Odiapua.com

ସାପ୍ତାହିକ ସମ୍ବାଦପତ୍ର ‘ଅଭିନନ୍ଦନ’ ର ୧୫ତମ ସ୍ୱନକ୍ଷତ୍ର ଦିବସ

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ସହରରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ‘ଅଭିନନ୍ଦନ’ ର ୧୫ତମ ସ୍ୱନକ୍ଷତ୍ର ଦିବସ ପୁରୀସ୍ଥିତ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ୫୦ ରୁ ଉର୍ଦ୍ଧ୍ୱ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ପ୍ରମୋଦା ଦେବୀ ସଂଯୋଜନା କରିଥିଲେ । ଏହାପରେ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଡ. ପ୍ରଫେସର ପ୍ରଦୀପ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡ. କୈଳାସ ଚନ୍ଦ୍ର ଟିକାୟତ ଯୋଗଦେଇ ସାପ୍ତାହିକ ସମ୍ବାଦପତ୍ର ମାନେ ୭ଦିନ ମଧ୍ୟରେ ଘଟୁଥିବା ଘଟଣାବଳୀର ତର୍ଜମା କରି ତାର ସାରାଂଶକୁ ହଜମ କରିବା ଭଳି ସାର ଦେଇ ସମ୍ବାଦ ଆକାରରେ ପରିବେଷଣ କରୁଥିବାରୁ ଏହା ପାଠକ ମାନଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇପାରିଥାଏ ବୋଲି କହିବା ସହ ଜଣେ ବ୍ୟକ୍ତି ସପ୍ତାହକ ମଧ୍ୟରେ ଘଟିଯାଇଥିବା ଘଟଣାବଳୀ ଜାଣିବା ପାଇଁ ଦୈନିକ ଖବରକାଗଜ ପୃଷ୍ଠା ଓଲଟାଇବା ଅପେକ୍ଷା ଏକ ସାପ୍ତାହିକ ସମ୍ବାଦପତ୍ର ପଢିଦେଲେ ସବୁକିଛି ପାଇଯାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

ସମ୍ମାନିତ ଅତିଥି ଭାବେ ବଲାଙ୍ଗୀରସ୍ଥିତ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡ. ରାମକୃଷ୍ଣ ପାଣିଗ୍ରାହୀ, ଫକୀରମୋହନ ବିଶ୍ୱ ବିଦ୍ୟାଳୟ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ. ଦେବାଶିଷ ପାତ୍ର, ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ରାଜ୍ୟ ସଭାପତି ତଥା ସାପ୍ତାହିକ ସମ୍ବାଦପତ୍ର ‘ନବୀନ’ ର ସଂପାଦକ ରବି ରଥ, ନୀଳଗିରି ମହିଳା ମହାବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗର ପ୍ରାଧ୍ୟାପକ ଡ. ପ୍ରଦୀପ୍ତ କୁମାର ମିଶ୍ର, ବାଲେଶ୍ୱରର ବରିଷ୍ଠ ଆଇନ୍‌ଜୀବୀ ଅରବିନ୍ଦ ବାରିକ, କେନ୍ଦୁଝରର ଆଦର୍ଶ ଶିକ୍ଷକ ଓ ସୁସାହିତ୍ୟିକ ମଧୁସୂଦନ ମିଶ୍ର ପ୍ରମୁଖ ଯୋଗଦେଇ ଏକ ଦୈନିକ ସମ୍ବାଦପତ୍ର ତୁଳନାରେ ସାପ୍ତାହିକ ସମ୍ବାଦପତ୍ର ଗୁଡିକ କୌଣସି ଗୁଣରେ କମ୍ ନୁହଁନ୍ତି ବୋଲି ଦର୍ଶାଇ ସରକାରୀ ସହାୟତାରୁ ବଂଚିତ ହେଉଥିବାରୁ ଏହାମଧ୍ୟରୁ ଅନେକ ବନ୍ଦ ହୋଇଯାଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ‘ଅଭିନନ୍ଦନ’ ବିନା ସରକାରୀ ବିଜ୍ଞାପନରେ ୧୪ ବର୍ଷ ଧରି ପ୍ରକାଶ ପାଇବା ଘଟଣା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବକ୍ତାମାନେ କହିଥିଲେ । ‘ଅଭିନନ୍ଦନ’ ର ସଂପାଦକ ଇଂ ଜଗଦୀଶ ମିଶ୍ର କିଭଳି ଭାବେ ବହୁ ଘାତ ପ୍ରତିଘାତ ମଧ୍ୟରେ ସମ୍ବାଦପତ୍ରଟିକୁ ବଂଚାଇ ରଖିଛନ୍ତି, ତାହା ନିଜ ବକ୍ତବ୍ୟରେ କହିଥିବାବେଳେ ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଜନକ ବୋଲି ବକ୍ତାମାନେ କହିଥିଲେ । ଏହି ଅବସରରେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୩ ପ୍ରତିଭାଧାରୀଙ୍କ ମଧ୍ୟରେ ପ୍ରକୃତିମିତ୍ର ସୁମନ୍ତ କୁମାର ଜେନା, ସଂଗୀତ ନିର୍ଦ୍ଦେଶକ ଜନାର୍ଦ୍ଦନ ଭୂୟାଁ, ସମାଜସେବୀ ସୌମ୍ୟଦୀପ ଚକ୍ରବର୍ତ୍ତୀ, କଣ୍ଠଶିଳ୍ପୀ ଶୁଭ୍ରାଲିନ ନାୟକ, ନୃତ୍ୟଶିଳ୍ପୀ ଶ୍ରୀମତୀ ଚନ୍ଦ୍ରିକା ରଣା, ଚିତ୍ରଶିଳ୍ପୀ ମୋହନ ସାହୁ, ଯୁବ ସ୍ତମ୍ଭକାର ଡ. ପ୍ରଦୀପ୍ତ କୁମାର ମିଶ୍ର, ପ୍ରାବନ୍ଧିକା ଡା. ଇପସିତା ପ୍ରଧାନ, କବୟିତ୍ରୀ ସ୍ନିଗ୍ଧା ଜି. ମହାପାତ୍ର, ଗାଳ୍ପିକ ମହେଶ୍ୱର ପାତ୍ର, ଆଦର୍ଶ ଶିକ୍ଷକ ପ୍ରଭାତ ଚନ୍ଦ୍ର ରଥ, ଆଦର୍ଶ ସାମ୍ବାଦିକ ଦେବୀଦତ୍ତ ମିଶ୍ର ଏବଂ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ଭଦ୍ରକର ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟକୁ ସମ୍ମାନିତ କରାଯାଇଥିଲା । ଏହି ସ୍ୱନକ୍ଷତ୍ର ଦିବସରେ ରାଜ୍ୟର ବିଭିନ୍ନ ଅଂଚଳରୁ ବହୁ ସାହିତ୍ୟିକ, ସାମ୍ବାଦିକ ଓ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ ।