Odiapua.com

ସାମ୍ବାଦିକଙ୍କୁ ଆକ୍ରମଣ କରି ଲୁଟ୍; ହାତରେ ୬୫ ସ୍ଥାନରେ ରହିଛି କଟା ଦାଗ, ନିଶା ଇଂଜେକସନ ସହ ନିଶା ଔଷଧ ଖୁଆଇଲେ

ଭୁବନେଶ୍ୱର, ୩୧-୦୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ରାଜଧାନୀରେ ଜଣେ କାର୍ଯ୍ୟରତ ସମ୍ବାଦିକଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରି ଲୁଟ କରିଛନ୍ତି କିଛି ଦୁର୍ବୁତ। ଯୁବ ସାମ୍ବାଦିକଙ୍କ ଦୁଇ ହାତରେ ୬୫ ସ୍ଥାନରେ କଟା ଦାଗ ରହିଥିବା ବେଳେ ତାଙ୍କୁ ଗୁରତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ବୁତମାନେ ତାଙ୍କୁ ନିଶା ଇନଜେକ୍ସନ ଦେଇଥିବା ବେଳେ କିଛି ମେଡିସିନ ମଧ୍ୟ ଜୋର ଜବରଦସ୍ତି ଖୁଆଇ ଦେଇଥିଲେ। ଜୀବନ ବିକଳରେ ଅଟୋରୁ ଡେଉଁ ସମ୍ବାଦିକ ଜଣଙ୍କ ନିଜ ଜୀବନ ବଞ୍ଚାଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ତାଙ୍କ ଉପରେ ନଜର ରଖାଯାଇଛି। ତେବେ ଏନେଇ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ନୟାପଲ୍ଲୀ ପୁଲିସ।

ସର୍ବେଶ୍ୱର ମହାପାତ୍ର ନାମକ ଏହି ସାମ୍ବାଦିକ ଏକ ଘରୋଇ ଟିଭି ଚ୍ୟାନେଲରେ କାର୍ଯ୍ୟ କରୁଛନ୍ତି। ଆଜି ସନ୍ଧ୍ୟା ବେଳେ ସେ ବରମୁଣ୍ଡାସ୍ଥିତ କାଳୀ ମନ୍ଦିର ଯାଇଥିଲେ। ସେଠାରୁ ଫେରିବା ବାଟରେ ତାଙ୍କୁ ଏଭଳି ଆକ୍ରମଣ କରି ଲୁଟ କରାଯାଇଥିବା ସୂଚନା ମିଳିଛି। ସାମ୍ବାଦିକଙ୍କ ଜଣେ ବନ୍ଧୁଙ୍କ କହିବା ଅନୁଯାୟୀ, ସର୍ବେଶ୍ୱର ଆଜି ସନ୍ଧ୍ୟା ସାଢେ ୬ଟା ବେଳେ ବରମୁଣ୍ଡାରୁ ଅଟୋ ଯୋଗେ ନୟାପଲ୍ଲୀ ସ୍ଥିତ ଘରକୁ ଫେରୁଥିଲେ। ଅଟୋରେ ଆସୁଥିବା ବେଳେ ଅଟୋ ପଛ ସିଟରେ ବସିଥିବା ଦୁଇ ବ୍ୟକ୍ତି ତାଙ୍କୁ ପ୍ରଥମେ ଏକ ଇନଜେକ୍ସନ ଦେଇ ଦେଇଥିଲେ। ପରେ ତାଙ୍କୁ କିଛି ମେଡିସିନ ମଧ୍ୟ ଖୁଆଇ ଦେଇଥିଲେ। ଦୁର୍ବୁତମାନଙ୍କ ସହ ଆକ୍ରମଣ କରି ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିବାରୁ ସେମାନେ ଏକ କୌଣସି ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସର୍ବେଶ୍ୱରଙ୍କ ଦୁଇ ହାତରେ ୬୫ଟି କଟା ଦାଗ ରହିଥିବା ଦେଖିବାକୁ ମିଳିଛି। ଦୁର୍ବୁତମାନେ ତାଙ୍କୁ ଏଭଳି ଆକ୍ରମଣ କରିବା ସହ ତାଙ୍କ ପାଖରେ ଥିବା ୧୦୦୦ ଟଙ୍କା ମଧ୍ୟ ନେଇ ଯାଇଥିଲେ। ସର୍ବେଶ୍ୱର ତାଙ୍କୁ ବିରୋଧ କରିବାରୁ ଦୁର୍ବୁତମାନେ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ସେ କହିଛନ୍ତି।

ଉପସ୍ଥିତ ବୁଦ୍ଧି ଖଟାଇ ସର୍ବେଶ୍ୱର ନିଜ ମୋବାଇଲ ଖୋଲି ହ୍ୱାଟସପରେ ତାଙ୍କର ଜଣେ ସାଙ୍ଗଙ୍କୁ ନିଜ ମୋବାଇଲର ଲୋକେସନ ପଠାଇବା ସହ ସାହାଯ୍ୟ ପାଇଁ ଲେଖିଥିଲେ। ଉକ୍ତ ସାଙ୍ଗ ଜଣଙ୍କ ପୁଲିସକୁ ଏସମ୍ପର୍କରେ ସୂଚନା ଦେଇଥିଲେ। ଏହା ମଧ୍ୟରେ ଯୁବକଙ୍କ ଜଣଙ୍କ ସେମାନଙ୍କ କବଳରୁ ବଞ୍ଚିବା ପାଇଁ ସିଆରପି ଛକର ଟିକେ ପୂର୍ବରୁ ଅଟୋରୁ ତଳକୁ ଡେଇଁ ପଡିଥିଲେ। ସ୍ଥାନୀୟ ଲୋକେ ସର୍ବେଶ୍ୱରଙ୍କୁ ସେଠାରେ ପଡିଥିବାର ଦେଖି ପୁଲିସକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ପିସିଆର ପହଞ୍ଚି ସର୍ବେଶ୍ୱରଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲା।