Odiapua.com

ସାମାନ୍ୟ ବର୍ଷାରେ ବୁଡ଼ିଲା ଗାଁ

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଧାମନଗର ବ୍ଲକ ଅଧୀନ ରାଧାବଲ୍ଲଭପୁର ପଞ୍ଚାୟତରେ ମୌସୁମୀ ବର୍ଷା ପରେ ଉଦ୍ଭବ ହୋଇଥିବା ଜଳବନ୍ଦୀ ପରିସ୍ଥିତି ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅପର୍ଯ୍ୟାପ୍ତ ଜଳ ନିଷ୍କାସନ ବ୍ୟବସ୍ଥା ଏବଂ ବିକାଶମୂଳକ କାର୍ଯ୍ୟରେ ଯୋଜନାଗତ ତ୍ରୁଟି ଯୋଗୁଁ ଗାଁରେ କୃତ୍ରିମ ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି।ମୌସୁମୀ ବାୟୁ ଓଡ଼ିଶାରେ ସମ୍ପୂର୍ଣ୍ଣ ସକ୍ରିୟ ହୋଇନଥିବା ବେଳେ କେବଳ ସାମାନ୍ୟ ମୌସୁମୀ ବର୍ଷାରେ ଶିରିଗଡ଼ିଆ ଓ ହଜାରିଗଡ଼ିଆ ପୋଖରୀର ପାଣି ଉଛୁଳି ଗାଁ ଦାଣ୍ଡରେ ପ୍ରବେଶ କରିଛି। ଫଳରେ ରାଧାବଲ୍ଲଭପୁରର ସାହୁସାହି ଅଞ୍ଚଳର ଅନେକ ଘରେ ଅପରିଷ୍କାର ପାଣି ପଶିଯାଇଥିବାରୁ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିଥିବା ବେଳେ ସରସ୍ୱତୀ ମନ୍ଦିର ଅଞ୍ଚଳ ଓ ବନ୍ଧଟିଆ ମଠ ପଛପଟ ସାହି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି।ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଗତ ୫୦ ବର୍ଷ ମଧ୍ୟରେ ଏଭଳି ପରିସ୍ଥିତି କେବେ ଦେଖାଯାଇ ନଥିଲା। ଏହି ଅଞ୍ଚଳ ବନ୍ୟା ପ୍ରବଣ ନ ହୋଇଥିବାରୁ ଲୋକମାନେ ରାସ୍ତାଠାରୁ ସାମାନ୍ୟ ଉଚ୍ଚରେ ଘର ନିର୍ମାଣ କରି ସୁରକ୍ଷିତ ରହୁଥିଲେ। କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ବର୍ଷା ଜଳ ଘର ଭିତରକୁ ପଶିଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଗ୍ରାମବାସୀଙ୍କ ଅଭିଯୋଗ ଯେ, ଗତବର୍ଷ ମନରେଗା ଯୋଜନାରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟରେ ଶିରିଗଡ଼ିଆ ଓ ହଜାରିଗଡ଼ିଆ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିଲା। ମାତ୍ର ପୋଖରୀର ଆଂଶିକ ସଫେଇ କରି ସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ଦର୍ଶାଯାଇଥିବାରୁ ପ୍ରକଳ୍ପରେ ଅନିୟମିତତା ହୋଇଥିବା ସନ୍ଦେହ ପ୍ରକାଶ ପାଇଛି। ଏହାର ସ୍ୱଚ୍ଛ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।ଅନ୍ୟପକ୍ଷରେ, ବିକାଶ ନାମରେ ଉଚ୍ଚ କଂକ୍ରିଟ୍ ରାସ୍ତା ନିର୍ମାଣ କରାଯାଇଥିଲେ ମଧ୍ୟ ପୂର୍ବରୁ ଥିବା ପାରମ୍ପରିକ ଜଳ ନିଷ୍କାସନ ବ୍ୟବସ୍ଥା, ସୋଠ ଓ ହ୍ୟୁମ୍ ପାଇପ୍‌?ଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ବର୍ଷା ଜଳ ବାହାରିବାର ପଥ ଅବରୋଧ ହୋଇଛି। ଫଳରେ ସାମାନ୍ୟ ବର୍ଷାରେ ମଧ୍ୟ ଗାଁ ଜଳବନ୍ଦୀ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଆଗକୁ ମୌସୁମୀ ବର୍ଷା ଆରମ୍ଭ ହେଲେ ପରିସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା କରାଯାଉଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା ସୁଧାର ଏବଂ ମନରେଗା ପ୍ରକଳ୍ପର ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜପଥ ଅବରୋଧ ସହ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।