Odiapua.com

ସାମାଜିକ ସୁରକ୍ଷା ଅଧିକାରିଣୀଙ୍କ ବିରୋଧରେ ଭିନ୍ନକ୍ଷମ ସଂଘ ସଭାପତିଙ୍କ ଅଭିଯୋଗ

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ବିକଳାଙ୍ଗ ମଞ୍ଚ ଭଣ୍ଡାରିପୋଖରୀ ବ୍ଲକ ସଭାପତି ଭାସ୍କର ଚନ୍ଦ୍ର ଜେନା ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି। ସଙ୍ଗଠନ ସଭାପତି ଭାବେ ଦିବ୍ୟାଙ୍ଗମାନଙ୍କ ସରକାରୀ ଯୋଜନାର ସୁଫଳପ୍ରାପ୍ତି ସମସ୍ୟା ନେଇ ସଂପୃକ୍ତ ବିଭାଗକୁ ଯାଉଥିବାରୁ ତାଙ୍କ ନାମରେ ଉଦ୍ଦେଶ୍ୟମୂଳକ ଭାବେ ଅଭିଯୋଗ କରାଯାଇଛି ବୋଲି ଶ୍ରୀ ଜେନା ଅଭିଯୋଗରେ ଦର୍ଶାଇଛନ୍ତି। ପୂର୍ବରୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସାନ୍ତ୍ୱନା ଦାସ ଶ୍ରୀ ଜେନାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ମୋବାରକପୁର ଗ୍ରାମର ଦେବାଶିଷ ସାହୁଙ୍କ ଭିନ୍ନକ୍ଷମ ଭତ୍ତା ୨୦୧୮ ଡିସେମ୍ବର ମାସରୁ ମଞ୍ଜୁର ହୋଇଥିଲେ ବି ତାଙ୍କୁ ୨୦୨୨ ଜୁନ ମାସଠାରୁ ପ୍ରଦାନ କରାଯିବା ଓ ମଞ୍ଜୁର ସମୟରୁ ୨୦୨୨ ମଇ ମାସ ପର୍ଯ୍ୟନ୍ତ ବକେୟା ଭତ୍ତା ହଡପ କରାଯିବା ଅଭିଯୋଗ ସମ୍ପର୍କରେ ବୁଝିବାକୁ ଯାଇଥିବାରୁ ଉଦ୍ଦେଶ୍ୟମୂଳକ ଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଅଭିଯୋଗ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏପରିକି ତାଙ୍କ ଠାରୁ ଋଣ କରାଇଦେବା ପ୍ରତିଶ୍ରୁତି ଦେଇ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଶ୍ରୀ ଜେନା ଅଭିଯୋଗ ମଧ୍ୟ କରିଛନ୍ତି। ଏଭଳି ଅଭିଯୋଗ ଓ ପ୍ରତ୍ୟାଭିଯୋଗ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଠିକଠାକ ଚାଲୁ ନାହିଁ ବୋଲି ଧାରଣା ସୃଷ୍ଟି କରିଛି।