Odiapua.com

ସାବଧାନ! ଦୁର୍ଘଟଣା ଘଟେଇ ଲୁଟୁଛନ୍ତି ଲୁଟେରା : ତାଙ୍କ ନୂଆ କୌଶଳ

ଟିଟିଲାଗଡ଼ ୨୮-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ରୁ ଭାଟିପଡା ଗ୍ରାମ ମୁଖ୍ୟ ରାସ୍ତାରେ ଥିବା ଡି.ଏ.ଭି କଲେଜ ଛକ ଠାରେ ଏକ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିବା ଦୁଇ ଜଣ ଯୁବକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି ଥିବା ବେଳେ ଡାକ୍ତର ବଲାଙ୍ଗୀରକୁ ସ୍ଥାନାନ୍ତର କରିଛନ୍ତି। ପ୍ରକାଶ ଯେ ସିଂଧେକେଲା ଥାନା ଅନ୍ତର୍ଗତ କୁରଡ଼ିଆମୁଡ଼ା ଗ୍ରାମର ହେମନ୍ତ କୁମ୍ଭାର ଓ ଗୋବିନ୍ଦ ମହାନନ୍ଦ ଏକ ବାଇକ ନଂ ଓଡ଼ି ୦୩ ଡ଼ି ୮୮୭୮ ଯୋଗେ ନିଜ ଗ୍ରାମ ମହୁଲପଡ଼ା ଫେରି ଆସୁଥିବା ବେଳେ ଟିଟିଲାଗଡ଼ ଡି.ଏ.ଭି କଲେଜ ଛକ ନିକଟରେ ତିନି ଜଣ ସବାର ଥିବା ଅନ୍ୟ ଏକ ଗାଡି ଟିଟିଲାଗଡ଼ ପଟୁ ଯାଉଥିବା ବେଳେ ସାମ୍ନାପଟୁ ଜୋରରେ ଧକ୍କା ଦେଇଥିଲା। ହେମନ୍ତ ଓ ଗୋବିନ୍ଦ ଗାଡି ସହ ପଡିଯାଇଥିବା ବେଳେ ଉକ୍ତ ବାଇକରେ ଥିବା ତିନି ଜଣ ମିଶି ରକ୍ତାକ୍ତ ଅବସ୍ଥାରେ ମାଡ଼ ମାରିବା ଆରମ୍ଭ କରିଥିଲେ। ହେମନ୍ତ କୁମ୍ଭାର ଅଚେତ ହୋଇ ପଡ଼ିଥିବା ଦେଖି ସେ ମରିଗଲା କହି ତାଙ୍କ ଘଣ୍ଟା, ମୋବାଇଲ, ଧରିଥିବା ସମସ୍ତ ଟଙ୍କା ତାଙ୍କ ପକେଟରୁ ବାହାର କରି ନେଇଯାଇଥିଲେ। ଗୋବିନ୍ଦ ନିକଟରେ ଥିବା ମୋବାଇଲ ନେଇ ଯିବା ସହ ତାର ଏଟିଏମ କାର୍ଡ ନେଇ ଯାଇ ଏଟିଏମର ପିନ କହିବାକୁ ବାଧ୍ୟ କରିଥିଲେ। ସେହି ଅବସ୍ଥାରେ ତାଙ୍କୁ ଚଢ଼ି ସେଠୁ ଉକ୍ତ ୩ ଜଣ ଫେରାର ହୋଇଯାଇଥିଲେ। ପରେ ଅଗ୍ନିଶମ ବିଭାଗର କର୍ମଚାରୀ ସୂଚନା ପାଇ ତାଙ୍କୁ ଟିଟିଲାଗଡ଼ ଡାକ୍ତର ଖାନାରେ ପହଞ୍ଚେଇଥିଲେ। ତେବେ ଡାକ୍ତର ପ୍ରଦୀପ ନାୟକ ତୁରନ୍ତ ତାଙ୍କୁ ବଲାଙ୍ଗୀର ମେଡ଼ିକାଲ କଲେଜ ଡାକ୍ତର ଖାନାକୁ ସ୍ଥାନାନ୍ତର କରିଛନ୍ତି। ଠିକ ଏହିପରି କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡା ରାସ୍ତାରେ ଗତ ୨୩ ତାରିଖରେ ଜଣେ ମନୋହର ଜୈନ ନାମକ ବ୍ୟବସାୟୀ ଙ୍କ ନିକଟରୁ ନଗଦ ଡିକି ରେ ଥିବା ଚାଳିଶ ହଜାର ଟଙ୍କା, ସୁନା ମୁଦି ଓ ମୋବାଇଲ ଏଟିଏମ ମଧ୍ୟ ଲୁଟି ନେଇଥିଲେ। ଉକ୍ତ ଏ ଟି ଏମ କାର୍ଡ ରୁ ମଧ୍ୟ ଥିବା ସମସ୍ତ ୧୦ ହଜାର ଟଙ୍କା ମଧ୍ୟ ବାହାର କରିଥିବା ଅଭିଯୋଗ ହୋଇଛି। ଏହିପରି ଏକ ସକ୍ରିୟ ଦଳ ଏପରି ଲୁଟ ଚଲାଇ ଥିବା ନେଇ ସାଧାରଣରେ ଆଲୋଚନା ହେଉଛି।ଏ ନେଇ ପ୍ରଶାସନ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲ ରେ ଦାବି ହେଉଛି।