Odiapua.com

ସାମ୍ବାଦିକଙ୍କ ପାଇଁ ସରକାର ଉଦାସୀନ, ଭତ୍ତା, ପେନ୍‌ସନ ଓ ସାମାଜିକ ସୁରକ୍ଷା ଦାବି

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ସବୁ ପ୍ରକାରର ଯୋଜନା ପ୍ରଣୟନ କରୁଛନ୍ତି । କୃଷକଙ୍କ ପାଇଁ କାଳିଆ ଯୋଜନା, ଅଙ୍ଗନବାଡି କର୍ମୀଙ୍କ ଅବସରକାଳୀନ ପ୍ରୋତ୍ସାହନ ଦୁଇଗୁଣ, ଖବରକାଗଜ ହକରଙ୍କୁ ଆର୍ôଥକ ସହାୟତା ଭଳି ବହୁ ଯୋଜନା କରିଛନ୍ତି । ଯାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ । ସରକାର ସମସ୍ତଙ୍କ ଦୁଃଖ ବୁଝୁଥିବା ବେଳେ ସାମ୍ବାଦିକମାନେ ସେଥିରୁ ବାଦ୍ ପଡ଼ିଛନ୍ତି । ରାଜ୍ୟ ସରକାର ସାମ୍ବାଦିକଙ୍କ ଦୁଃଖ ଦୁର୍ଦ୍ଦଶାକୁ କେବେ ହୃଦୟଙ୍ଗମ କରୁ ନାହାନ୍ତି ବୋଲି ଆଜି ଭାଗବତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏକ ବନ୍ଧୁ ମିଳନ ଉତ୍ସବରେ ସାମ୍ବାଦିକ ତପନ କୁମାର ମିଶ୍ର ଓ ଜ୍ଞାନ ପ୍ରକାଶ ପାଣି କ୍ଷୋଭ ପ୍ରକଟ କରିଛନ୍ତି । ସରକାର ରାଜ୍ୟର ସମସ୍ତ ପ୍ରିଣ୍ଟିଂ, ଡିଜିଟାଲ, ଇଲେକ୍ଟ୍ରୋନିକ୍‌ସ ମିଡିଆର ପ୍ରତିନିଧି, କ୍ୟାମେରାମ୍ୟାନ ମାନଙ୍କୁ ସାମ୍ବାଦିକ ତାଲିକାଭୁକ୍ତ କରି ସେମାନଙ୍କ ପାଇଁ ଭତ୍ତା ଲାଗୁ କରିବାକୁ ଦାବି କରିଛନ୍ତି । ସରକାର ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କରିଥିବା ବୀମା ଯୋଜନାର ବୀମାରାଶି ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା ସହ ପିତାମାତାଙ୍କୁ ବୀମା ପରିସରଭୁକ୍ତ କରିବା, ସାମ୍ବାଦିକଙ୍କୁ ପେନ୍‌ସନ, ମାସିକ ଭତ୍ତା, ସାମାଜିକ ସୁରକ୍ଷା ପ୍ରଦାନ ପାଇଁ ଦାବି ଉପସ୍ଥାପନ କରାଯାଇଥିଲା । ଯଦି ସରକାର ସାମ୍ବାଦିକମାନଙ୍କ ଦାବିକୁ କର୍ଣ୍ଣପାତ ନକରନ୍ତି ତେବେ ଗଣଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆ ଯାଇଥିଲା । ଏହି ସାମ୍ବାଦିକ ବନ୍ଧୁମିଳନରେ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।