Odiapua.com

ସାମାଜିକ ସୁରକ୍ଷାରେ ସାମିଲ ହେଲେ ଖବର କାଗଜ ହକର

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖରା, ବର୍ଷା, ଶୀତ, କାକରକୁ ଖାତିର ନକରି ପ୍ରତିଦିନ ବଡ଼ି ଭୋରରୁ ଘରେ ଘରେ ଖବରକାଗଜ ପହଞ୍ôଚାଉଥିବା ହକରମାନଙ୍କୁ ସାମାଜିକ ସୁରକ୍ଷାରେ ସାମିଲ କରାଯିବା ନେଇ ଗତ ନଭେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୋଷଣା କରାଯାଇଥିବା ଯୋଜନାକୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ କାର୍ଯ୍ୟକାରୀ କରାଗଲା । ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମ ସହିତ ଆଭାସି ଜରିଆରେ ସବୁ ଜିଲ୍ଲାକୁ ସଂଯୋଗ କରାଯାଇଥିଲା । ଏହି କ୍ରମରେ ଭଦ୍ରକ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ୍ ହଲରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍‌, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା ପ୍ରମୁଖଙ୍କ ସହ ବିଭାଗୀୟ ନିର୍ଦ୍ଦେଶ ଅନୁଯାୟୀ ୨୫ ଜଣ ହକର ଏଥିରେ ଉପସ୍ଥିତ ଥିଲେ । ଯୋଜନା ଅନୁଯାୟୀ ସ୍ୱତନ୍ତ୍ର କୋଭିଡ଼୍ ସହାୟତା ଅର୍ଥ ୬ହଜାର ଟଙ୍କା ଲେଖାଏଁ ପ୍ରତି ହକରଙ୍କ ଆକାଉଣ୍ଟକୁ ପ୍ରଦାନ କରାଗଲା ଏବଂ ହକର ମାନଙ୍କ ମୋବାଇଲକୁ ସଂଗେ ସଂଗେ ଏ ନେଇ ମେସେଜ ଆସିଥିବାର ଦେଖାଯାଇଥିଲା । ସେମାନଙ୍କ ଉଦ୍ଦେଶ୍ୟରେ ଥିବା ଅନ୍ୟାନ୍ୟ ସହାୟତା ବାବଦରେ ମଧ୍ୟ ଘୋଷଣା କରାଗଲା ।

ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୨ ଲକ୍ଷ ଟଙ୍କା, ସାଧାରଣ ମୃତ୍ୟୁ ପାଇଁ, ୧ଲକ୍ଷ, ଦୁଘର୍ଟଣା ଜନିତ ପୂର୍ଣ୍ଣ ଅକ୍ଷମତା ପାଇଁ ୧ ଲକ୍ଷ ୫୦ ହଜାର, ଦୁଘର୍ଟଣାରେ ୨ଟି ଅଙ୍ଗ ହରାଇଲେ ୮୦ ହଜାର ଏବଂ ଗୋଟିଏ ଅଙ୍ଗ ହରାଇଲେ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏ ସମସ୍ତ ଖର୍ଚ୍ଚ ବହନ କରାଯାଉଛି ବୋଲି ପ୍ରକାଶ କରାଯାଇଥିଲା । ଖବର କାଗଜ ହକରମାନଙ୍କ ଉଦ୍ଦେଶ୍ୟରେ ନିଆଯାଇଥିôବା ଏହି ସବୁ ପଦକ୍ଷେପ ସେମାନଙ୍କୁ ଅଧିକ ସଶକ୍ତ କରିବା ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏ ଯୋଜନା ଏକ ଐତିହାସିକ ସାମାଜିକ ସୁରକ୍ଷା ଯୋଜନା, ଏକ ଯୁଗାନ୍ତକାରଣ ପଦକ୍ଷେପ ବୋଲି ଅନ୍ୟ ଅତିଥିମାନେ ମଧ୍ୟ ମତାମତ ରଖିଥିଲେ । ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ବିଭାଗୀୟ ଶାସନ ସଚିବ ତଥା କମିଶନର ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ । ହକରମାନଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବ ।