Odiapua.com

ସାବିତ୍ରୀ ବ୍ରତ ପାଇଁ ବିଭିନ୍ନ ଦେବାଳୟ ଭିଡ଼ : ଫଳମୂଳ ଦର ଆକାଶଛୁଆଁ

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଅଂଚଳର ବିଭିନ୍ନ ଦେବାଳୟ ଓ ବଟବୃକ୍ଷ ତଳରେ ଶୁକ୍ରବାର ସାବିତ୍ରୀ ବ୍ରତ ଭକ୍ତି ଓ ଆଡମ୍ବର ସହ ପାଳନ କରାଯାଇଛି। ସକାଳୁ ହିଁ ବିବାହିତ ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି ପୂଜା ସାମଗ୍ରୀ ଧରି ମନ୍ଦିର ଓ ବଟବୃକ୍ଷ ନିକଟରେ ପହଞ୍ଚିଥିଲେ। ବଟବୃକ୍ଷକୁ ପରିକ୍ରମା କରି ସ୍ୱାମୀଙ୍କ ଦୀର୍ଘାୟୁ ଓ ପରିବାରର ସୁଖଶାନ୍ତି କାମନା କରି ପୂଜାର୍ଚ୍ଚନା କରିଥିଲେ। ପୁରାଣ ଅନୁସାରେ ସତୀ ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କ ପ୍ରାଣ ଯମରାଜଙ୍କ ପାଖରୁ ଫେରାଇ ଆଣିଥିବାରୁ ଏହି ବ୍ରତର ପ୍ରଚଳନ ହୋଇଥିବା ବିଶ୍ୱାସ ରହିଛି। ସେହିଠାରୁ ବିବାହିତ ମହିଳାମାନେ ସ୍ୱାମୀଙ୍କ ମଙ୍ଗଳ କାମନାରେ ସାବିତ୍ରୀ ବ୍ରତ ପାଳନ କରିଆସୁଛନ୍ତି। ଏହି ବ୍ରତରେ ଆମ୍ବ, କଦଳୀ, ପଣସ, ନଡ଼ିଆ, ସେଉ, ଖଜୁରୀ, ଲିଚୁ ସହ ବିଭିନ୍ନ ପ୍ରକାର ଫଳମୂଳ ଭୋଗ ଲାଗିଥାଏ। ମହିଳାମାନେ ଉପବାସ ରହି ଦେବଦେବିଙ୍କ ଓ ବଟବୃକ୍ଷ ମୂଳରେ ଜଳ, ଦୁଧ ଓ ଫୁଲ ଅର୍ପଣ କରି ବ୍ରତ ପାଳନ କରିଥିଲେ। ଅନ୍ୟପଟେ ସାବିତ୍ରୀ ବ୍ରତକୁ ନେଇ ଧାମନଗର ବଜାରରେ ଲୁଗା, ଫଳ ଓ ପୂଜା ସାମଗ୍ରୀ କିଣିବାକୁ ଦୋକାନରେ ପ୍ରବଳ ଭିଡ଼ ଲକ୍ଷ୍ୟ କରାଯାଇଥିଲା। ଚାହିଦା ବଢ଼ିଥିବାରୁ ଫଳମୂଳ ଦର ମଧ୍ୟ ଆକାଶଛୁଆଁ ହୋଇଥିଲା। କଦଳୀ, ଆମ୍ବ, ସେଉ ଓ ନଡ଼ିଆ ଦରରେ ମଧ୍ୟ ବୃଦ୍ଧି ଘଟିଥିଲା। ତଥାପି ପରମ୍ପରା ଓ ଆସ୍ଥାକୁ ଗୁରୁତ୍ୱ ଦେଇ ମହିଳାମାନେ ଉତ୍ସାହର ସହିତ ବ୍ରତ ପାଳନ କରିଥିଲେ।