ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଅଂଚଳରେ ପିଡିଏସ ଚାଉଳ ଦେଉଥିବା ଜଣେ ଡିଲରଙ୍କୁ ନାଲି ଆଖି ଦେଖାଇ ଅଙ୍ଗୁଳିଛାପ ମେସିନ ଛଡାଇ ନେଇଥିବା ବେଳେ ପୁନଶ୍ଚ ସଂପୃକ୍ତ ଯୁବକ ଜଣକ ଥାନାରେ ଲିଖିତ ଭାବେ ଅଭିଯୋଗ କରିବାକୁ ନେଇ ଚର୍ଚା ଜୋର ଧରିଛି। ଏ ନେଇ ଆଗାମୀ ଦିନରେ ଭଦ୍ରକ ପିଡିଏସ ଡିଲର ସମୂହ କାର୍ଯ୍ୟ ଛାଡ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି। ଖବରରୁ ପ୍ରକାଶ ଦୋସିଙ୍ଗା ପଂଚାୟତରେ ନିଯୁକ୍ତି ପାଇଥିବା ଡିଲର ବସନ୍ତ ଗିରି ଦୋସିଙ୍ଗା ପଂଚାୟତରେ ସାଧାରଣ ଲୋକଙ୍କୁ ଅଙ୍ଗୁଳିଛାପ ମେସିନ ସାହାଯ୍ୟରେ ନେଇ ଚାଉଳ ଦେଉଥିଲେ। ଏହି ସମୟରେ ସେହି ପଂଚାୟତର ତପନ ଦାସ ଆସି କାହିିଁକି ତାଙ୍କ ପରିବାରର ସମସ୍ତଙ୍କୁ ଏହି ସାଧାରଣ ବଂଟନ ବ୍ୟବସ୍ଥାରେ ସାମିଲ କରା ନଯିବ ବୋଲି ଯୁକ୍ତି କରିଥିଲେ। ସଂପୃକ୍ତ ଡିଲର ଜଣକ ନିଜର ଅସହାୟତା ଦେଖାଇବା ସହ ତପନଙ୍କୁ ଏହି ବିଷୟରେ ଚାନ୍ଦବାଲି ଏମ ଆଇ(ମାର୍କେଟିଂ ଇନ୍ସପେକ୍ଟର)ଙ୍କୁ ଦେଖା କରିବାକୁ କହିଥିଲେ, ମାତ୍ର ଉତକ୍ଷିପ୍ତ ହୋଇ ତପନ ଦାସ ସଂପୃକ୍ତ ଡିଲରଙ୍କ ଠାରୁ ଅଙ୍ଗୁଳିଛାପ ମେସିନ ଛଡାଇ ଆଣିଥିଲେ।
ଚାଉଳ ନେବା ଲାଗି ଥିବା ଶତାଧିକ ବ୍ୟକ୍ତିବିଶେଷ ବାଦ୍ୟ ହୋଇ ଅନୁରୋଧ କରିବା ପରେ ମଧ୍ୟ ସଂପୃକ୍ତ ତପନ ଏହି ମେସିନ ଦେଇ ନଥିଲେ। ପରେ ଧାମରା ଥାନାଧିକାରୀ ଆସି ଉପସ୍ଥିତ ଥିବା ଲୋକ ମାନଙ୍କୁ ପଚାରି ସବୁ କଥା ବୁଝିବା ପରେ ବୁଝାଇ ସୁଝାଇ ତପନଙ୍କ କହି ଏହି ଅଙ୍ଗୁଳିଛାପ ମେସିନ ସଂପୃକ୍ତ ଡିଲରଙ୍କୁ ଦେଇଥିଲେ। ମାତ୍ର କଥା ଏଇଠି ସରି ନଥିଲା ଏହି ଘଟଣା ଘଟିବାର ଦୀର୍ଘ ୧୦ ଦିନ ବିତିଯିବା ପରେ ସଂପୃକ୍ତ ତପନ ଦାସ ସଂପୃକ୍ତ ଡିଲରଙ୍କ ନାମରେ ଧାମରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଲିଖିତ ଅଭିଯୋଗ ପାଇବା ପରେ ଧାମରା ଥାନାଧିକାରୀ ଏକ କେସ ରୁଜୁ କରିଥିବା ବେଳେ ସଂପୃକ୍ତ ଡିଲର ମଧ୍ୟ ବାଧ୍ୟ ହୋଇ ଅଙ୍ଗୁଳିଛାପ ମେସିନ ଛଡାଇ ନେଇଥିବା ତପନଙ୍କ ନାମରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ଧାମରା ଥାନାଧିକାରୀ ୨ଜଣଙ୍କ ନାମରେ ପୃଥକ ପୃଥକ ଭାବେ ୨ଟି କେସ କରିଥିବା ବେଳେ ଅଧିକ ତଦନ୍ତ ଜାରୀ ରଖିଛନ୍ତି। ଆଗାମୀ ଦିନରେ ଚାନ୍ଦବାଲି ବ୍ଲକରେ କାର୍ଯ୍ୟରତ ଡିଲର ମାନେ ନିଜର କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚାନ୍ଦବାଲି ବିଡିଓ ଏବଂ ଭଦ୍ରକ ଜିଲ୍ଲାପାଳ ଏବଂ ସିଏସଓଙ୍କୁ ଭେଟି ଜଣାଇଛନ୍ତି।