତିରିକ୍ତ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବରିଷ୍ଠ ଆଇ.ଏ.ଏସ୍‌. ଅଧିକାରୀ ତ୍ରିଲୋଚନ ମାଝୀ ପହଂଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସମସ୍ତ ସୁପରଭାଇଜିଂ ଅଧିକାରୀମାନଙ୍କୁ ନେଇ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି । ଭିତର କନିକା ରୁ ଧାମରା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଆକଳନ ଅନୁଯାୟୀ ପ୍ରସ୍ତୁତି ଓ ପ୍ରକ୍ରିୟା ଆରମ୍ଭ କରାଯିବାକୁ ଥିବାରୁ ଶ୍ରୀଯୁକ୍ତ ମାଝୀ ସ୍ଥାନାନ୍ତର ପ୍ରକ୍ରିୟା, ଆଶ୍ରୟସ୍ଥଳୀରେ ପାନୀୟଜଳ, ଶୌଚାଳୟ, ପରିମଳ, ଖାଦ୍ୟ ମହଜୁଦ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ବିଦ୍ୟୁତର ବିକଳ୍ପ ଶକ୍ତି ଉପଲବଧ୍ ଆଦି ବ୍ୟବସ୍ଥାର ପ୍ରସ୍ତୁତି ସମ୍ବନ୍ଧରେ ଟିକିନିଖି ସମୀକ୍ଷା କରିଥିଲେ । ପ୍ରତି ପଂଚାୟତ, ପ୍ରତି ଗ୍ରାମ, ପ୍ରତି ଆଶ୍ରୟ ସ୍ଥଳ ପାଇଁ ନୋଡ଼ାଲ ଅଧିକାରୀ ନିଯୁକ୍ତି ଓ ସେମାନଙ୍କ ଯୋଗାଯୋଗ ନମ୍ବର ଅବଗତ କରାଇବା ଉପରେ ସେ ଅଧିକ ପ୍ରାଧାନ୍ୟ ଦେଇଥିଲେ । ବାତ୍ୟା ପାଇଁ ପୂର୍ବ ପ୍ରସ୍ତୁତି ତନଖି ସହ ବାତ୍ୟା ସମୟ ଓ ବାତ୍ୟା ପରର କାର୍ଯ୍ୟ ସମ୍ବନ୍ଧରେ ମଧ୍ୟ ଅଧୀକାରୀମାନଙ୍କୁ ସେ ପରାମର୍ଶ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟକି ଧାମରା, ବାସୁଦେବପୁର ବ୍ଲକ୍ ଓ ବାସୁଦେବପୁର ମ୍ୟୁନିସିପାଲିଟି ପାଇଁ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଧାମନଗର ବ୍ଲକ୍ ଓ ଧାମନଗର ଏନ୍‌.ଏ.ସି. ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ବାସୁଦେବପୁର ବ୍ଲକ୍ ଓ ମ୍ୟୁନିସିପାଲିଟି ପାଇଁ ପୂର୍ବତନ ଉପଜିଲ୍ଲାପାଳ, ଭଦ୍ରକ ଓ ବର୍ତମାନ ରୋଟିର ଯୁଗ୍ମ ନିର୍ଦ୍ଦେଶକ ମନୋଜ ପାତ୍ର, ଚାନ୍ଦବାଲି ବ୍ଲକ୍ ଓ ଚାନ୍ଦବାଲି ଏନ୍‌.ଏ.ସି. ପାଇଁ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଭଦ୍ରକ ବ୍ଲକ୍ ଓ ଭଦ୍ରକ ମ୍ୟୁନିସ୍‌ପାଲିଟି ପାଇଁ ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ତିହିଡ଼ି ବ୍ଲକ୍ ପାଇଁ ଅତିରିକ୍ତ ନିର୍ବାହୀ ଅଧିକାରୀ କୁଶଳ ଚନ୍ଦ୍ର ନାୟକ, ବନ୍ତ ବ୍ଲକ ପାଇଁ ସହକାରୀ ଜିଲ୍ଲାପାଳ ତନ୍ମୟ କୁମାର ଜେନା, ଭଣ୍ଡାରିପୋଖରୀ ବ୍ଲକ ପାଇଁ ସହକାରୀ ଜିଲ୍ଲାପାଳ ଖଗେଶ୍ୱର ବରାଳ ପ୍ରମୁଖଙ୍କୁ ସୁପରଭାଇଜିଂ ଅଧିକାରୀ ଭାବେ ନିୟୋଜିତ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସୁପରଭାଇଜିଂ ଅଧିକାରୀମାନେ ନିଜ ନିଜ କ୍ଷେତ୍ରକୁ ଗସ୍ତ କରିଛନ୍ତି । ବାତ୍ୟାର ମୁକାବିଲା ନେଇ ବର୍ତମାନ ସୁଦ୍ଧା ଜିଲ୍ଲାରେ ପହଞ୍ôଚବା ୩ଟି ଏନ୍‌.ଡ଼ି.ଆର୍‌.ଏଫ୍‌, ୬ଟି ଅଗ୍ନଶମ ବାହିନୀ ଓ ୬ଟି ଓଡ଼୍ରାଫ୍ ସବ୍‌ଟିମ୍‌କୁ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଛି । ଚନ୍ଦବାଲିର ଧାମରାରେ, ଧାମନଗର ବ୍ଲକ୍‌ରେ ଏବଂ ଜିଲ୍ଲା ସଦର ମହକୁମାରେ ୩ଟି ଏନ୍‌.ଡି.ଆର୍‌.ଏଫ୍ ଦଳ, ବାସୁଦେବପୁର ନାୟିକାଣିଡ଼ିହି, ଚୂଡ଼ାମଣି, କଷିଆରେ, ଚାନ୍ଦବାଲିର ତୋଟାପଡ଼ା, ଯଶୀପର ଏବଂ ନଳଗୋହୀରାରେ ଓଡ଼୍ରାଫ୍‌ର ସବ୍‌ଟିମ୍‌, ଧାମନଗର ଧୁଷୁରୀ, ଭଦ୍ରକ ବ୍ଲକ, ଚାନ୍ଦବାଲି ବ୍ଲକ, ତିହିଡ଼ି ଓ ବନ୍ତ ବ୍ଲକ୍‌ର ଅଗ୍ନିଶମ ଦଳ ବାତ୍ୟା ମୁକାବିଲାରେ ଉଦ୍ଧାର, ପୁନଃରୁଦ୍ଧାର, ରିଲିଫ୍ ଆଦି କାର୍ଯ୍ୟପାଇଁ ସଜାଗ ଅଛନ୍ତି ଶେଷ ଖବର ଅନୁଯାୟୀ ଆଶ୍ରୟସ୍ଥଳୀକୁ ଲୋକମାନଙ୍କର ସ୍ଥାନାନ୍ତର ପ୍ରକ୍ରୀୟା ଆରମ୍ଭ କରାଯାଇଛି ।