Odiapua.com

ସାମ୍ବାଦିକ ତାରିଣୀ ପାଢ଼ୀଙ୍କ ବିୟୋଗରେ ଶୋକ

ବାଲେଶ୍ୱର, ୩୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରରୁ ବଦଳି ହୋଇ କନ୍ଧମାଳ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଥିବା ‘ପ୍ରମେୟ’ର ସାମ୍ବାଦିକ ତାରିଣୀ ପାଢ଼ୀଙ୍କର କରୋନାରେ ଆକାଳ ବିୟୋଗକୁ ନେଇ ଏକ ଶୋକସଭା ସାମ୍ବାଦିକ ପ୍ରକୋଷ୍ଠରେ ଆଜି ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସନ୍ଦୀପ୍ତ କୁମାର ଦାସଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରଂଜନ ବାଗ୍ ପୌରୋହିତ୍ୟ କରିଥିଲେ। ବାଲେଶ୍ୱରର ଭାରପ୍ରାପ୍ତ ଡିଆଇପିଆରଓ ଦୀପକ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ, ଉଜ୍ଜ୍ୱଳ ଚନ୍ଦ୍ର କର, ସୃଷ୍ଟିଧର ପରିଡ଼ା, ଗଙ୍ଗାଧର ରାଉତ, ବ୍ରହ୍ମନାଥ ରଥ, ଇନାୟତ ଅଲ୍ଲି ଖାଁ, ଶିବଦାସ କୁଣ୍ଡୁ, ଶୁଭେନ୍ଦୁ ମୋହନ ଦାସ, ସତ୍ୟପ୍ରିୟ ମହାନ୍ତି, ହିମାଂଶୁ ଦାସଙ୍କ ସମେତ ରତିକାନ୍ତ ପାତ୍ର, ରତିକାନ୍ତ ପାଢ଼ୀ, ରଶ୍ମିରଂଜନ ଦାସ, ଉବାଚକ ମହାନ୍ତି, ମାନସ ବିଶ୍ୱାଳ, ଆଲୋକ କୁମାର ବାରିକ, ବ୍ରହ୍ମାନନ୍ଦ ସ୍ୱାଇଁ, ସପନ ବିଶ୍ୱାଳ, ତୃପ୍ତିକାନ୍ତ ପାଢ଼ୀ, କବିତା ପାତ୍ର, ଅଜିତ୍ କୁମାର ମହାନ୍ତି, ଅଧୀପ ଜେନା, ଅରୂପ ନାରାୟଣ ମହାନ୍ତି, ଆଜିମ୍ ବାଲେଶ୍ୱରୀ, ମନୋଜ ବିଶ୍ୱାଳ, ସୁଶାନ୍ତ ଦାସ, ଗୋପାଲ ଚନ୍ଦ୍ର ଆସ୍‌, ଅର୍ଦ୍ଧେନ୍ଦୁ ଶେଖର ମିଶ୍ର, ହାଇଦର ଖାନ୍‌, ଗୋବିନ୍ଦ ରାଠୀ, ଶେଖ ନଜିମ୍‌, ମିତ୍ରଭାନୁ ପଲେଇ ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ପାଢ଼ୀଙ୍କ ଜୀବନାଦର୍ଶ ଓ ତାଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ଜନ୍ମ ହୋଇ ବାଲେଶ୍ୱର ଓ ପରେ କନ୍ଧମାଳରେ ସାମ୍ବାଦିକତା କରୁଥିଲେ ବି ତାଙ୍କର ଅକାଳ ବିୟୋଗ ଏବେ ୩ ଜିଲ୍ଲାର ସାମ୍ବାଦିକଙ୍କୁ ମ୍ରିୟମାଣ କରିପକାଇଛି ବୋଲି ବକ୍ତାମାନେ କହିଥିଲେ। ସାମ୍ବାଦିକତା ସାଙ୍ଗକୁ ବ୍ୟକ୍ତିଗତ ଓ ସାମାଜିକ କ୍ଷେତ୍ରରେ ସୁସମ୍ପର୍କ ରକ୍ଷାର କଳା ସ୍ୱର୍ଗତ ପାଢ଼ୀଙ୍କୁ ଅଧିକ ଲୋକପ୍ରିୟତା ଆଣିଦେଇଥିଲା। ଓଡ଼ିଶାର ଯେଉଁଠି ବି ସାମ୍ବାଦିକତା କରିଛନ୍ତି, ସବୁଠି ଏକ ଆତ୍ମିୟତାର ଛାପ ସେ ଛାଡ଼ି ଯାଇଛନ୍ତି ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ। ବିଶେଷ କରି ଯେ କୌଣସି କ୍ଷେତ୍ରରେ ତଥା ଯେ କୌଣସି ସ୍ଥିତିରେ ଖାପ ଖୁଆଇ ଚଳିବା ଓ ସବୁ ଦୁଃଖକୁ ଚାପିରଖି ହସହସ ମୁହଁରେ ଅନ୍ୟକୁ ଖୁସୀ ରଖିବାରେ ତାଙ୍କର ପ୍ରୟାସ ପ୍ରତ୍ୟେକଙ୍କୁ ମୁଗ୍ଧ କରିଥିଲା ବୋଲି ଉପସ୍ଥିତ ସାମ୍ବାଦିକମାନେ ଏହି ଶୋକସଭାରେ କହିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ କରୋନା ଯୁଦ୍ଧା ଭାବେ ସ୍ୱର୍ଗତ ପାଢ଼ୀଙ୍କ ପରିବାରଙ୍କୁ ଧାର୍ଯ୍ୟ ଆର୍ଥିକ ସହାୟତା ପ୍ରଦାନ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଉପସ୍ଥିତ ସାମ୍ବାଦିକମାନେ ଡିଆଇପିଆରଓଙ୍କୁ କହିଥିଲେ। ଏଥି ସହିତ ତାଙ୍କର ଶୋକସନ୍ତପ୍ତ ପରିବାରକୁ ବାଲେଶ୍ୱରର ପ୍ରତ୍ୟେକ ସାମ୍ବାଦିକ କିଛି କିଛି ଆର୍ଥିକ ସହାୟତା ପ୍ରଦାନ ପାଇଁ ଏହି ଶୋକସଭାରେ ନିଷ୍ପତି ନିଆଯାଇଥିଲା। ପ୍ରାରମ୍ଭରେ ସ୍ୱର୍ଗତ ପାଢ଼ୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ୨ ମିନିଟ୍ ନିରବ ପ୍ରାର୍ଥନା ଜରିଆରେ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ଆବାହକ ସନ୍ଦୀପ୍ତ କୁମାର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବାଲେଶ୍ୱରର ବିଭିନ୍ନ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମର ବହୁ ସାମ୍ବାଦିକ ଓ ଫଟୋ ତଥା ଭିଡିଓ ଗ୍ରାଫର ଏହି ଶୋକସଭାରେ ଉପସ୍ଥିତ ଥିଲେ।