Odiapua.com

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ୫/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିବା ସହ ଏହି ଜାତୀୟ ଦିବସ କୁ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରିବାକୂ ଆହ୍ୱାନ ଦେଇଥିଲେ। ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ବ ସୁଚାରୁରୂପେ ନିର୍ବାହ ପାଇଁ ପରାମର୍ଶ ଦେଇଥିଲେ। ପରେ ବିସ୍ତୃତ ଆଲୋଚନା ପରେ ସ୍ଥିର ହେଲା ଯେ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ଲେକ୍ସ ଠାରେ ୨୬ ଜାନୁଆରୀର ସାଧାରଣତନ୍ତ୍ର ଦିବସ ର ମୁଖ୍ୟ ଅତିଥି ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ ଓ ଉଦବୋଧନ ପ୍ରଦାନ କରିବେ। ପରେ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ, ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ।ପରେ ମୁଖ୍ୟ ଅତିଥି ଉତ୍କଳ ବାଳାଶ୍ରମର ଅନ୍ତେବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ, ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ, ଗୋପବନ୍ଧୁ ଆୟୁର୍ବେଦ କଲେଜରେ ରକ୍ତ ଦାନ ଶିବିର ଓ ଗାନ୍ଧୀ ସ୍ମୃତି ପୀଠ ଠାରେ ଆୟୋଜିତ ପୁଷ୍ପ ପ୍ରଦର୍ଶନୀରେ ଯୋଗ ଦେବେ। ଅପରାହ୍ନ ରେ ପରେଡ ପଡ଼ିଆ ଠାରେ ଏକ ପ୍ରଦର୍ଶନୀ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ। ସେହିଦିନ ପ୍ରତ୍ୟୁଷ ୪.୩୦ ମିନିଟ ସମୟରେ ସହର ମଧ୍ୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ ପରିବେଷଣ କରାଯିବ।ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରି ସକାଳ ୬ ଟା ସୁଦ୍ଧା ଶେଷ କରି ଗାନ୍ଧୀ ସ୍ମୃତି ପୀଠ ଠାରେ ଏକତ୍ରିତ ହେବେ ଓ ସେଠାରେ ସକାଳ ୭ ଘଟିକା ସୁଦ୍ଧା ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ।ସହର ର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁରୀ ପୌରପାଳିକା ପକ୍ଷରୁ ମାଲ୍ୟାର୍ପଣ କରାଯିବ।ଚଳିତ ବର୍ଷ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଥିବା ରୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ କୃତି ପ୍ରତଯୋଗୀ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯିବ।ଅଭ୍ୟାସ ପ୍ୟାରେଡ ଚଳିତ ମାସ ୨୨ ଓ ୨୩ ତାରିଖ ଅପରାହ୍ନ ୩ ଘଟିକା ଓ ୨୪ ତାରିଖ ପୂର୍ବାହ୍ନ ୮ ଘଟିକା ରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହେବ।ପ୍ୟାରେଡ଼ ପଡିଆ ସଜ୍ଜା, ବ୍ୟାରିକେଡ ନିର୍ମାଣ, ଶାନ୍ତି ଶୃଙ୍ଖଳା ରକ୍ଷା, ପରିଷ୍କାର ପରିଛନ୍ନତା, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ପ୍ରତ୍ୟେକ ବିଭାଗ ସେମାନଙ୍କ କାର୍ଯ୍ୟାଳୟକୁ ଓ ବ୍ୟକ୍ତି ବିଶେଷ ମାନେ ନିଜ ଗୃହ କୁ ଆଲୋକ ମାଳାରେ ସଜ୍ଜିତ କରିବାକୁ ଅନୁରୋଧ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭରେ ସମସ୍ତ ଙ୍କୁ ସ୍ୱାଗତ ଓ ଶେଷରେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବୈଠକରେ ଅନ୍ୟାନ୍ୟ ବିଭାଗର ଅଧିକାରୀ, ସମାଜସେବୀ, ଶିକ୍ଷାବିତ, ଗଣମାଧ୍ୟମ ପ୍ରତିନିଧି, ସ୍ୱଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।