Odiapua.com

ସାମାଜିକ ନ୍ୟାୟରୁ କୋଟପୋଖରୀ ଗ୍ରାମବାସୀ ବଂଚିତ ରାଜନୈତିକ ଆକ୍ରୋସରୁ ଗାଁ ରାସ୍ତା କାଟି ଦିଆଗଲା

ନୟାଗଡ଼ ୨୫/୦୬ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଲା ହେଲେ ଗାଁ ଗାଁ ରୁ ହଟୁନି ରାଜନୈତିକ ବିବାଦ। ସାମାଜିକ ବାଚ୍ଛନ୍ଦ ହେବାକୁ ପଡୁଛି ଗ୍ରାମବାସୀଙ୍କୁ। ଏପରିକି ରସ୍ତାକାଟି ପଞ୍ଚାୟତରୁ ବିଚ୍ଛିନ୍ନ କରି ଦିଆଯାଉଛି ଗାଁ କୁ। ସେଭଳି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ତାଳକଣି ଗ୍ରାମପଞ୍ଚାୟତରେ। ଫଳରେ ଗ୍ରାମବାସୀମାନେ ସିଧାସଳଖ ପଞ୍ଚାୟତ କାର୍ଯ୍ୟାଳୟକୁ ନଆସିପାରି ୫ କିଲୋମିଟର ବାଟ କୁଳାସର ଗ୍ରାମପଞ୍ଚାୟତ ଦେଇ ଆସିବାକୁ ପଡୁଛି। କୋଟପୋଖରୀ ଗ୍ରାମରୁ ତାଳକଣି ଗ୍ରାମଞ୍ଚାୟତକୁ ୧୨ ବର୍ଷ ତଳୁ ଘରୋଇ ଜମି ଉପରେ ସରକାରୀ ଅର୍ଥ ବ୍ୟୟ କରି ଏକ ସଡ଼କ ରାସ୍ତା ନିର୍ମାଣ କରାଯାଇଥିଲା। ସେଥିପାଇଁ କୋଟପୋଖରୀ ଗ୍ରାମର କିଛି ଚାଷୀ ଓ ତାଳକଣୀ ଗ୍ରାମର ଚାଷୀ ନିଜସ୍ୱ ଜମି ଦାନ କରିଥିଲେ।

କିନ୍ତୁ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରୁ ତାଳକଣି ଗ୍ରାମର ପ୍ରାର୍ଥି ହାରିଯିବା ପରେ ତାଳକଣି କୋଟପୋଖରୀ ମଧ୍ୟରେ ବିବାଦ ଦେଖାଦେଇଥିବା ଜଣାପଡିଛି। ଯାହାଫଳରେ କୋଟପୋଖରୀ ତାଳକଣୀ ରାସ୍ତାକୁ ତାଳକଣି ଗ୍ରାମର ଜମି ଦାନ ଦେଇଥିବା ଚାଷୀ ଗୋବର୍ଦ୍ଧନ ସେଠୀ ଜେସିବି ମେସିନ ଲଗାଇ ତାଡ଼ି ଦେଇଥିବା ଜଣାପଡିଛି। ଯାହାଫଳରେ କୋଟପୋଖରୀ ଗ୍ରାମବାସୀ ଏପରିକି ବାର୍ଦ୍ଧକ୍ୟ ଭତ୍ତା ଓ ରାସନ୍ ସାମଗ୍ରୀ ନେବାକୁ ଆସିବାକୁ ବାଧକ ହେଉଛି। ଏ ସମ୍ପର୍କେ କୋଟପୋଖରୀ ଗ୍ରାମବାସୀ ରାଜସୁନାଖଳା ଫାଣ୍ଡି ଓ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହେଉଛି। ରଣପୁର ତହସିଲଦାରଙ୍କୁ ଅଭିଯୋଗ ଦେଉଥିବା ବେଳେ ସେ ଅଭିଯୋଗ ନରଖି ଫେରାଇ ଦେଇଥିବା ଅଭିଯୋଗ ହେଉଛି। ଏ ସର୍ମ୍ପକେ ଗ୍ରାମବାସୀ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ଜିଲ୍ଲା କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।