Odiapua.com

ସାମ୍ବାଦିକ ସୁରକ୍ଷା ଆଇନ, ମାସିକ ଭତ୍ତା, ପେନ୍‌ସନ୍ ଦାବିରେ ଏସ୍‌ୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନେ ବିଭିନ୍ନ କ୍ଷେତ୍ରରେ ଖବର ସଂଗ୍ରହ ସମୟରେ ଆକ୍ରମଣର ଶିକାର ହେଉଛନ୍ତି । ଗଣମାଧ୍ୟମର ପ୍ରତିନିଧିମାନେ ଜନସାଧାରଣଙ୍କ ପାଇଁ ଦିନରାତି କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ଜୀବନ ଅସୁରକ୍ଷିତ । ସେମାନଙ୍କ ସୁରକ୍ଷା ନିମନ୍ତେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ । କାର୍ଯ୍ୟରତ ସାମ୍ବାଦିକଙ୍କୁ ମାସିକ ୨୫ ହଜାର ଟଙ୍କା ଭତ୍ତା ପ୍ରଦାନ, ବୟସ୍ୟାଧିକ କାରଣରୁ କାର୍ଯ୍ୟରୁ ବିରତ ହୋଇଥିବା ସାମ୍ବାଦିକଙ୍କୁ ମାମସିକ ୨୦ ହଜାର ଟଙ୍କା ପେନ୍‌ସନ୍‌, ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ସାମ୍ବାଦିକଙ୍କ ରାତ୍ରି ରହଣି ନିମନ୍ତେ ସାମ୍ବାଦିକ ଅତିଥି ଭବନ ନିର୍ମାଣ ଭଳି କେତେକ ମୌଳିକ ଦାବି ନେଇ ରାଜ୍ୟ ସାମ୍ବାଦିକ ସଂଘ (ଏସ୍‌ୟୁଜେ) ଓଡ଼ିଶା ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏହି ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳଙ୍କୁ ସଂଘର ସଦସ୍ୟମାନେ ପ୍ରଦାନ କରିଥିଲେ । ଏସ୍‌ୟୁଜେ ଜିଲ୍ଲା ସଭାପତି ପ୍ରତାପ କୁମାର ଦାସଙ୍କ ଆବାହକତ୍ୱରେ ରାଜ୍ୟ ଉପସଭାପତି ବାସୁଦେବ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ତପନ କୁମାର ମିଶ୍ର, ମୁଖ୍ୟଉପଦେଷ୍ଟା ନିହାର କୁମାର ଦାସ, ଉପଦେଷ୍ଟା ତପନ କୁମାର ସ୍ୱାଇଁ, ଧ୍ରୁବ ଚରଣ ବାରିକ, କାର୍ଯ୍ୟକାରୀ ସଭାପତି ଉମାକଲ୍ୟାଣ ମହାପାତ୍ର, ଉପସଭାପତି ଶିବାନନ୍ଦ ଦାସ, ଜଗନ୍ନାଥ ନାୟକ, ପ୍ରଭାତ କୁମାର ସାମଲ, ଗୁଲାମ ଜିଲାନୀ ହବିବି, ଓମ୍‌ପ୍ରକାଶ ମିଶ୍ରଙ୍କ ସମେତ ଜିଲ୍ଳାର ୭ଟି ବ୍ଲକରୁ ଆସିଥିବା ସଦସ୍ୟ ସଦସ୍ୟାମାନେ ପ୍ରଥମେ ପ୍ରତୀକ ଧାରଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବସିଥିଲେ । ପରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।