Odiapua.com

ସାମାଜିକ ଦୂରତା ନିୟମ ଉଲ୍ଲଘଂନ କରି କନିଷ୍ଠ ସହାୟକ ନିଲମ୍ବିତ

ପୁରୀ, ୧୩/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ନିମାପଡା ବିଜ୍ଞାପିତ ଅଂଚଳରେ ରାଜ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନସ୍ଥ ହିତାଧିକାରୀମାନଙ୍କୁ ପରିବାର ପିଛା ୧୦୦୦ଟଙ୍କା ଆର୍ଥିକ ସହାୟତା ବଂଟନ ବେଳେ ସାମାଜିକ ଦୂରତା ରକ୍ଷା ନକରିଥିବାରୁ ବିଜ୍ଞାପିତ କାର୍ଯ୍ୟାଳୟର କନିଷ୍ଠ ସହାୟକ ରବିନ୍ଦ୍ରନାଥ ସାହୁଙ୍କୁ ଜିଲ୍ଲାପାଳ ଶ୍ରୀ ବଲବନ୍ତ ସିଂ ନିଲମ୍ବନ କରିଛନ୍ତି। ୱାର୍ଡ ନମ୍ବର ୬ ଓ ୭ରେ ସହାୟତା ବଂଟନ ବେଳେ ସାମାଜିକ ଦୂରତା ପ୍ରତି ଥିବା ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗ ଆସିବା ପରେ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଶ୍ରୀ ସାହୁଙ୍କ ମୁଖ୍ୟ କାର୍ଯ୍ୟାଳୟ ପୁରୀ ରଖାଯାଇଥିବା ବେଳେ ବିନା ଅନୁମତିରେ ମୁଖ୍ୟ କାର୍ଯ୍ୟାଳୟ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ୩ଜଣ ଶିକ୍ଷକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।। ସେମାନେ ହେଲେ ନିମାପଡା ଉଚ୍ଚ ବିଦ୍ୟାଳୟର ସହାୟକ ଶିକ୍ଷକ ଜ୍ୟୋତିରଂଜନ ରଥ, ନିମାପଡା ବଜାର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରକଳା ଦେବୀ ଏବଂ ଗୋପିନାଥ ପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଳାସିନୀ ଦେଇ। ପତ୍ର ପାଇବାର ୩ଦିନ ମଧ୍ୟରେ କାରଣ ଦର୍ଶାଇବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।