Odiapua.com

ସାମାଜର ଗରିବଙ୍କ କଲ୍ୟାଣ ପାଇଁ ଏକାଠି ହୁଅନ୍ତୁ ସେଲ୍ କର୍ମଚାରୀ – ଧର୍ମେନ୍ଦ୍ର ପ୍ରଧାନ

ସେଲ୍ କର୍ମଚାରୀଙ୍କ ପାଇଁ ‘ସର୍ଭିସ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜାନୁଆରୀ ୨୨ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ସେଲ୍‌ର କର୍ମଚାରୀ ମାନଙ୍କ ପାଇଁ ସ୍ୱୟଂସେବୀ ଯୋଜନା ତଥା ପୋର୍ଟାଲ ‘ସର୍ଭିସ’ର ଶୁଭାରମ୍ଭ କରିଛନ୍ତି। ସାମାଜିକ କାର୍ଯ୍ୟ ପ୍ରତି କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଏହି ସର୍ଭିସ ଆରମ୍ଭ କରାଯାଇଥିବା ବେଳେ ସାମାଜର ଗରିବଙ୍କ କଲ୍ୟାଣ ପାଇଁ କର୍ମଚାରୀମାନେ ଏକାଠି ହେବା ସହ ଦେଶ ନିର୍ମାଣରେ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ ସେଲ୍ କର୍ମଚାରୀଙ୍କୁ ଆହ୍ୱାନ କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ନିଜ ଅଧିକାର ପ୍ରତି ସତର୍କ ରହିବା ସହ ନାଗରିକଙ୍କୁ ନିଜର କର୍ତବ୍ୟ ପ୍ରତି ମଧ୍ୟ ସମ୍ବେଦନଶୀଳ ହୋଇ ରହିବାର ଆବଶ୍ୟକତା ରହିଛି। ଶୁଭାରମ୍ଭ ହୋଇଥିବା ସର୍ଭିସ ଦ୍ୱାରା ସେଲର କର୍ମଚାରୀମାନେ ନିଜର ସାମାଜିକ କର୍ତବ୍ୟର ଦାୟିତ୍ୱ ନେବା ସହ ଦେଶ ନିର୍ମାଣରେ ମଧ୍ୟ ଯୋଗଦାନ ଦେବାରେ ଆଗରେ ରହିବେ। ନିଜର ଋଚି ଆଧାରରେ ସମାଜର ଭଲ କାର୍ଯ୍ୟ ପାଇଁ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ କର୍ମଚାରୀଙ୍କୁ ଏକତ୍ର ହେବାକୁ ଆହ୍ୱାନ କରିଥିଲେ।

ଉଲ୍ଲେଖନୀୟ ଯେ, ଏହି ସର୍ଭିସ ଯୋଜନା କେବଳ ସେଲର କର୍ମଚାରୀମାନଙ୍କ ପାଇଁ ପ୍ରଯୋଜ୍ୟ। ସାମାଜିକ କାର୍ଯ୍ୟ ପ୍ରତି କର୍ମଚାରୀଙ୍କୁ ଏହି ଯୋଜନା ଉତ୍ସାହିତ କରିବ। ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସଶକ୍ତିକରଣ, କନ୍ୟା ସନ୍ତାନଙ୍କ ଠାରେ ଦେଖାଯାଉଥିବା କୁପୋଷଣ କ୍ଷେତ୍ରରେ ଏହି ଯୋଜନାରେ ଧ୍ୟାନ ଦିଆଯିବ। ଏହି ଯୋଜନା ସାମାଜିକ କଲ୍ୟାଣ ହାସଲ କରିବା ଦିଗରେ ପରିଲିକ୍ଷିତ। ସେଲ୍ ଏବଂ ସେଲ୍ ଦ୍ୱାରା ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମର ବିକାଶ କରାଇବା ଦିଗରେ ଏହି ଯୋଜନାକୁ ଆରମ୍ଭ କରାଯାଇଛି। ଏତଦବ୍ୟତିତ ଶୁଭାରମ୍ଭ ହୋଇଯାଇଥିବା ପୋର୍ଟାଲ ସେଲର କର୍ମଚାରୀଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ଯେଉଁଥିରେ ସେମାନେ ସେମାନଙ୍କ ଇଚ୍ଛାନୁସାରେ ସମାଜର ହିତ ପାଇଁ ପ୍ରତିପାଦିତ କରିବେ।