Odiapua.com

ସାବରଙ୍ଗରେ ଆରଟିଓ ଚେକିଂ, ୧୭ ହଜାର ଟଙ୍କା ଆଦାୟ, ୨୧ ଜଣଙ୍କ ଠାରୁ ୨ ଲକ୍ଷ ୮୧ ହଜାର ଜରିମାନା

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସାବରଙ୍ଗରେ ଯାନ ବାହନ ତନଖି କରାଯାଇ ୨୧ ଜଣଙ୍କ ନାମରେ ଚାଲାଣ କଟା ସହିତ ୩ ଟି ଗାଡି ଜବତ କରାଯାଇଛି। ୨୧ ଟି ଚାଲାଣରେ ସର୍ବମୋଟ ୨ ଲକ୍ଷ ୮୧ ହଜାର ଟଙ୍କା ଜରିମାନା କଟାଯାଇଛି। ପ୍ରାପ୍ତ ଖବର ମୂଳେ ଆଜି ଦିନ ୧୨ ଟା ସମୟରେ ଭଦ୍ରକ ଆରଟିଓଙ୍କ ଏନଫୋର୍ସମେଂଟ ସ୍କ୍ୱାର୍ଡ ଓ ସାବରଙ୍ଗ ପୁଲିସ୍‌ର ମିଳିତ ସହଯୋଗରେ ସ୍ଥାନୀୟ ଅଂଚଳରେ ଯାନବାହନ ଚେକିଂ କରାଯାଇ ଉପରୋକ୍ତ ମୋଟା ଅଂକର ଜରିମାନା ଆଦାୟ କରାଯାଇଛି। ମୋଟର ଯାନ ନିୟମ ଉଲ୍ଲଂଘନ ପୂର୍ବକ ଗାଡି ଚଳାଉଥିବା ଚାଳକ ଓ ମାଲିକ ମାନଙ୍କ ମଧ୍ୟରେ କାହାର ଡିଏଲ୍ ନଥିଲା ତ କାହାର ପଲ୍ୟୁସନ ନଥିଲା। ସେହିଭଳି କାହାର ପରମିଟ୍ ନଥିଲା ତ କାହାର ଇନ୍ସ୍ୟୁରାନ୍ସ ନଥିଲା। ଏହିଭଳି ମୋଟ ଚାଳକ ଓ ଗାଡି ମାଲିକଙ୍କ ଉପରେ ଉପରୋକ୍ତ ଜରିମାନା କରାଯାଇଥିବାବେଳେ ଚଢାଉ ସ୍ଥାନରୁ ୧୭ ହଜାର ଟଙ୍କା ଆଦାୟ କରାଯାଇଛି। ବାରମ୍ବାର ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ଭାବେ ସଚେତନ କରାଯାଉଥିଲେ ମଧ୍ୟ ଗାଡି ଚାଳକ ଓ ମାଲିକମାନଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ। ଫଳରେ ବହୁ ଦୁର୍ଘଟଣା ଘଟୁଛି। ଏହି ଚଢାଉ କାର୍ଯ୍ୟରେ ଆଜି ଆରଟିଓ ଏନଫୋର୍ସମେଂଟ ସ୍କ୍ୱାର୍ଡର ଟ୍ରାଫିକ୍ ସବଇନ୍ସିପେକ୍ଟର ଶର୍ମିଷ୍ଠା ମିଶ୍ର, ଆସିଷ୍ଟାଂଟ ଟ୍ରାଫିକ୍ ସବଇନ୍ସିପେକ୍ଟର ଶ୍ୟାମସୁନ୍ଦର ନାୟକଙ୍କ ସମେତ ସାବରଙ୍ଗ ପୁଲିସ୍ ସାମିଲ ଥିଲେ।