Odiapua.com

ସାନିଟାଇଜିଂ ପରବର୍ତ୍ତୀ ବାଲେଶ୍ୱର ଟାଉନ ଥାନା ପୁଲିସ ପ୍ରତି ବଦଳିଛି ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀ

ବାଲେଶ୍ୱର, ୪-୧୦(ଓଡ଼ିଆ ପୁଅ/ଅଭୟ ଦାସ): ଆଇଆଇସି ସରୋଜିନୀ ନାୟକଙ୍କ ସମେତ ଅନ୍ୟ କେତେକ ଦୁର୍ନୀତିଯୁକ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଗିରଫ ତଥା ବଦଳି ପରେ ସମ୍ପ୍ରତି ବାଲେଶ୍ୱର ଟାଉନ ଥାନା ଏକ ପ୍ରକାର ସାନିଟାଇଜିଂ(ବିଶୋଧିତ)ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି। ଦୀର୍ଘଦିନ ପରେ ଏହି ଥାନାରେ ଶୁଭ୍ରାଂଶୁ ଶେଖର ନାୟକଙ୍କ ଭଳି ଜଣେ ଦକ୍ଷ ଅଧିକାରୀଙ୍କ ଯୋଗଦାନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପୁଲିସ-ପବ୍ଲିକ ସମ୍ପର୍କର ବେଶ୍ ଉନ୍ନତି ପରିଲକ୍ଷିତ ହୋଇଛି। ଏହାର ଫଳ ସ୍ୱରୂପ ଚୋରା ନିଶା ବ୍ୟବସାୟୀଙ୍କ ସମେତ ଫେରାର ଅପରାଧୀଙ୍କୁ ଗିରଫ କରିବାରେ ଟାଉନଥାନା ପୁଲିସକୁ ଆଶାତୀତ ସଫଳତା ମିଳି ପାରିଛି। କର୍ତ୍ତବ୍ୟନିଷ୍ଟ ଥାନା ଅଧିକାରୀ ଭାବେ ଶ୍ରୀ ନାୟକ ଜନସାଧାରଣଙ୍କୁ ଆବଶ୍ୟକ ପୁଲିସ ସେବା ପ୍ରଦାନ ଓ ଉତ୍ତମ ପୁଲିସ-ପବ୍ଲିକ ସମ୍ପର୍କ ରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏମିତିକି ଥାନାର ଅନ୍ୟାନ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ବି ତାଙ୍କର ଏହି ନିର୍ଦ୍ଦେଶ ଏବଂ ପରାମର୍ଶକୁ ବେଶ୍ ପାଳନ କରି ଚାଲିଛନ୍ତି। ଫଳରେ ଗତ ୨ମାସ ମଧ୍ୟରେ ଜନସାଧାରଣଙ୍କ ସହଯୋଗରେ ପ୍ରାୟ ୧୨ ହଜାରରୁ ଅଧିକ ଲିଟର ଚୋରା ଦେଶୀମଦ ଜବତ କରିବା ସହିତ ଫେରାର ଥିବା ଏକାଧିକ ୱାରେଣ୍ଟିଙ୍କୁ ଗିରଫ କରିବାରେ ଟାଉନଥାନା ପୁଲିସକୁ ବିରାଟ ସଫଳତା ମିଳି ପାରିଛି। ସବୁଠାରୁ ବଡ଼କଥା ହେଲା ଟାଉନଥାନା ପୁଲିସ ପ୍ରତି ଜନସାଧାରଣଙ୍କର ପୂର୍ବ ଦୃଷ୍ଟିଭଙ୍ଗୀ ବଦଳିଛି। ଏବେ ଅଭିଯୋଗଟିଏ କରିବା ପାଇଁ ଲୋକଙ୍କୁ ଆଉ ବାରମ୍ବାର ଥାନାକୁ ଦୌଡ଼ିବାକୁ ପଡ଼ୁନାହିଁ କିମ୍ବା ଥାନାକୁ ଯିବା ବେଳେ ପକେଟର ଅତିକମ୍‌ରେ ହଜାରେ ଟଙ୍କା ନେବାର ଆବଶ୍ୟକତା ନାହିଁ ବୋଲି ସମସ୍ତେ ହୃଦବୋଧ କରିଛନ୍ତି। ଟାଉନ ପୁଲିସ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛି। ତେବେ ଆବଶ୍ୟକ କର୍ମଚାରୀ ଅଭାବ ଏହି ଥାନା ପାଇଁ ଏବେ ମୁଖ୍ୟ ସମସ୍ୟା ହୋଇଛି। ସହରର ମୁଖ୍ୟ ଥାନା ଭାବେ ଏଠାରେ ଆବଶ୍ୟକ ସଂଖ୍ୟକ ଏସଆଇ, ଏଏସଆଇ ଓ କନ୍‌ଷ୍ଟେବଳ ନଥିବା ଯୋଗୁଁ ଉଚିତ ସମୟରେ ସବୁକାର୍ଯ୍ୟ ଠିକ୍ ଠାକ୍ ହୋଇପାରୁ ନଥିବା ଜଣାପଡ଼ିଛି। ଯାହା ବି ହେଉ ଟାଉନଥାନା ଆପଣେଇଥିବା ଧାରାକୁ ଯଦି ବାଲେଶ୍ୱରର ଅନ୍ୟାନ୍ୟ ଥାନାରେ ପ୍ରୟୋଗ କରାଯା’ନ୍ତା, ତାହାଲେ ଜିଲ୍ଲାର ଅପରାଧିକ କାର୍ଯ୍ୟକଳାପ ନିଶ୍ଚିତ ହ୍ରାସ ପାଆନ୍ତା ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।